ଗୁଳିମାଡ଼ରୁ ବର୍ତ୍ତିିଲେ ସୁଖବୀର: ଆପ୍ କହିଲା ଷଡ଼ଯନ୍ତ୍ର

ଚଣ୍ଡୀଗଡ଼: ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂହ ବାଦଲ ଜଣେ ଆତଙ୍କୀଙ୍କ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଛନ୍ତି । ଗୁଳିମାଡ଼ କରିଥିବା ଆତଙ୍କୀ ଜଣକ ନାରାୟଣ ସିଂହ ଚୌରା ହୋଇଥିବା ବେଳେ ସେ ବାବର ଖାଲସା ଇଣ୍ଟରନ୍ୟାସନାଲର ଜଣେ ପୂର୍ବତନ ଆତଙ୍କବାଦୀ ବୋଲି ସୂଚନା ମିଳିଛି । ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରରେ ଏହି ଘଟଣା ଘଟିଥିବା ବେଳେ ସମ୍ପୃକ୍ତ ଆତଙ୍କୀ ଜଣକ କାହିଁକି ଗୁଳିମାଡ଼ କରିଥିଲେ ତାହା ଜଣାପଡ଼ିନାହିଁ । ସୋସିଆଲ୍ ମିଡିଆରେ ଏ ସମ୍ପର୍କିତ ଭିଡିଓ ପୋଷ୍ଟ ହୋଇଥିବା ବେଳେ ଏଥିରେ ଦେଖିବାକୁ ମିଳିଛିଯେ, ନାରାୟଣ ସିଂହ ନାମକ ଆତଙ୍କୀ ଅଣ୍ଟାରୁ ଏକ ବନ୍ଧୁକ କାଢ଼ି ସିଧାସଳଖ ସୁଖବୀରଙ୍କ ଉପରକୁ ନିଶାନା କରିଥିଲା । ବନ୍ଧୁକ କାଢ଼ୁଥିବା ଦେଖି ସଙ୍ଗେ ସଙ୍ଗେ ସ୍ୱର୍ଣ୍ଣମନ୍ଦିରର କର୍ମକର୍ତ୍ତା ଏବଂ ସେଠାରେ ଉପସ୍ଥିତ ଅନ୍ୟମାନେ ତାଙ୍କୁ କାବୁ କରି ନେଇଥିଲେ । ପରବର୍ତ୍ତୀ ସମୟରେ ପୁଲିସ୍ ତାଙ୍କୁ ଗିରଫ କରିବା ସହ ଆତଙ୍କୀର ପିସ୍ତଲକୁ ଜବତ କରିଛି ।
ଏନେଇ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତିଯେ, ସ୍ୱର୍ଣ୍ଣ ମନ୍ଦିର ଭିତରେ ଗୁଳିମାଡ଼ ଗୋଟିଏ ଅପରାଧିକ କାର୍ଯ୍ୟ ହେବା ସହ ଏହା ପଞ୍ଜାବୀଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର । ଏହା ଏକ ସାଧାରଣ ଘଟଣା ନୁହେଁ ପଞ୍ଜାବରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ଏହା ପଛରେ କୌଣସି ଶକ୍ତିଶାଳୀ ପ୍ରଭାବ କାମ କରୁଛି ବୋଲି ସେ ମତବ୍ୟକ୍ତ କରିଛନ୍ତି । କିନ୍ତୁ ଏ ଘଟଣା ପରେ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇଥିବା ପଞ୍ଜାବ ପୁଲିସକୁ ଧନ୍ୟବାଦ ଦେଇଛନ୍ତି ।