ଚିତାଲାଗି ଅମାବାସ୍ୟା ପାଳିତ

 କୋକସରା :  କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକର ବିଭିନ୍ନ ଗାଁରେ ଭିନ୍ନ ଭିନ୍ନ ରୀତିନୀତି ଅନୁଯାୟୀ ଚିତାଲାଗି ଅମାବାସ୍ୟା ପାଳିତ ହୋଇଯାଇଛି । ଏହି ଚିତାଲାଗି ଅମାବାସ୍ୟା ଉଁଆସ ପର୍ବ ପାଳନ କରିବା ପୂର୍ବରୁ ଗ୍ରାମର ଦେବାଦେବୀଙ୍କୁ ନେଇ ବୋଲେନ ଯାତ୍ରା ପାଳିତ ହୋଇଥାଏ । ଏହି ଯାତ୍ରା ଗାଁ ମୁଣ୍ଡରେ କରାଯାଉଥିବାବେଳେ ଏହି ଯାତ୍ରା କଲେ ଗ୍ରାମରୁ ସବୁ ରୋଗବ୍ୟାଧି ଦୁରେଇ ଯାଏ ବୋଲି ବିଶ୍ୱାସ ରହିଛି । ବୋଲେନ ଯାତ୍ରା ପରେ ଶ୍ରାବଣ ମାସର କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଅଞ୍ଚଳର ସମସ୍ତ ଚାଷୀ କଞ୍ଚା କ୍ଷୀର, ଅରୁଆ ଚାଉଳ, ଧୂପଦୀପ ସହ ବିଭିନ୍ନ ବୁଦା ନୈବେଦ୍ୟ ଧରି ନିଜ ନିଜ ଚାଷ ଜମିକୁ ଯାଇ ନିଜର ମାଟି ଦେବାକୁ ପୂଜା କରି ଭଲ ଫସଲ ହେବା ସହିତ ରୋଗ ପୋକରୁ ଦୂର କରିବାକୁ ଗୁହାରି କରନ୍ତି  । ଘରେ ଆସି ଘରର ପୈତୃକ ଦେବାଦେବୀମାନଙ୍କୁ ପୂଜାର୍ଚ୍ଚନା କରିବା ସହ କୁକୁଡ଼ା, ପାରା, କାଲୀ ପେଠି,ଖଏଁରା ପେଟି ବଳି ଦିଅନ୍ତି । ଏହିଦିନ ଗାଁ ଠାରୁ ସହର ସବୁଆଡେ ଉଁଆଷ ପର୍ବର ସମ୍ଭାର ଦେଖିବାକୁ ମିଳିଥାଏ । ଘରେ ଘରେ ପିଠାପଣା, ଖିରିପୁରୀ ସାଙ୍ଗକୁ ମାଛମାଂସର ଆସର ଜମେ । ପ୍ରତି ଗ୍ରାମରେ ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରିଥାନ୍ତି ।