ନିଖୋଜ ଭାଇକୁ ଫେରିପାଇଲା ଭଉଣୀ
କୋକସରା : କୋକସରା ବ୍ଲକ ଡହଗାଁ ପଞ୍ଚାୟତ ନୂଆଗୁଡା ଠାରେ ନିଖୋଜ ଥିବା ଜଣେ ଯୁବକଙ୍କ ଠିକଣା ମିଳିଛି । ଏହି ସ୍ଥାନରେ ସମ୍ପୃକ୍ତ ଯୁବକ ଜଣକ ନିଜ ପରିଚୟ ସ୍ପଷ୍ଟ କହି ପାରୁ ନ ଥିବା ବେଳେ ବାପା, ମା’ଙ୍କ ନାମ ଓ ଜିଲ୍ଳାର ନାମ ମଧ୍ୟ କହିପାରୁଥିଲେ । ଏହି ଖବର ଶୁଣି ସ୍ଥାନୀୟ ସାମ୍ବାଦିକ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶନିବାର ଏ ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ ରବିବାର ସାମ୍ବାଦିକ ଜଣକ ଖୋଜିବାକୁ ଯାଇ ସେହି ଯୁବକକୁ ଡହଗାଁ, ନୂଆଗୁଡା ଠାରେ ଦେଖିବାକୁ ପାଇଥିଲେ ଏବଂ ବ୍ଲକ ଉପାଧ୍ୟକ୍ଷଙ୍କୁ ଜଣାଇଥିଲେ । ବ୍ଲକ ଉପାଧ୍ୟକ୍ଷ ଏକ ସ୍ୱତନ୍ତ୍ର ଗାଡି ଯୋଗେ ଲଡ଼ୁଗାଁ ସ୍ଥିତ ନିଜ ବାସଗୃହକୁ ଆଣି ତାଙ୍କର ସେବା ସୁଶ୍ରୁଷା କରିଥିଲେ । ବ୍ଲକ ପ୍ରଶାସନ ସହିତ ଯୁବକଙ୍କ ଚିକିତ୍ସା ଓ ଥଇଥାନ ବ୍ୟବସ୍ଥା ପାଇଁ ଯୋଗାଯୋଗ କରିଥିଲେ । ଯୁବକ ଜଣକ ନିଜ ପରିଚୟ ମାତୃ ପ୍ରସାଦ ସାହୁ, ସ୍ୱର୍ଗତ ପିତା ଲକ୍ଷ୍ମଣ ସାହୁ, ମାତା ନିହାରା ବାଲା ସାହୁ, ଗ୍ରାମ କନ୍ଦରସିଆଁ, ବ୍ଲକ ପରଜଙ୍ଗ, ଜିଲ୍ଳା ଢେଙ୍କାନାଳ କହିବା ପରେ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା । ପରିବାର ଲୋକେ ନିଖୋଜ ଯୁବକର ସନ୍ଧାନ ପାଇ ଖୁସିବ୍ୟକ୍ତ କରିବା ସହ ଘଟଣାସ୍ଥଳରେ ପହଞ୍ଚô ନିଜର ପରିଚୟ ଦେଇ ତାଙ୍କୁ ନେଇ ଯାଇଛନ୍ତି ।
ସୂଚନା ଅନୁସାରେ ଗତ ବର୍ଷ ଏପ୍ରିଲ ୨୮ରୁ ମାତୃ ପ୍ରସାଦ ସାହୁ ନିଖୋଜ ଥିବା ନେଇ ପରିବାର ଲୋକେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୀର୍ଘ ଏକ ବର୍ଷ ପରେ ନିଖୋଜ ଭାଇର ଖବର ପାଇ ଭଉଣୀ ନିରୁପମା ସାହୁ, ସମ୍ପର୍କୀୟ ଭାଇ ଚିନ୍ମୟ ବିଶ୍ୱାଳ, ସୁଧୀର ବିଶ୍ୱାଳ, ଅବିନାଶ ସାହୁ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ କୃତଜ୍ଞତା ଜଣାଇଛନ୍ତି ।