ଫେରିବାକୁ ଚାହେଁ ଏହି ପୃଥିବୀକୁ 

ଫେରିବାକୁ ଚାହେଁ ଏହି ପୃଥିବୀକୁ 

      ଓଡ଼ିଆ କବିତାର ସେ ଗୋଟେ ଶୈଳୀର ସ୍ରଷ୍ଟା । ରାଜେନ୍ଦ୍ରଙ୍କ କବିତାକୁ ପଢ଼ିଦେଲେ ସେ କବିତାର ଶିରୋନାମ ନଥିଲେ ମଧ୍ୟ ଜାଣି ହୋଇଯିବ ତାହା ରାଜେନ୍ଦ୍ରଙ୍କ କବିତା । ଏହା ହେଉଛି ରାଜେନ୍ଦ୍ରଙ୍କ ଶୈଳୀ, ବୈଚିତ୍ର୍ୟ ଓ ଅନୁଭବ। ଶବ୍ଦର ପୌରୁଷ ପାଇଁ ତଥା ଆଧୁନିକ କବିତାରେ ନୂଆ ଶବ୍ଦ ଗଢ଼ୁଥିବା ଏହି ପ୍ରଥିତଯଶା କବିଙ୍କ ସ୍ଥାନ ନିଶ୍ଚିନ୍ତ ଅପୂରଣୀୟ ରହିବ ।

  ବାଦଲ ଭୂୟାଁ : ପ୍ରଥିତଯଶା, ଶୈଳୀ, ଶବ୍ଦ ଚୟନ, ଅନନ୍ୟ, ଦକ୍ଷତାର ସ୍ଥପତି, ଶବ୍ଦର ନବରୂପାୟନ ଏପରି ଅନେକ ବିଭୂଷଣରେ ବିମଣ୍ଡିତ ପ୍ରେମ ଓ ବିଦ୍ରୋହର କବି ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି । ଏକଦା ନିଜ କବିତାରେ ଏହାକୁ ସେ ତାଙ୍କ ଭାଷାରେ ହିଁ ଲେଖିଥିଲେ "ମୃତ୍ୟୁ ଥାଉ କି ଅମରତ୍ୱ ଥାଉ ସେଇଠି, ଶିଖର ମାତ୍ରେ ଇ ଆରୋହ୍ୟ ।' ସତେ ଯେପରି ଜୀବନଟା ତାଙ୍କ ଦୃଷ୍ଟିରେ ଥିଲା ଏକ ଅସରନ୍ତି ଯାତ୍ରା । ସାରା ଜୀବନ ଅନେକ ନୂଆ ଉଦୀୟମାନ ତରୁଣ କବିଙ୍କୁ ପ୍ରେରଣା ଉତ୍ସାହ ଯୋଗାଇ ସେମାନଙ୍କ ପୃଷ୍ଠପୋଷକ ସାଜିଥିବା ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ମହାପ୍ରୟାଣ କହିବାକୁ ଗଲେ ଓଡ଼ିଆ କବିତା ନିଜର ଜଣେ ଅତିପ୍ରିୟ ମରମୀ ମଣିଷଙ୍କୁ ହରାଇଛି । ତାଙ୍କ ପାଠକୀୟ ଦୃଷ୍ଟିଭଙ୍ଗୀ ଓ ପ୍ରିୟତା ଏପରି ଏକ ବିବିଧ କ୍ଷେତ୍ରରେ ତିଆରି ଥିଲା ଯେ ସେ ଯେତିକି ଶବ୍ଦ ଓ ଉଚ୍ଚାରଣର କବି ସମାନ ଭାବରେ ନୀରବତା ଓ ଗାମ୍ଭୀର୍ଯ୍ୟ ଥିଲା ତାଙ୍କ ଅତୁଳନୀୟ ଲେଖନୀର ଚମକ୍ରାର ପରିପ୍ରକାଶ । 

    ୧୯୪୪ ଜୁନ ୨୪ ତାରିଖରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବତଲଗାରେ କବି ରାଜେନ୍ଦ୍ର ପଣ୍ଡା ଜନ୍ମ ଗ୍ରହଣ କରିଥିଲେ । ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ୧୯୬୭ ଜୁଲାଇ ୧୪ରୁ ୨୦୦୪ ଜୁନ ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ମୁଖ୍ୟ ଶାସନ ସଚିବ ପାହ୍ୟାରେ ଓଡ଼ିଶା ରାଜସ୍ୱ ପର୍ଷଦ ସଦସ୍ୟ ଭାବରେ ସେ ଅବସର ନେଇଥିଲେ । କିନ୍ତୁ ଜଣେ ପ୍ରଥିତଯଶା କବି ଭାବରେ ସେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ । ତାଙ୍କର କବିତା ଗ୍ରନ୍ଥ "ଶୈଳକଳ୍ପ' ପାଇଁ ୧୯୮୫ରେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ଲାଭ କରିଥିଲେ । ୧୬ଟି କବିତା ଗ୍ରନ୍ଥ ସହିତ ୨ଟି ଉପନ୍ୟାସର ସେ ରଚୟିତା । ଓଡିଆ ସାହିତ୍ୟ ବାଣୀ ଭଣ୍ଡାରକୁ ଅତୁଳନୀୟ ଅବଦାନ ପାଇଁ ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ପୁରସ୍କାରଠୁ ନେଇ କୁଭେମ୍ପୁ ରାଷ୍ଟ୍ରୀୟ ପୁରସ୍କାର ପର୍ଯ୍ୟନ୍ତ ଅନେକ ସମ୍ମାନ, ପୁରସ୍କାରରେ ପୁରସ୍କୃତ, ସମ୍ମାନିତ ଓ ପ୍ରଶଂସିତ ହୋଇଥିଲେ ଆଇଏଏସ ରାଜେନ୍ଦ୍ର ପଣ୍ଡା । ତାଙ୍କ ଅବଦାନକୁ ସମ୍ମାନ ଜଣାଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜ୍ୟପାଳ ତାଙ୍କୁ ଡିଲିଟ ଉପାଧିରେ ବିଭୂଷିତ କରିଥିଲେ । ରାଜେନ୍ଦ୍ରଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ ରହିଛି, "ଗୌଣ ଦେତା', "ଶତଦ୍ରୁ ଅନେକ', "ଅନବତାର ଓ ଅନ୍ୟ ଅନ୍ୟ', "ଘୃଣାକ୍ଷର', "ନିଜ ପାଇଁ ନାନାବାୟା', "ଚୌକାଠରେ ଚିରକାଳ', "ଶୈଳକଳ୍ପ' (୧୯୮୨ରେ ପ୍ରକାଶିତ ଓ ୧୯୮୫ରେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ), "ବହ୍ୱାରମ୍ଭ', "ଦ୍ରୋହବାକ୍ୟ', "ବୈରାଗୀ ଭ୍ରମର', "ଅନ୍ୟା' (୧୯୮୮, ଶାରଳା ପୁରସ୍କାର ଓ ଭାରତୀୟ ଭାଷା ପରିଷଦର ସମ୍ମାନପ୍ରାପ୍ତ), "ଈଶଖେଳ', "ସତ୍ୟୋତ୍ତର', "ବୋଧିନଭ', "ବହୁବ୍ରୀହି' (କାବ୍ୟ କବିତା) ଏବଂ "ବିଦାଭାସ' (ଉପନ୍ୟାସ) ।

    ସମ୍ବଲପୁର ଜିଲ୍ଲା ସ୍କୁଲରେ ଅଷ୍ଟମ ନବମ ଶ୍ରେଣୀରେ ପଢ଼ିବାବେଳ ଠାରୁ ବିଧିବଦ୍ଧ ଭାବେ ତାଙ୍କର କବିତା ଲେଖା ଆରମ୍ଭ ହୋଇ ସାରିଥିଲା । କବିତା ଲେଖି ସେ ବିଭିନ୍ନ ପତ୍ରପତ୍ରିକାକୁ ପଠାଉଥିଲେ । ନବମ ଶ୍ରେଣୀରେ ପଢ଼ିବା ସମୟରେ ତାଙ୍କର ଏକ କବିତା "ଲାଜମୟୀ' ପ୍ରକାଶିତ ହୋଇଥିଲା କୋଲକାତାର "ସିନେମା' ପତ୍ରିକାରେ ଯାହାକୁ ପ୍ରକୃତରେ ସେ "ଆସନ୍ତାକାଲି' ପତ୍ରିକାକୁ ପଠାଇଥିଲେ । ଉଭୟ ପତ୍ରିକାର ସମ୍ପାଦକ ଥିଲେ ସମାନ ବ୍ୟକ୍ତି, ସେ କବିତାଟିକୁ "ଆସନ୍ତାକାଲି' ବଦଳରେ "ସିନେମା'ରେ ପ୍ରକାଶ କରି ଦେଇଥିଲେ । ତେବେ ସେଇ ପ୍ରଥମ କବିତାର ମୁଦ୍ରିତ ରୂପକୁ ଦେଖିବାର ସୁଯୋଗ ସ୍ୱୟଂ କବି ପାଇନଥିଲେ । ତେଣୁ ୧୯୫୯ରେ "ବୈଜୟନ୍ତୀ'ରେ ପ୍ରକାଶିତ "ଶେଷ ରାତ୍ରି'କୁ ସେ ନିଜର ପ୍ରଥମ ମୁଦ୍ରିତ କବିତାର ମାନ୍ୟତା ଦେଉଥିଲେ । ୧୯୬୩ ମସିହାରେ ଗଙ୍ଗାଧର ମେହେର କଲେଜରେ ବିଏର ଛାତ୍ର ଥିବାବେଳେ ଛାତ୍ରବୃତ୍ତି ଅର୍ଥ ବିନିଯୋଗରେ ନିଜର ପ୍ରଥମ କବିତା ସଂକଳନ "ସସେମିରା' ପ୍ରକାଶ କରିବା ଲାଗି ସେ ଉଦ୍ୟମ କରିଥିଲେ । କିନ୍ତୁ ଅର୍ଥ ଶ୍ରାଦ୍ଧ ହେଲା ସିନା ପ୍ରେସ୍‌ ମ୍ୟାନେଜର କୁଆଡେ଼ ଉଭାନ ହୋଇଗଲେ ।

