ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମହାବାହୁ

ନେମାଳରୁ ରତ୍ନାକର ବାରିକ: ପୂର୍ବ ବର୍ଷ ପରି ଚଳିତ ବର୍ଷ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମହାପୁରୁଷ ଅଚୁ୍ୟତାନନ୍ଦଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ବ୍ୟାପକ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି । ପ୍ରଭାତରେ ସଂପୂର୍ଣ୍ଣ ରୀତିନିତି ସହିତ ଚୂଆ, ଚନ୍ଦନ, ଅଗୁରୁ, କର୍ପୂର ମିଶ୍ରିତ ସୁବାଷିତ ଜଳରେ ସ୍ନାନ ମାର୍ଜନା ପରେ ମଙ୍ଗଳଆଳତୀ ନୀତି ଭୋଗ ସଂପନ୍ନ ହେବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ପହଡ ଖୋଲାଯାଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରଭୁଙ୍କର ଦର୍ଶନ କରି ସାନ୍ନିଧ୍ୟ ଲାଭ କରିଥିଲେ । ପୂଣ୍ୟତ୍ୱୟା ଚିତ୍ରୋତ୍ପଳା ବାଲୁକା ଶଯ୍ୟାରେ ବିଭିନ୍ନ ଅଂଚଳରୁ ଆସିଥିବା ଶତାଧିକ ସାଧୁସନ୍ଥମାନେ ବାଲୁକାଶଯ୍ୟାରେ ମହାପୁରୁଷ ଅଚୁ୍ୟତାନନ୍ଦ ଓ ଜଗନ୍ନାଥଙ୍କ ପ୍ରତିଛବି ନିର୍ମାଣ କରି ପୂଜାର୍ଚ୍ଚନା କରିବା ସହ ଅଚୁ୍ୟତାନନ୍ଦଙ୍କ ରଚିତ ଅଷ୍ଟଗୁଜରୀ, ନବଗୁଜରୀ ଓ ବିଭିନ୍ନ ରାହାସ ପଠନ କରିଥିଲେ । ମଧ୍ୟରାତ୍ରୀରେ ଅଧରପଣା ଲାଗିପରେ ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ଅଭଡା ପାଇ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତ ଓ ସାଧୁ ସନ୍ଥ ଆନନ୍ଦିତ ହେବା ସହ ପ୍ରଭୁକୃପା ଲାଭ କରିଥିଲେ । 
 ଦୀପ ଷ୍ଟାଣ୍ଡରେ ନିଆଁ "  ମହାପୁରୁଷ ଅଚୁ୍ୟତାନନ୍ଦଙ୍କୁ ଜଗନ୍ନାଥଙ୍କ ଉପରେ ଦର୍ଶନ କରି ସାନ୍ନିଧ୍ୟ ପାଇବାକୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ବ୍ୟାରିକେଟ୍ ମାଧ୍ୟମରେ ପୀଠକୁ ଯାଉଥିବା ବେଳେ, ଦିନ ପ୍ରାୟ ୧୨ ଟା ସମୟରେ(କୋଠଭୋଗ) ପୂର୍ବରୁ ଦୀପ ଷ୍ଟାଣ୍ଡରେ ଅଚାନକ ନିଆଁ ଲାଗିଥିଲା । ନିଆଁର ବେଗ ଏତେ କ୍ଷିପ୍ର ଥିଲା ଯେ, ଉପସ୍ଥିତ ଶ୍ରଦ୍ଧାଳୁମାନେ ଏଣେ ତେଣେ ଦୌଡିବାକୁ ଲାଗିଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଦମକଳ ବାହିନୀ, ପୋଲିସ ବିଭାଗର ଉଦ୍ୟମ ଫଳରେ କିଛି କ୍ଷଣ ମଧ୍ୟରେ ନିଆଁକୁ ଆୟତ କରାଯାଇପାରିଥିଲା । ମାତ୍ର କୋଠ ଭୋଗ ପୂର୍ବରୁ ଏହି ନିଆଁ ଲାଗିବାକୁ କେନ୍ଦ୍ର କରି ଭବିଷ୍ୟତରେ ବଡ ବିପଦ ଆସୁଥିବା ସାଧୁସନ୍ଥମାନେ ମତ ପ୍ରକାଶ କରିଛନ୍ତି ।  
ପ୍ରଶାସନର ଅବହେଳା:  ବର୍ଷକୁ ଥରେ ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପୁରୁଷ ଅଚୁ୍ୟତାନନ୍ଦଙ୍କୁ ଜଗତରନାଥ ଜଗନ୍ନାଥଙ୍କ ରୂପରେ ଦର୍ଶନ କରି ଆସିଥିବା ଲକ୍ଷାଧିକ ଭକ୍ତ ନିଜକୁ କୃତାର୍ଥ ମଣି ଥାଆନ୍ତି । ଚଳିତବର୍ଷ ଯାତ୍ରା କମିଟି ପ୍ରଶାସନିକ ବୈଠକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ବାରିକେଟ ନିର୍ମାଣରେ ଅନୀୟମିତତା ଓ ମଧ୍ୟାହ୍ନ ସମୟରେ ଘଡ ଘଡି ସହ ବର୍ଷା ପାଇଁ ଧାଡିରେ ଠିଆ ହୋଇଥିବା ଶ୍ରଦ୍ଧାଳୁ ଜୀବନ ବିକଳରେ ଏଣେ ତେଣେ ପଳାଇଯିବା ସହ କେତେକ ଶ୍ରଦ୍ଧାଳୁ ଦର୍ଶନ ନ କରି ଫେରିଯାଇଥିଲେ । ପୂର୍ବ ଦିନମାନଙ୍କ ଭଳି ଦର୍ଶନର ସୁବ୍ୟବସ୍ଥା ନ ଥିବାରୁଏଭଳି ବିଶୃଙ୍ଖଳା ଘଟିଲା ବୋଲି ଶ୍ରଦ୍ଧାଳୁମାନେ ମତ ଦେଇଛନ୍ତି ।