ଶିଶୁଙ୍କ ସ୍ଥିତି ଉଦ୍ବେଗଜନକ


ଶିଶୁମାନଙ୍କୁ ସମାଜରେ ନିଷ୍ପାପ ଫୁଲକଢ଼ି ବୋଲି ବର୍ଣ୍ଣନା କରାଯାଏ । ସେମାନଙ୍କ ହୃଦୟରେ କପଟତା ନଥାଏ କିମ୍ବା ବୟସ୍କମାନଙ୍କ ଭଳି ଅନେକ ଦୁର୍ଗୁଣ ମନକୁ ଛୁଇଁ ନଥାଏ । ଏହା ସତ୍ତ୍ୱେ ଶିଶୁ ବୋଲି କୁହାଯାଉଥିବା ନିଷ୍ପାପ, ନିଷ୍କଳଙ୍କ ବୟସରେ ବହି ବସ୍ତାନି ଧରି ସ୍କୁଲ୍ ଯିବା ବୟସରେ ସେମାନେ ଅପରାଧ କରୁଛନ୍ତି ଏବଂ ଆଇନ୍ର ଜାଲରେ ଛନ୍ଦି ହୋଇ କେତେବେଳେ ସୁଧାର ଗୃହ ତ ଆଉ କେତେବେଳେ ବାଳ ଅପରାଧୀ କୋର୍ଟ୍ରେ ସମୟ ବିତାଉଛନ୍ତି । ଗତ ପ୍ରାୟ ୩ ବର୍ଷ ହେଲା ରାଜ୍ୟର ବିଭିନ୍ନ ସହରରେ ଏପରିକି ଗ୍ରାମାଞ୍ଚଳରେ ମଧ୍ୟ ହତ୍ୟା, ଦୁଷ୍କର୍ମ, ଅପହରଣ, ନିଶା କାରବାର, ଚୋରି ଲୁଟ୍, ଡ଼କାୟତି ଭଳି ଅପରାଧଗୁଡ଼ିକରେ ସମ୍ପୃକ୍ତ ହୋଇପଡୁଛନ୍ତି । ୧୮ ବର୍ଷରୁ କମ୍ ବୟସ ହୋଇଥିବାରୁ ଏଭଳି ଜଘନ୍ୟ ଅପରାଧଗୁଡ଼ିକରେ ସେମାନଙ୍କୁ ବୟସ୍କ ଭଳି ଦଣ୍ଡ ଦିଆଯାଇପାରୁନାହିଁ । ଗତ ୩ ବର୍ଷ ମଧ୍ୟରେ କେବଳ କଟକ- ଭୁବନେଶ୍ୱର ମହାନଗର ନିଗମରେ ୩୬୧ଟି ମାମଲାରେ ୫୦୪ ଜଣ ବାଳ ଅପରାଧୀ ସଂପୃକ୍ତ ଥିବା ରେକର୍ଡ୍ କରାଗଲାଣି । କେବଳ ଯେ ପୁଅ ପିଲା ଅଛନ୍ତି ତାହା ନୁହେଁ, ୧୨ ଜଣ ନାବାଳିକା ମଧ୍ୟ ଏଭଳି ଅପରାଧ ଘଟାଇ ବିଚାର ବିଭାଗୀୟ ହେପାଜତ୍ରେ ଅଛନ୍ତି । ୩୪୫ ଜଣଙ୍କୁ ବାଳ ସୁଧାର ଗୃହରେ ରଖାଯାଇଛି । ଗୋଟିଏ ପକ୍ଷରେ ଶିଶୁ ଅପହରଣ, ଶିଶୁମାନଙ୍କ ଉପରେ ଗଣଦୁଷ୍କର୍ମ ଭଳି ଘଟଣା ବଢ଼ି ବଢ଼ି ଚାଲିଥିବା ବେଳେ ୧୮ ବର୍ଷ ବୟସରୁ କମ୍ ବୟସର ଶିଶୁମାନେ ଗଣଦୁଷ୍କର୍ମ କରିବା ଭଳି ଘଟଣା ଘଟୁଛି । ଏହା ବର୍ତ୍ତମାନ ପୁଲିସ୍ ବିଭାଗ ପାଇଁ ଯେଉଁଭଳି ଚିନ୍ତା ବଢ଼ାଇ ଦେଇଛି ସମାଜ ବିଜ୍ଞାନୀ ଏବଂ ସଚେତନ ନାଗରିକମାନଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିିଛି । ଉଭୟ କଟକ ଏବଂ ଭୁବନେଶ୍ୱରରେ ବାଳ ଅପରାଧୀମାନଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ଏମାନେ ଯେ ସ୍ୱତଃପ୍ରବୃତ୍ତ ଭାବରେ ଅପରାଧ ଘଟାଉଛନ୍ତି ତାହା ନୁହେଁ ଅନେକ କ୍ଷେତ୍ରରେ ବୟସ୍କମାନେ ଏମାନଙ୍କୁ ଏ ପ୍ରକାରର