ଗୋଷ୍ଠୀ ମଧ୍ୟସ୍ଥତା ତାଲିମ ମଡ୍ୟୁଲର ଶୁଭାରମ୍ଭ
ନୂତନ ମଧ୍ୟସ୍ଥତା ଆଇନ ଏହି ପରମ୍ପରାକୁ ଆଗକୁ ବଢ଼ାଉଛି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ସୁପ୍ରିମକୋର୍ଟରେ "ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାର ସୁଦୃଢ଼ୀକରଣ’ ଶୀର୍ଷକ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ମୋଦୀ କହିଥିଲେ, ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥା ଏବଂ ଆଇନଗତ ସେବା ଦିବସ ସହିତ ଜଡିତ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ଦ୍ୱାରା ଭାରତର ନ୍ୟାୟିକ ବ୍ୟବସ୍ଥାକୁ ନୂତନ ଶକ୍ତି ମିଳିବ । "ଯେତେବେଳେ ନ୍ୟାୟ ସମସ୍ତଙ୍କ ପାଇଁ ଉପଲବ୍ଧ ହୁଏ, ସମୟାନୁସାରେ ପ୍ରଦାନ କରାଯାଏ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସେମାନଙ୍କର ସାମାଜିକ କିମ୍ବା ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ଏହା ପହଞ୍ଚିଥାଏ - ସେତେବେଳେ ଏହା ପ୍ରକୃତରେ ସାମାଜିକ ନ୍ୟାୟର ମୂଳଦୁଆ ହୋଇଯାଏ’, ବୋଲି ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ । ଆଇନଗତ ସହାୟତା ଏହିପରି ସୁବିଧା ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଜାତୀୟ ସ୍ତରରୁ ତାଲୁକ ସ୍ତର ପର୍ଯ୍ୟନ୍ତ, ଆଇନଗତ ସେବା କର୍ତ୍ତୃପକ୍ଷ ନ୍ୟାୟପାଳିକା ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରନ୍ତି ବୋଲି ସେ ଉଲ୍ଲେଖ କରିଥିଲେ । ଲୋକ ଅଦାଲତ ଏବଂ ପ୍ରାକ-ମକଦ୍ଦମା ସମାଧାନ ମାଧ୍ୟମରେ ଲକ୍ଷ ଲକ୍ଷ ବିବାଦ ଶୀଘ୍ର, ସୌହାର୍ଦ୍ଦପୂର୍ଣ୍ଣ ଏବଂ କମ ମୂଲ୍ୟରେ ସମାଧାନ କରାଯାଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ ।
ସେ ଉଲ୍ଲେଖ କରିଥିଲେ ଯେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆଇନଗତ ସହାୟତା ପ୍ରତିରକ୍ଷା ପରାମର୍ଶ ବ୍ୟବସ୍ଥା ଅଧୀନରେ ମାତ୍ର ତିନି ବର୍ଷ ମଧ୍ୟରେ ପ୍ରାୟ ୮ ଲକ୍ଷ ଫୌଜଦାରୀ ମାମଲା ସମାଧାନ କରାଯାଇଛି । ଗତ ୧୧ ବର୍ଷ ଧରି ସରକାର ବ୍ୟବସାୟ କରିବାର ସହଜତା ଏବଂ ଜୀବନଧାରଣର ସହଜତା ବୃଦ୍ଧି ଉପରେ ନିରନ୍ତର ଧ୍ୟାନ ଦେଇ ଆସୁଛନ୍ତି ବୋଲି ଶ୍ରୀ ମୋଦୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ, ବ୍ୟବସାୟ ସମ୍ୱନ୍ଧୀୟ ୪୦,୦୦୦ ରୁ ଅଧିକ ଅନାବଶ୍ୟକ ଅନୁପାଳନକୁ ହଟାଇ ଦିଆଯାଇଛି । ଜନ ବିଶ୍ୱାସ ଆଇନ ମାଧ୍ୟମରେ, ୩,୪୦୦ ରୁ ଅଧିକ ଆଇନଗତ ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଇଛି ଏବଂ ୧୫୦୦ ରୁ ଅଧିକ ପୁରୁଣା ଆଇନକୁ ପ୍ରତ୍ୟାହାର କରାଯାଇଛି । ପ୍ରଧାନମନ୍ତ୍ରୀ ଇ-କୋର୍ଟସ୍ ପ୍ରକଳ୍ପକୁ ପ୍ରଯୁକ୍ତି ବିଦ୍ୟା କିପରି ନ୍ୟାୟିକ ପ୍ରକ୍ରିୟାକୁ ଆଧୁନିକୀକରଣ ଏବଂ ମାନବୀୟ କରିପାରିବ ତାହାର ଏକ ଉଲ୍ଲେଖନୀୟ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ । ଇ-ଫାଇଲିଂ ଠାରୁ ଇଲେକ୍ଟ୍ରୋନିକ୍ ସମନ୍ ସେବା, ଆଭାଷୀ ରୂପରେ ଶୁଣାଣି ଠାରୁ ଭିଡିଓ କନଫରେନ୍ସିଂ ପର୍ଯ୍ୟନ୍ତ ପ୍ରସଙ୍ଗ ଉପରେ ସେ କହିଥିଲେ ଯେ ପ୍ରଯୁକ୍ତି ବିଦ୍ୟା ସବୁକିଛି ସରଳ କରିଛି ଏବଂ ନ୍ୟାୟ ପାଇବାକୁ ସହଜ କରିଛି । ସେ ସୂଚନା ଦେଇଥିଲେ ଯେ ଇ-କୋର୍ଟସ୍ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ପାଇଁ ବଜେଟ୍ ୭,୦୦୦ କୋଟି ଟଙ୍କାରୁ ଅଧିକ ବୃଦ୍ଧି କରାଯାଇଛି, ଯାହା ଏହି ପଦକ୍ଷେପ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।