      ତେଣୁ କବିଙ୍କର ପ୍ରଥମ କବିତା ସଂକଳନ ଭାବେ ପ୍ରକାଶିତ ହୋଇଥିଲା "ଗୌଣ ଦେବତା' ୧୯୭୪-୭୫ ମସିହାରେ । ସରଳ, ହସହସ ଭାବର ଅନ୍ତରାଳରେ ଲୁଚି ରହିଥିଲା ବୋଧେ ଗଭୀର ଅସନ୍ତୋଷ । ନୂତନ ପିଢ଼ିକୁ ଗଢ଼ିବା, ସାହିତ୍ୟ ଓ ସଂସ୍କୃତିକୁ ନୂତନ ସ୍ତରକୁ ବଢ଼ାଇବା ଦିଗରେ, ପ୍ରାଶାସନିକ ଜୀବନ ଓ ପରବର୍ତ୍ତୀ କାଳରେ ଅବ୍ୟାହତ ଥିଲା ତାଙ୍କ ଉଦ୍ୟମ । ସୁନିର୍ଦ୍ଦିଷ୍ଟ ଭାବରେ ବର୍ଣ୍ଣମାଳା ମାଧ୍ୟମରେ ଓଡ଼ିଆ କବି ଓ କବିତାକୁ ସମସ୍ତଙ୍କ ପାଖରେ ପ୍ରତିଷ୍ଠିତ କରାଇବା ଦିଗରେ ତାଙ୍କ ଅବଦାନ ଚିର ସ୍ମରଣୀୟ।ଓଡ଼ିଆ କବିତାର ସେ ଗୋଟେ ଶୈଳୀର ସ୍ରଷ୍ଟା । ରାଜେନ୍ଦ୍ରଙ୍କ କବିତାକୁ ପଢ଼ିଦେଲେ ସେ କବିତାର ଶିରୋନାମ ନଥିଲେ ମଧ୍ୟ ଜାଣି ହୋଇଯିବ ତାହା ରାଜେନ୍ଦ୍ରଙ୍କ କବିତା । ଏହା ହେଉଛି ରାଜେନ୍ଦ୍ରଙ୍କ ଶୈଳୀ, ବୈଚିତ୍ର୍ୟ ଓ ଅନୁଭବ । ଶବ୍ଦର ପୌରୁଷ ପାଇଁ ତଥା ଆଧୁନିକ କବିତାରେ ନୂଆ ଶବ୍ଦ ଗଢ଼ୁଥିବା ଏହି ପ୍ରଥିତଯଶା କବିଙ୍କ ସ୍ଥାନ ନିଶ୍ଚିନ୍ତ ଅପୂରଣୀୟ ରହିବ । ସ୍ୱୟଂ ନିଜ ଭାବନାରେ ସେ ଏକଦା ଲେଖିଥିଲେ - "ମନେହୁଏ ମୋକ୍ଷ ବା ନିର୍ବାଣ କଳ୍ପନା ମାତ୍ର, ପୁନର୍ଜନ୍ମ ଥାଏ କି ନଥାଏ ମୁଁ ଜାଣେନା, ଯଦି ଥାଏ ମୁଁ ନିଶ୍ଚୟ ଫେରିବାକୁ ଚାହେଁ ଏହି ପୃଥିବୀକୁ, ବାର ବାର, ଏବେ ବି......' । 

ମୋ: ୭୪୮୮୯୯୮୫୩୨