ଚିନାବାଦାମ ତେଲ ପ୍ରକ୍ରିୟାକରଣ ଉଦ୍ୟୋଗ ଉଦ୍ଘାଟିତ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ଇଚ୍ଛାପୁର ପ୍ରାଙ୍ଗଣରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ୱାରା ନୂତନ କାଠଘଣା ଚାଳିତ ଚିନାବାଦାମ ତେଲ ପ୍ରକ୍ରିୟାକରଣ ଉଦ୍ୟୋଗ ଉଦ୍ଘାଟିତ ହୋଇଯାଇଛି । କେନ୍ଦୁଭଟା ସ୍ୱେଚ୍ଛାସେବୀ ସଙ୍ଗଠନ ସିପିଏସ୍ଡବ୍ଲୁ ଉଦ୍ୟମରେ ଏହି ନୂତନ ଉଦ୍ୟୋଗ ସ୍ଥାପିତ ହୋଇଛି । ଏହି ସଂସ୍ଥା ଏଠାରୁ ପାଞ୍ଚ ହଜାର ଲିଟର ବାଦାମ ତେଲ ପ୍ରକ୍ରିୟାକରଣର ଲକ୍ଷ୍ୟ ରଖିଛି । ଏଥିପାଇଁ ୪୫୦ କ୍ୱିଣ୍ଟାଲ୍ ବାଦାମ ସରକାରୀ ଦରରେ ସ୍ଥାନୀୟ ଚାଷୀମାନଙ୍କ ଠାରୁ ସଂଗ୍ରହ କରାଯିବ । ଏହି ଅବସରରେ ଉଦ୍ୟୋଗ ହଲ୍ରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସଭା ସିପିଏସ୍ଡବ୍ଲୁ ସମ୍ପାଦକ ବିରଞ୍ଚି ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ନାୟକ, ହରେକୃଷ୍ଣ ଚାନ୍ଦ ହାଂସଦା, ରଶ୍ମି ରଞ୍ଜନ ପାତ୍ର, ବ୍ଲକ୍ କୃଷି ଅଧିକାରୀ ସୁଧାଂଶୁ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଶତାଧିକ ମହିଳା, ବାଦାମ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ସେଠାରେ ତୈଳବୀଜ ଏବଂ ଡାଲି ଜାତୀୟ ଫସଲ ମଣ୍ଡିର ଶୁଭାରମ୍ଭ କରିଥିଲେ ।