ଚିତ୍ତୁର ମେୟର ହତ୍ୟା ମାମଲା : ୫ ଜଣଙ୍କୁ ମୃତ୍ୟୁଦଣ୍ଡ
ଚିତ୍ତୁର : ଚିତ୍ତୁର ମେୟର ହତ୍ୟା ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଆନ୍ଧ୍ରପ୍ରଦେଶ କୋର୍ଟ । ୨୦୧୫ରେ ଘଟିଥିବା ଏହି ଲୋମଟାଙ୍କୁରା ହତ୍ୟା ମାମଲାରେ ୫ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ତତ୍କାଳୀନ ମେୟର କଟାରି ଅନୁରାଧା ଓ ତାଙ୍କ ସ୍ୱାମୀ କଟାରି ମୋହନ, ଯିଏ ଟିଡିପି ନେତା, ତାଙ୍କ ହତ୍ୟା ମାମଲାରେ ଚିତ୍ତୁର ଏକାଦଶ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ଏନ ଶ୍ରୀନିବାସ ରାଓ ଆଜି ଏହି ରାୟ ଦେଇଛନ୍ତି ।
ଶ୍ରୀରାମଚନ୍ଦ୍ର ଶେଖର ଓରଫ ଚିଣ୍ଟୁ, ଭେଙ୍କଟ ଚଲାପଥୀ, ଜୟ ପ୍ରକାଶ ରେଡ୍ଡୀ, ମଞ୍ଜୁନାଥ ଏବଂ ଭେଙ୍କଟେଶଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଗତ ସପ୍ତାହରେ କୋର୍ଟ ସେମାନଙ୍କୁ ଏହି ସମ୍ବେଦନଶୀଳ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ତତ୍କାଳୀନ ଚିତ୍ତୁର ମେୟର ଅନୁରାଧା ଓ ତାଙ୍କ ସ୍ୱାମୀ କଟାରି ମୋହନଙ୍କୁ ୨୦୧୫ ନଭେମ୍ବର ୧୭ରେ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଶ୍ରୀରାମଚନ୍ଦ୍ର ଶେଖର ଓରଫ ଚିଣ୍ଟୁ ହେଉଛନ୍ତି ତେଲୁଗୁ ଦେଶମ ପାର୍ଟିର ଚିତ୍ତୁର ଜିଲ୍ଲା ୟୁନିଟର ଉପାଧ୍ୟକ୍ଷ ଥିବା କଟାରି ମୋହନଙ୍କ ପୁତୁରା । କଟାରି ମୋହନ ଓ ତାଙ୍କ ପୁତୁରାଙ୍କ ମଧ୍ୟରେ ବ୍ୟକ୍ତିଗତ, ଆର୍ଥିକ ଏବଂ ରାଜନୈତିକ ବିବାଦରୁ ଏହି ଭୟଙ୍କର ଡବଲ ମର୍ଡର ଘଟିଥିବା ଜଣାପଡିଥିଲା ।
ଚିତ୍ତୁର ନଗର ନିଗମ କାର୍ଯ୍ୟାଳୟ ଭିତରେ ଏକ ସଶସ୍ତ୍ର ଦଳ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ । ଅନୁରାଧାଙ୍କୁ ତାଙ୍କ ଚାମ୍ବର ଭିତରେ ଗୁଳି କରି ହତ୍ୟା କରାଯାଇଥିଲା, ଯେତେବେଳେ ମୋହନ ଖସିଯିବାକୁ ଚେଷ୍ଟା କରିଥିଲେ, ତାଙ୍କୁ ପିଛା କରି ଛୁରି ଭୁସି ହତ୍ୟା କରାଯାଇଥିଲା । ସ୍ପଷ୍ଟ ଦିବାଲୋକରେ ହୋଇଥିବା ଏହି ଦୁଇ ହତ୍ୟାକାଣ୍ଡ ସାରା ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ବିଚାର ସମୟରେ କୋର୍ଟ ୧୨୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ । ଗିରଫ ହେବା ପରଠାରୁ ପାଞ୍ଚ ଜଣ ଦୋଷୀଙ୍କ ମଧ୍ୟରୁ ଦୁଇଜଣ ଜେଲରେ ଥିବା ବେଳେ ଅନ୍ୟ ତିନି ଜଣ ଜାମିନରେ ଥିଲେ ।