ଅପରାଧ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି କିମ୍ବା ଅପରାଧ ଘଟାଇବା ପାଇଁ ଯୋଜନା କରିବା ସମୟରେ ଏମାନଙ୍କୁ ସାଙ୍ଗରେ ନେଇ ଯାଉଛନ୍ତି । କିଛି ପେଶାଦାର୍ ଅପରାଧୀ ଚୋରି, ଡ଼କାୟତି ଆଦି କରି ଏଥରୁ ମିଳୁଥିବା ଜିନିଷ, ଅର୍ଥକୁ ନିର୍ବିଘ୍ନରେ ନିରାପଦ ସ୍ଥାନରେ ପହଞ୍ଚାଇବା ପାଇଁ ୧୮ ବର୍ଷରୁ କମ୍ ବୟସର ଶିଶୁଙ୍କୁ ନିଯୁକ୍ତ କରୁଛନ୍ତି । 
କାରଣ ସେମାନେ ଭଲ ଭାବରେ ଜାଣିଛନ୍ତି ଯେ ଶିଶୁର ସଂଜ୍ଞା ଭିତରେ ଥିବା ବ୍ୟକ୍ତିମାନଙ୍କୁ ଅପରାଧରେ ସଂପୃକ୍ତ କରିଲେ ଆଇନ୍ ସେମାନଙ୍କର କିଛି କରିପାରିବ ନାହିଁ; ବରଂ ଧରାନପଡ଼ିଲେ ଚୋରି ଜିନିଷ ନିରାପଦରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିପାରିବ । ଏବେ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଯାଜାବର ଶ୍ରେଣୀର ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଏହି ଯାଯାବରମାନେ ଛୋଟ ଛୋଟ ଶିଶୁମାନଙ୍କୁ ବିଭିନ୍ନ ପ୍ରକାରର ଅପରାଧରେ ସଂପୃକ୍ତ କରୁଛନ୍ତି । ନିଜେ ଚୋରି କରି ଚୋରି ପଦାର୍ଥ, ଟଙ୍କା, ସୁନା ଆଦିକୁ ଛୋଟ ଶିଶୁମାନଙ୍କ ମାଧ୍ୟମରେ ଅନ୍ୟ ସ୍ଥାନକୁ ପଠାଇ ଦେଉଛନ୍ତି । ଏହା ଫଳରେ ଏମାନେ ଧରାପଡ଼ିଗଲେ ମଧ୍ୟ ଲୋକେ ତାଙ୍କୁ ମାର୍ପିଟ୍ କରିପାରୁନାହାନ୍ତି, ପୁଲିସ୍ କିଛି କରିପାରୁନାହିଁ ଏବଂ ଏମାନଙ୍କ ନିକଟରୁ ଚୋରି ପଦାର୍ଥ ମିଳିପାରୁନାହିଁ । ଦେଖିବାକୁ ଗଲେ କିଛି ପେଶାଦାର୍ ଅପରାଧୀ ବର୍ତ୍ତମାନ ଶିଶୁମାନଙ୍କୁ ସେମାନଙ୍କ ବଡ଼ ବଡ଼ ଅପରାଧରେ ମୋହରା ସଜାଇ ନିରାପଦରେ ଆଇନ୍ ଆଖିରୁ ଖସିଯିବା ପାଇଁ ବ୍ୟବହାର କରୁଛନ୍ତି । ଗତ ୩ ବର୍ଷରେ ଧରାଡ଼ିଥିବା ସଂଖ୍ୟା ତ ଏତିକି । ଆଉ ଧରାପଡିନଥିବା ସଂଖ୍ୟା କେତେଯେ ହେବ ତାହା କହିବା ଅସମ୍ଭବ । ବର୍ତ୍ତମାନ ସମୟରେ ସମାଜରେ ଅପରାଧ ଯେଭଳି ବଢ଼ି ବଢ଼ି ଚାଲିଛି ଅପରାଧୀମାନେ ସେହି ତୁଳନାରେ ଆଇନ୍ ଆଖିରୁ ଖସିଯିବା ପାଇଁ ନୂଆ ନୂଆ ଉପାୟ ସବୁ ବାହାର କରୁଛନ୍ତି । ଏହିସବୁ ନୂଆ ଉପାୟ ମଧ୍ୟରୁ ଶିଶୁମାନଙ୍କୁ ଅପରାଧରେ ନିଯୁକ୍ତ କରିବା ଯେଭଳି ଚିନ୍ତାଜନକ ସେହିଭଳି ଭାବରେ ଆଉ ଏକ ଗୁରୁତର ଅପରାଧ ।