ରୋଷେୟାକୁ ହତ୍ୟା ଘଟଣା ; ଗୋଡ ଘସିବାକୁ କହିବାରୁ ରଡ଼ରେ ପିଟି ମାରିଦେଲା

ଭୁବନେଶ୍ୱର, ୨୨ା୬ : ଗୁରୁବାର ବିଳମ୍ବିତ ରାତିରେ ତମାଣ୍ଡୋ ଥାନା ଅଧିନ ମହୁରା ଗ୍ରାମରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ଅଟକ ଥିବା ଅଭିଯୁକ୍ତ କୋର୍ଟ ଚାଲାଣ । ଗୋଡ ଘସିବାକୁ କହିବାରୁ ସେ ରାଗରେ ଲୁହା ରଡ଼ରେ ପିଟିପିଟି ହତ୍ୟା କରିଥିବା ପୁଲିସ ଆଗରେ ମାନିଥିବା ଡ଼ିସିପି ସୂଚନା ଦେଇଛନ୍ତି । ପୂର୍ବରୁ ଅଭିଯୁକ୍ତ ନାମରେ ୩ଟି ଜଘନ୍ୟ ଅପରାଧିକ ମାମଲାରେ ସେ ଜେଲ ଫେରନ୍ତା ଥିଲା ।
ସୂଚନାଯୋଗ୍ୟଯେ, ମହୁରା ଗ୍ରାମର କମ୍ଭୁପାଣି ପାତ୍ର ନାମକ ଠିକାଦାରଙ୍କ ଅଫିସରେ ରୋଷେୟା ଭାବେ କାମ କରୁଥିଲେ ମୃତ ସୁଶାନ୍ତ ଶତପଥୀ । କାମ କରିବା ସହ ଠିକାଦାରଙ୍କ ଅଫିସରେ ହିଁ ସେ କିଛି କର୍ମଚାରୀଙ୍କ ସହ ରହୁଥିଲେ । ଗତ ଗୁରୁବାର ବିଳମ୍ବିତ ରାତିରେ ସୁଶାନ୍ତ ଶତପଥୀ ଓ ଅନ୍ୟ ଜଣେ ଲେବର ରଞ୍ଜନ ଦୀପ୍ ମିଶି ଅଫିସର ଛାତରେ ମଦ୍ୟପାନ କରୁଥିଲେ । ଏହି ସମୟରେ ସୁଶାନ୍ତ ରଞ୍ଜନକୁ ତାଙ୍କ ଗୋଡ ଘସିବାକୁ କହିଥିଲା । ଯାହାକୁ ନେଇ ରଞ୍ଜନ ଦୀପ୍ ରାଗିଯାଇ ଏକ ଲୁହା ରଡ଼ରେ ସୁଶାନ୍ତଙ୍କ ମୁଣ୍ଡକୁ ୩ ଥର ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲା । ତମାଣ୍ଡୋ ପୁଲିସ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇ ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର୨ଟି ସ୍ପେଶାଲ ଟିମ ଦୁଇ ଦିଗକୁ ଯାଇ ଖୋଜାଖୋଜି କରିବା ସମୟରେ ଗୋହିରିଆ ଛକରେ ଅଭିଯୁକ୍ତ ରଞ୍ଜନକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଶନିବାର ଦିନ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
ଅଭିଯୁକ୍ତ ରଞ୍ଜନ ଦେବ୍ ନାଁରେ, ପୂର୍ବରୁ ୩ଟି ଜଘନ୍ୟ ମାମଲା ରହିଥିବା ଜଣାପଡ଼ିଛି । ୨୦୧୯ ମସିହାରେ ବୌଦ୍ଧ ଜିଲ୍ଲା ପୁରୁଣା କଟକରେ ଏକ କୁକର୍ମ ପରେ ହତ୍ୟା ମାମଲାରେ ସେ ଜେଲ ଯାଇଥିବା ବେଳେ ୨୦୧୬ ମସିହାରେ ତା ବାପାଙ୍କୁ ସାମାନ୍ୟ ବଚସାକୁ ନେଇ ହାଣିଥିଲା । ସେହିପରି ୨୦୧୦ ମସିହାରେ ୩୬୩ ଆଇପିସି ମାମଲା ରହିଥିବା ଡ଼ିସିପି ପ୍ରତୀକ୍ ସିଂହ ସୂଚନା ଦେଇଛନ୍ତି ।