ଆଇପିଏଲ୍ ପ୍ରଥମ କ୍ୱାଲିଫାୟର୍: ଫାଇନାଲରେ ବେଙ୍ଗାଲୁର
ଚଣ୍ଡୀଗଡ଼ : ୨୦୨୫ ଆଇପିଏଲ୍ର ଆଜି ଥିଲା ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ । ପଞ୍ଜାବ ଓ ବେଙ୍ଗାଲୁରୁ ମଧ୍ୟରେ ହୋଇଥିବା ଲଢ଼େଇରେ ଆଜି ବେଙ୍ଗାଲୁରୁ ୮ ୱିକେଟ୍ ବ୍ୟବଧାନରେ ୧୦୬ ରନ୍ କରି ସହଜରେ ବିଜୟ ହାସଲ କରିଛି । ଏହି ବିଜୟ ସହ ବେଙ୍ଗାଲୁରୁ ପ୍ରଥମ ଟିମ୍ ଭାବେ ଚଳିତ ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ ଏହାକୁ ମିଶାଇ ୪ର୍ଥ ଥର ପାଇଁ ଆର୍ସିବି ଫାଇନାଲ୍କୁ ଚୟନ ହୋଇଛି । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ମାତ୍ର ୧୪.୧ ଓଭରରେ ୧୦୧ ରନ୍ କରି ଅଲଆଉଟ୍ ହୋଇଥିଲା । ଜବାବରେ ଆରସିବି ମାତ୍ର ୨ ୱିକେଟ୍ ହରାଇ ୧୦ ଓଭରରେ ମ୍ୟାଚ୍ ଜିତି ନେଇଛି ।
ବୋଲରଙ୍କ ଘାତକ ବୋଲିଂ ସହ ଫିଲିପ ସଲ୍ଟଙ୍କ ଧୂଆଁଧାର ଅର୍ଦ୍ଧଶତକ ବେଙ୍ଗାଲୁରୁ ଆଜି ଶୀର୍ଷରେ ପହଞ୍ଚାଇଛି । ତେବେ ୧୦୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ବେଙ୍ଗାଲୁରୁକୁ ୩୦ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା । ବିରାଟ କୋହଲି ୧୨ ରନ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ଫିଲିପ୍ ସଲ୍ଟ ଧୂଆଁଧାର ବ୍ୟାଟିଂ ଦଳକୁ ବିଜୟର ଆଶା ଦେଇଥିଲା । ମୟଙ୍କ ଅଗ୍ରୱାଲ ୧୯ ରନ କରି ପାଭିଲିୟନ ଫେରିଥିଲେ । ବିଜୟରେ ବାକି ଔପଚାରିକତା ସଲ୍ଟ ଓ ଅଧିନାୟକ ରଜତ ପାଟିଦାର ପୂରା କରିଥିଲେ । ସଲ୍ଟ ୨୭ ବଲରୁ ୬ ଚୌକା ଓ ୩ ଛକା ସହ ୫୬ ରନ ଓ ରଜତ ପାଟିଦାର ୮ ବଲରୁ ୧୫ ରନ କରି ଅପରାଜିତ ଥିଲେ ।
ସେପଟେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପ୍ରଥମ କ୍ୱାଲିଫାୟର ମ୍ୟାଚ୍ରେ ଦଳର ସ୍ଥିତିକୁ ସହଜରେ ଗ୍ରହଣ କରିପାରୁନି । ଦଳ ଆରମ୍ଭରୁ ନିୟମିତ ୱିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ପଞ୍ଜାବର କେବଳ ୩ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିଥିଲେ । ମାର୍କସ ଷ୍ଟୋଇନିସ ୨୬ ରନ, ପ୍ରଭସିମରନ ସିଂ ୧୮ ରନ ଓ ଅଜମତୁଲ୍ଲା ଉମରଜାଇ ୧୮ ରନ କରି ପାରିଥିଲେ । ଅଧିନାୟକ ଶ୍ରେୟସ ଆୟର ୨ ରନ କରି ଦଳକୁ ନିରାଶ କରିଥିଲେ । ପ୍ରିୟାଂଶ ଆର୍ଯ୍ୟ ୭ ରନ, ଜୋଶ ଇଙ୍ଗ୍ଲିସ ୪ ରନ, ନେହଲ ୱଧେରା ୮ ରନ ଓ ଶଶାଙ୍କ ସିଂଙ୍କ ପରି ବ୍ୟାଟର ୩ ରନ କରିଥିଲେ । ଶେଷରେ ପଞ୍ଜାବ ୧୪.୧ ଓଭରରେ ୧୦୧ ରନରେ ଅଲଆଉଟ୍ ହୋଇଥିଲା ।