ସମ୍ଭଲ ଯାଇପାରିଲେନି ରାହୁଲ ଓ ପ୍ରିୟଙ୍କା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ଭଲରେ ଘଟିଥିବା ହିଂସାକୁ ନେଇ ଏବେ ରାଜନୀତି ସରଗରମ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସମ୍ଭଲ ଯାତ୍ରାରେ ବାହାରିଥିବା ବେଳେ ଆହୁରି ଅଧିକ ଅଶାନ୍ତ ବାତାବରଣ ସୃଷ୍ଟି ଆଶଙ୍କା କରି ତାଙ୍କୁ ଗାଜୀପୁର ସୀମାରେ ଅଟକାଇ ଦିଆଯାଇଛି । ପୁଲିସ୍ ଏମାନଙ୍କୁ ଅଟକାଇଥିଲେ ମଧ୍ୟ ବିରୋଧିଦଳ ନେତା ହିସାବରେ ପୀଡ଼ିତଙ୍କୁ ଭେଟିବା ତାଙ୍କର କର୍ତ୍ତବ୍ୟ ଓ ସେ ନିହାତି ଯିବେ ବୋଲି ନାଲି ଆଖି ଦେଖାଇଥିଲେ । କିନ୍ତୁ ପୁଲିସ୍ କୌଣସି ପରିସ୍ଥିତିରେ ବି ଭାଇଭଉଣୀଙ୍କ କଥାକୁ ଶୁଣି ନଥିଲା । ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଏଭଳି ଯୁକ୍ତିତର୍କ ପରେ ଶେଷରେ ରାହୁଲ ଦିଲ୍ଲୀ ଫେରି ଆସିଥିବା ଜଣାପଡ଼ିଛି ।
ସେପଟେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ତୀବ୍ର ପ୍ରତିକ୍ରିୟା ଦେଇ ବିଜେପିକୁ ଭର୍ତ୍ସନା କରିଛନ୍ତି ଏବଂ ପୀଡ଼ିତଙ୍କ ନିକଟକୁ ଯିବାକୁ ଆମକୁ ଯେଭଳି ଅଟକାଇଛନ୍ତି, ତା’ର ପରିଣାମ ବିଜେପି ଭୋଗିବ ବୋଲି କହିଛନ୍ତି । ଅପରପକ୍ଷେ ଗାଜିଆବାଦ ପୁଲିସ କମିଶନର ଅଜୟ କୁମାର ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ସମ୍ଭଲରେ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଭାରତୀୟ ନାଗରିକ ପ୍ରତିରକ୍ଷା ଆଇନର ଧାରା ୧୬୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହା ସହିତ ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଗତ ଶନିବାର ଶେଷ ହୋଇଥିଲା । ଯାହାକୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍ ।