ଗୋମାତା ସେବା ନାମରେ ହରିଲୁଟ୍ : ମା' ଶାରଳା ଗୋ-ଶାଳାରେ ବ୍ୟାପକ ଅର୍ଥ ବାଟମାରଣା ଅଭିଯୋଗ
ଜଗତସିଂହପୁରରୁ ରଞ୍ଜନ ଖୁଣ୍ଟିଆ : ବୁଲା ଗାଈଗୋରୁଙ୍କ ସୁରକ୍ଷିତ ରଖିବା ପାଇଁ ସରକାର ଗୋଶାଳା ଗୁଡିକୁ ଆର୍ଥୀକ ପୋତ୍ସାହନ ଯୋଗାଇ ଦେଉଛନ୍ତି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଗୋମାତାଙ୍କର ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ରାଜ୍ୟରେ ଆହୁରି ଅଧିକ ୨୦୦ ନୂଆ ଗୋଶାଳା ବିଭାଗୀୟ ମନ୍ତ୍ରୀ ଗତ ସେପ୍ଟେମ୍ବର ୨୦୨୪ରେ ପ୍ରସ୍ତାବ ରଖିଥିଲେ । ବଜାର ଘାଟରେ ବୁଲୁଥିବା ଗୋମାତା ମାନେ ସହର ମଧ୍ୟରେ ବୁଲିବା ଦ୍ୱାରା ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବା ବେଳେ ଗୋମାତା ମାନେ ମଧ୍ୟ ଦୁର୍ଘଟଣାର ଶିକାର ହୋଇ ମୃତୁ୍ୟ ମୁଖରେ ପଡୁଛନ୍ତି । ଗୋମାତାଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଦଶ ଅନୁସାରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ବେସରକାରୀ ଗୋଶାଳା ସହିତ କାଞ୍ଜିଆହୁଦା ପାଇଁ ସରକାର ପ୍ରତ୍ୟେକ ବର୍ଷ ଆରମ୍ଭରୁ ଆର୍ଥୀକ ଅନୁଦାନ ପ୍ରଦାନ କରୁଛନ୍ତି ।ଉକ୍ତ ଅର୍ଥରେ ଗୋମାତାଙ୍କର ଖାଇବା, ଓøଷଧ, ଗୃହ ନିର୍ମାଣ ଠାରୁ ଆରମ୍ଭ କରି ଗୋଶାଳାର ରକ୍ଷଣାବେକ୍ଷଣ ପାଇଁ ଆର୍ଥୀକ ଅନୁଦାନ ଦେଉଛନ୍ତି । ମାତ୍ର ସଂପୃକ୍ତ ଅର୍ଥ କିଛି ମାତ୍ରାରେ ଗୋମାତାଙ୍କ ସେବାରେ ଲାଗୁଥିବା ବେଳେ କେତେକ ଗୋଶାଳାରେ ସିଂହଭାଗ ଅର୍ଥକୁ ଗୋଶାଳାର ଦାୟିତ୍ୱରେ ଥିବା ବ୍ୟକ୍ତି ବିଶେଷମାନେ ଚଳୁ କରୁଥିବା ଅଭିଯୋଗ ହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ ପାରାଦୀପ ନିକଟ ବାଲିଚନ୍ଦ୍ରପୁର ଠାରେ ଥିବା ମା ଶାରଳା ଗୋଶାଳା କ୍ଷେତ୍ରରେ ।
ଶିଳ୍ପ ନଗରୀ ପାରାଦୀପରେ ଯାନବାହାନ ଚଳାଚଳରେ ବିଶେଷ ସମସ୍ୟା ସୃଷ୍ଟି କରୁଛନ୍ତି ବୁଲା ଗାଈଗୋରୁ । ଏହି ବୁଲା ଗାଈ ଗୋରୁଙ୍କ ପାଇଁ ସରକାରୀସ୍ତରରେ କାଞ୍ଜିଆହୁଦା ନଥିବା ବେଳେ, ବେସରକାରୀ ଭାବରେ ମା ଶାରଳା ଗୋଶାଳା ରହିଛି । ମାତ୍ର ଏହି ଗୋଶାଳାରେ ରହୁଥିବା ଗୋମାତାମାନେ ଗୋଶାଳାରେ ନରହି ବାହାରେ ବୁଲାବୁଲି କରୁଥିବାରୁ ବହୁ ମାତ୍ରାରେ ସମସ୍ୟା ସୃଷ୍ଟି ହେଉଛି । ଗୋମାତାଙ୍କ ନାମରେ ଆସୁଥିବା ସରକାରୀ ଆର୍ଥୀକ ଅନୁଦାନ ଏହି ମା ଶାରଳା ଗୋଶାଳାରେ ବ୍ୟାପକ ବାଟମାରଣା ହେଉଥିବା ବେଳେ ଗୋମାତାମାନେ ବହୁ ସମୟରେ ଅନାହାରରେ ରହୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।ଗୋଶାଳାରେ ଚିହ୍ନଟ ହୋଇ ଗୋମାତାମାନେ ବାହାରେ ବୁଲୁଥିବା ଫଟୋ ଭାଇରାଲ ହେବା ପରେ ସଂପୃକ୍ତ ଗୋଶାଳା ସୁପ୍ରିମ କୋର୍ଟ ନିଦେ୍ର୍ଦଶକୁ ଅବମାନନା କରୁଥିବା ଅଭିଯୋଗ ହୋଇଛି । ପାରାଦୀପ ସ୍ଥିତ ମା ଶାରଳା ଗୋଶାଳା ପାଇଁ ୨୦୨୧-୨୨ ରେ ୩ ଲକ୍ଷ୨୮ ହଜାର ଓ ୪୧ ହଜାର ୭୬୫ ଟଙ୍କା ଦୁଇଟି କିସ୍ତିରେ ଆର୍ଥୀକ ଅନୁଦାନ ପାଇଥିବା ବେଳେ, ୨୦୨୨-୨୩ବର୍ଷରେ ୬ ଲକ୍ଷ ୭୩ ହଜାର ଟଙ୍କା ଆର୍ଥୀକ ଅନୁଦାନ ପାଇଥିଲେ । ସେହିପରି ୨୦୨୪-୨୫ରେ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ମା ଶାରଳା ଗୋଶାଳା ନାମରେ ୧୩ ଲକ୍ଷ ୩ ଶହ ୮୬ ଟଙ୍କା ସରକାରୀ ତହବିଲରୁ ଯାଇଥିବା ଜିଲ୍ଲା ପ୍ରାଣିଧନ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାଯାଇଛି । ଏହି ଗୋଶାଳାରେ ୧୨୭ ଗୋମାତା ରହୁଥିବା ଦର୍ଶାଇ ସରକାରୀ ତହବିଲକୁ ବ୍ୟାପକ ଅର୍ଥ ହାତେଉଛନ୍ତି ଗୋଶାଳା ଦାୟିତ୍ୱରେ ଥିବା କର୍ମକର୍ତ୍ତା । ମାତ୍ର ବାସ୍ତବରେ ସେହି ସଂଖ୍ୟାରେ ଗୋମାତା ରହୁ ନଥିବା ଜିଲ୍ଲା ପ୍ରାଣିଧନ ଚିକିତ୍ସାଧିକାରୀଙ୍କ ଅଫିସ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲା ପ୍ରାଣିଧନ ଚିକିତ୍ସାଧିକାରୀ ଓ କୁଜଙ୍ଗ ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ ମିଳିତ ଚଢ଼ଉ ସମୟରେ ଗତ ୨୦୨୫ ମାର୍ଚ୍ଚ ୩ ତାରିଖରେ ୧୦୮ ଗାଈ, ମେ ୩୦ ତାରିଖରେ ଶହେ ଗାଈ ଓ ଜୁନ ୭ ତାରିଖ ଚଢ଼ଉ ସମୟରେ ୬୭ ଟି ଗୋମାତା ରହୁଥିବା ଦେଖାଯାଇଥିଲା ।
ନିୟମ ଅନୁସାରେ ଗୋଶାଳାରେ ରହୁଥିବା ଗୋମାତାଙ୍କ ଖାଇବା ପିଇବା ପାଇଁ ସରକାର ବ୍ୟାପକ ଅର୍ଥ ଯୋଗାଇ ଦେଉଥିବା ବେଳେ, ଗୋମାତାମାନେ ଆଉ ବାହାରକୁ ଯିବେ ନାହିଁ କି ରାସ୍ତା ଘାଟରେ ବୁଲିବେ ନାହିଁ । ମାତ୍ର ପାରାଦୀପ ସ୍ଥିତ ସଂପୃକ୍ତ ମା ଶାରଳା ଗୋଶାଳାରେ ରହୁଥିବା ଗୋମାତା ବହୁ ସମୟରେ ବାହାରେ ରାସ୍ତାଘାଟରେ ବୁଲୁଥିବା ଦେଖାଯାଇଛି ।ଏହା ସହିତ ବିଭାଗ ପକ୍ଷରୁ ସଂପୃକ୍ତ ଗୋଶାଳାରେ ଗୋମାତାଙ୍କୁ ନିୟମିତ ଭାବରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଭ୍ୟାକସିନ ଦେବା ସହିତ କାନରେ ଟ୍ୟାଗ କରାଯାଇଥାଏ । ଯାହାଫଳରେ ଗୋମାତା ମାନେ ସୁରକ୍ଷିତ ରହିବା ସହିତ ଚିହ୍ନଟ ହୋଇପାରିବେ । ମାତ୍ର ଉକ୍ତ ମା ଶାରଳା ଗୋଶାଳାରେ ଗୋମାତାଙ୍କ ନାମରେ ବ୍ୟାପକ ଅର୍ଥ ହରିଲୁଟ୍ ହେଉଥିବା ଅଭିଯୋଗ ହେବା ପରେ ତଦନ୍ତ ସମୟରେ ୩ ଥର ଚଢ଼ଉରେ ଭିନ୍ନ ଭିନ୍ନ ସଂଖ୍ୟାରେ ଗୋମାତା ରହୁଥିବା ବିଭାଗ ପକ୍ଷରୁ ଜାଣିବାକୁ ପାଇଥିଲେ । ଗୋଶାଳାକୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତି ଜଣକ ପେଷାରେ ଜଣେ ବୈଦୁ୍ୟତିକ ଗଣମାଧ୍ୟମର ପ୍ରତିନିଧି ହୋଇଥିବାରୁ ସ୍ଥାନୀୟ ଲୋକେ ଭୟରେ କିଛି କହିପାରୁନାହାନ୍ତି । ବହୁ ସମୟରେ ସ୍ଥାନୀୟ ଲୋକେ ଆନେ୍ଦାଳନ ପାଇଁ ସଜବାଜ ହେଉଥିବା ବେଳେ, ସଂପୃକ୍ତ ବ୍ୟକ୍ତି ଜଣକ ଗୋମାତାଙ୍କ ନାମରେ ଦ୍ୱାହି ଦେଇ କାକୁତିମିନତି ହୋଇ ଆନେ୍ଦାଳନକୁ ଭଣ୍ଡୁର କରିଥାନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସଂପୃକ୍ତ ମା ଶାରଳା ଗୋଶାଳାର କାର୍ଯ୍ୟକାରିତା ଉପରେ ଅଧିକ ତଦନ୍ତ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରିଷ୍ଠ ନାଗରିକ ଦାବି କରିଛନ୍ତି । ଏହା ସହିତ ପାରାଦୀପରେ ଏକ କାଞ୍ଜିଆହୁଦା ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି । ଏ ସମ୍ପର୍କରେ କୁଜଙ୍ଗ ପ୍ରାଣୀଧନ ଚିକିତ୍ସାଧିକାରୀ ଜୟ ପ୍ରକାଶ ଭଞ୍ଜଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ଯଦି ଟ୍ୟାଗିଂ ହେବା ପରେ ଗୋଶାଳାରୁ ବାହାରି ଗୋମାତାମାନେ ବାହାରେ ବୁଲାବୁଲି କରିବେ ତେବେ ତାଙ୍କୁ ନୋଟିସ କରାଯିବ । ତା ପରେ ଯଦି ସେମାନେ ବାରମ୍ବାର ଏହା କରିବେ ତେବେ ସଂପୃକ୍ତ ଗୋଶାଳାକୁ ମିଳୁଥିବା ଆର୍ଥୀକ ଅନୁଦାନକୁ ବନ୍ଦ କରାଯିବ ବୋଲି କହିଥିଲେ ।