ଚଳଚଞ୍ଚଳ ଅଷ୍ଟଚଣ୍ଡୀ ପୀଠ

  ସୋନପୁର:  ଯନ୍ତ୍ର, ତନ୍ତ୍ର, ମନ୍ତ୍ର ପ୍ରସିଦ୍ଧ ସୋନପୁର ସହର ଏବେ ଉତ୍ସବ ମୁଖରିତ । ଚୌହାଣମାନଙ୍କ ଦ୍ୱାରା ନିର୍ମିତ ଶକ୍ତି ପୀଠ, ଶୈବ ପୀଠ, ବୈଷ୍ଣବ ପୀଠ ନେଇ ଶ୍ରଦ୍ଧାଳୁମାନେ ଆକର୍ଷଣ ରହିଥାଏ । ଅଶ୍ୱିନ ମାସ ମହାଳୟା ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ବଳି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏବେ ଅଷ୍ଟଶକ୍ତି ପୀଠ ଚଳଚଞ୍ଚଳ ହୋଇ ଉଠିଛି । ଶିଳାଲେଖର ବର୍ଣ୍ଣିତ ଅଷ୍ଟଚଣ୍ଡୀ ହେଲେ ଖମ୍ବେଶ୍ୱରୀ, ସୁଶେଶ୍ୱରୀ, ସମଲେଶ୍ୱରୀ, ଭଗବତୀ, ଦଶମତୀ, ନାରାୟଣୀ, ରାମଚଣ୍ଡୀ ଓ ବିମଳାକ୍ଷୀ । ଅଶ୍ୱିନୀ ମାସ ହେଲେ ଅଷ୍ଟଚଣ୍ଡୀ ମନ୍ଦିରମାନଙ୍କ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ ହୋଇଥାଏ । ସମ୍ବଲପୁର, ବଲାଙ୍ଗିର, ବୌଦ୍ଧ ପଡୋଶୀ ଜିଲ୍ଲା ସହ ସୁବର୍ଣ୍ଣପୁର ଜିଲ୍ଲାର ଆଖପାଖ ଅଞ୍ଚଳ ଭକ୍ତମାନେ ମା'ଙ୍କ ଦର୍ଶନ କରିବା ପାଇଁ ଆସିଥାନ୍ତି । ଏହି ସମସ୍ତ ଅଷ୍ଟଚଣ୍ଡୀ ମନ୍ଦିର ନିଜର କିମ୍ବଦନ୍ତୀ ଧରି ଦଣ୍ଡାୟମାନ ହେଉଛନ୍ତି ।  ସୁରେଶ୍ୱରୀ  ମନ୍ଦିରର ପୂର୍ବ ଭାଗରେ ଅଷ୍ଟ ଭୁଜ ଗଣେଶ, ପଶ୍ଚିମରେ ଚତୁର୍ଭୁଜା ବଗଳା, ଉତ୍ତରରେ ଶିବମୂର୍ତ୍ତି ଓ ଦକ୍ଷିଣରେ ଦଶଭୁଜା ଦୁର୍ଗା ପାର୍ଶ୍ୱଦେବତା ଭାବରେ ପୂଜା ପାଉଛନ୍ତି । ତା’ଛଡା ମୁଖଶାଳା ମଣ୍ଡପ ଗାତ୍ରରେ ଦଶମହାବିଦ୍ୟା ଶୋଭା ପାଉଛନ୍ତି । ପ୍ରତିଦିନ ପଞ୍ଚମକାରରେ ଚାମୁଣ୍ଡା ମନ୍ତ୍ରରେ ଦେବୀ ସୁରେଶ୍ୱରୀ ପୂଜା କରାଯାଏ । ତା’ଛଡା ଶିମୁଳ ଗଛ ମୂଳେ ଖଉଳେଶ୍ୱରୀ ପ୍ରତିଷ୍ଠିତ ହୋଇଥିବାବେଳେ ଶାହାଡ଼ାଗଛ ମୂଳେ ତାରା, ନୃସିଂହ ଆଦି ପ୍ରାଚୀନ ମୂର୍ତ୍ତି ଅବସ୍ଥାନ କରିଛନ୍ତି । ଅଜସ୍ର ଅଶ୍ୱବଳୀ ଯୋଗୁଁ ଏହି ଖଉଳଗାଡ ଗାତର ମାଟି ବିଷାକ୍ତ ହୋଇଯାଇଛି । ଯାହା ଛୁଇଁଲେ ତଡିତ ବେଗରେ ଦେହରେ ଶିହରଣ ସୃଷ୍ଟି ହୁଏ । ପ୍ରସିଦ୍ଧ ବଳିଯାତ୍ରା ଉପଲକ୍ଷେ ବରୁଆ ଦେହରେ ଦୈବୀ ଶକ୍ତିର ଆବିର୍ଭାବ ନିମନ୍ତେ ଏହି ଖଉଳ ମାଟି ବ୍ୟବହାର କରାଯାଏ । ଆଶ୍ୱିନ ଚତୁର୍ଥୀ ରାତ୍ରିରେ ଡାଙ୍ଗୁଆ ବଳି ଏହି ଗାତରୁ ମାଟି କାଢେ । ଏହି ମୃତ୍ତିକା ରଙ୍ଗ ରକ୍ତ ରଙ୍ଗ ହେଲେ ଅନେକ ଲୋକ କ୍ଷୟ ହୁଅନ୍ତି ଏବଂ କୃଷ୍ଣ ମୃତ୍ତିକା ଦେଖାଗଲେ ବିଶେଷ ଗୃହଦାହ ହୁଏ ଓ ଏହି ଖଉଳ ଗାତର ପବିତ୍ରତା ନଷ୍ଟ ହେଉଛି ବୋଲି ସ୍ଥାନୀୟ ଐତିହାସିକ ଅଭିଯୋଗ କରୁଛନ୍ତି ।  ଅନ୍ୟ ଅଞ୍ଚଳ ଆସୁଥିବା ଭକ୍ତମାନେ ଖାଉଳ ଗାତ ଗୁରୁତ୍ୱ ଦେଉନାହାନ୍ତି । ଏହା ଆଗରେ ଚଳା ପଥକୁ ଦୁଇ ପାର୍ଶ୍ୱରୁ ବନ୍ଦ କରାଯାଉ । ଏହି ଖାଉଳଗାତର ଗାମ୍ଭୀର୍ଯ୍ୟ ପାଇଁ ଆଗରେ ଏହାର ବିଷୟବସ୍ତୁ ନେଇ ଆଲେଖ୍ୟ ପ୍ରକାଶ କରାଯାଉ ବୋଲି ଜିଲ୍ଲା ପ୍ରଶାସନ ପାଖରେ ସାଧାରଣର ଦାବି କରାଯାଉଛି । ତେବେ ଦଶହରା ଦିନ ସୁରେଶ୍ୱରୀ ମନ୍ଦିରରେ ମହାବଳୀର ଚୂଳ ବନ୍ଧନ କରାଯିବ । ସୁରେଶ୍ୱରୀ, ଖମ୍ବେଶ୍ୱରୀ ଓ ଭଗବତୀ ଯଥାକ୍ରମେ ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ ରୂପେ ପୂଜା ପାଇଥାନ୍ତି । ଏହି ଅଷ୍ଟଚଣ୍ଡୀ ମନ୍ଦିର ବ୍ୟତୀତ ବୁଢୀ ସମଲୋଇ, ବୁଢୀମା ସହ ଉଲୁଣ୍ଡା  ବ୍ଲକର ମେଟାକାନି ଓ ରାମ ଚଣ୍ଡୀ ମନ୍ଦିରରେ ଶାକ୍ତ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳୁଛି ।