ଛକାପଞ୍ଝାରେ ଆରମ୍ଭ, ହୋହାଲ୍ଲାରେ ଶେଷ ସମିତି ବୈଠକ
ସ୍ୱତନ୍ତ୍ର ପ୍ରତିନିଧି ଖୋର୍ଦ୍ଧା ଗୋବିନ୍ଦ ଚନ୍ଦ୍ର ପଣ୍ଡା : ସାଧାରଣ ନିର୍ବାଚନକୁ ଗୋଟିଏ ବର୍ଷ ପୁରିଛି । କିନ୍ତୁ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏବେବି ବିଜେଡି ବିଜେପି ମଧ୍ୟରେ ରାଜନୈତିକ ଛକାପଞ୍ଝା ଜାରି ରହିଛି । ବିଶେଷକରି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ମୁଣ୍ଡ ପୁରେଇବା ଦିନଠୁ ଉଭୟ ଦଳ ମଧ୍ୟରେ ତୁ ତୁ ମେ ମେ ବଢ଼ିବାରେ ଲାଗିଛି । ବୁଧବାର ସପ୍ତମ ପଞ୍ଚାୟତ ସମିତି ଅଧିବେଶନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏଥିରେ ଖୋର୍ଦ୍ଧା ବିଧାୟକଙ୍କୁ ପ୍ରତିନିଧି ଭାବେ ସାଂସଦ ମନୋନୀତ କରିଥିବା ଜଣାପଡ଼ିବା ପରେ ବିଜେଡି ଦଳ ମଧ୍ୟରେ ଉଷ୍ମତା ବଢ଼ିଥିଲା । ଏହି ସମୟରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ନିଜର ସମର୍ଥକଙ୍କ ସହ ବାଜା ଓ ବାଣ ଫୁଟାଇ ବ୍ଲକ ମଧ୍ୟକୁ ପ୍ରବେଶ କରିଥିଲେ । ସେପଟେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ପୋଷ୍ଟ ଅଫିସ ଛକରୁ ସହ ସହ ସମର୍ଥକଙ୍କ ଗ୍ରହଣରେ ପଦ ଯାତ୍ରାରେ ବାହାରି ବିଜେଡି ଦଳର ଜୟ ଜୟକାର କରି ବ୍ଲକରେ ପହଞ୍ଚିଥିଲେ । ଉତେଜନାକୁ ଦୃଷ୍ଟିରେ ରଖି କେବଳ ନିର୍ବାଚିତ ପ୍ରତିନିଧିଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଛାଡିଥିଲା ପୁଲିସ । ସେପଟେ ପ୍ରାୟ ସରପଞ୍ଚ ସମିତି ବେକରେ ଶଙ୍ଖ ଚିହ୍ନ ଉତ୍ତରୀୟ ପକାଇ ସଭାଗୃହରେ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଗେଟ ବାହାରେ ବିଜେଡି ବିଜେପି କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଧିବେଶନ ଆରମ୍ଭରୁ ଗଡ଼ମାଣିତ୍ରି ସରପଞ୍ଚ ଜଣେ ବିଧାୟକ କିପରି ସାଂସଦଙ୍କ ପ୍ରତିନିଧି ହୋଇପାରିବ ସେନେଇ ବିଡ଼ିଓଙ୍କୁ ପ୍ରଶ୍ନ କରିଥିଲେ । ଏହାକୁ ସାରୁଅ ଏବଂ ହୀରାପୁର ସରପଞ୍ଚ ସମର୍ଥନ ଜଣାଇ ପଂଚାୟତରାଜ ଆଇନରେ କଣ ବିଧି ବ୍ୟବସ୍ଥା ରହିଛି ବୋଲି ବିଡ଼ିଓଙ୍କ ଠାରୁ ଉତ୍ତର ଚାହିଁଥିଲେ । ସାଂସଦ ଯାହାକୁ ଚାହିଁବେ ତାଙ୍କ ପ୍ରତିନିଧି ଭାବେ ଚୟନ କରିପାରିବେ ବୋଲି ବିଡ଼ିଓ କହିଥିଲେ । ପଞ୍ଚାୟତ ସମିତି ଅଧକ୍ଷ ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ଅଧକ୍ଷତାରେ ଅଧିବେଶନ କାର୍ଯ୍ୟ ଆରମ୍ଭ ହୋଇଥିଲା । ବେଗୁନିଆରେ ପିଇବା ପାଣି, ଚାଷକୁ ଜଳ ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ସମସ୍ତଙ୍କୁ ଯୋଗାଇ ଦେବାକୁ ମୁଁ କାମ କରୁଛି । ପ୍ରଶାନ୍ତ ଜଗଦେବ ଏଭଳି ମତ ରଖିଥିବା ବେଳେ ଗଡ଼ମାଣିତ୍ରି ସରପଞ୍ଚ ତାଙ୍କ ମତକୁ ସଂକ୍ଷିପ୍ତ କରିବା ପାଇଁ କହିଥିଲେ । କିନ୍ତୁ ଖୋର୍ଦ୍ଧା ବିଧାୟକ ନିଜ ବକ୍ତବ୍ୟକୁ ଜାରି ରଖି ବେଗୁନିଆକୁ ମୁଁ ମୋର ଯୌବନ ଦେଇଛି ଏବଂ ବିକାଶ ପାଇଁ ଆବଶ୍ୟକ ପଡିଲେ ଜୀବନ ଦେବାକୁ ପଛାଇବି ନାହିଁ ବୋଲି କହିଥିଲେ । ଏହାପରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ କହିଥିଲେ ଯାହା ବିକାଶ ହୋଇଛି ତାହା ନବୀନ ସରକାର ସମୟରେ ହୋଇଛି । ଏହାକୁ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନେ ସମର୍ଥନ ଜଣାଇଥିଲେ । ସେହିଭଳି ରାଜ୍ୟ ସରକାରଙ୍କୁ କଟାକ୍ଷ କରି ବେଗୁନିଆ ବିଧାୟକ କହିଥିଲେ ଚାଷକୁ ପାଣି ଦେବାକୁ ଡିଣ୍ଡିମ ପିଟୁଥିବା ବର୍ତମାନର ସରକାର କିନ୍ତୁ ଉନ୍ନୟନ କାର୍ଯ୍ୟକୁ ଚାପ ପକାଇ ବନ୍ଦ କରୁଛନ୍ତି । ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଶ୍ରମିକ ବଦଳରେ ମେସିନ ମନରେଗା କାମ କରୁଛି ହେଲେ ବେଗୁନିଆରେ ଏହାକୁ କାହିଁକି ବନ୍ଦ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ । ସେହିପରି ଡବଲ ଇଞ୍ଜିନ ସରକାରକୁ ବର୍ଷେ ପୁରିଥିଲେ ମଧ୍ୟ ବେଗୁନିଆରେ ମାଟି ଗାଣ୍ଡୁଏ ପଡିପାରିଲା ନାହିଁ । ଯଦି ବେଗୁନିଆ ପାଇଁ ଖୋର୍ଦ୍ଧା ବିଧାୟକଙ୍କ ପାଇଁ ଆତ୍ମା କାନ୍ଦୁଚି ବିକାଶରେ କାହିଁକି ନିଜେ ବାଧକ ସାଜିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ପରେ ପରେ ପାନୀୟ ଜଳ ଓ ପରିମଳ ବିଭାଗର ଆଲୋଚନା ବେଳେ ପର୍ଯ୍ୟଟନ ସ୍ଥଳୀ ଅଟ୍ରିକୁ ଏପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗ ସ୍ଥାୟୀ ପାନୀୟ ଜଳ ବ୍ୟବସ୍ଥା କରିନଥିବା ବେଳେ ପଞ୍ଚାୟତ ଜଳ ଯୋଗାଣ କେନ୍ଦ୍ରରୁ ଜଳ ଯୋଗାଣ ହେଉଛି ଫଳରେ ପଞ୍ଚାୟତ ଉପରେ ଅତିରିକ୍ତ ବିଦୁ୍ୟତ ଦେୟ ପଡୁଥିବା ବାଘମାରି ସରପଞ୍ଚ କହିଥିଲେ ।