ଛତୁଆରେ ପୋକ, ଜିଲ୍ଲାପାଳଙ୍କ ତଦନ୍ତ ନିଦେ୍ର୍ଦଶ
କନ୍ଧମାଳ / ଫୁଲବାଣୀ : କୋମଳ ମତି ଶିଶୁମାନଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ କରାଯାଇଛି । ସେମାନଙ୍କ ମାନସିକ ଓ ଶାରୀରିକ ବୃଦ୍ଧି ସହିତ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସରକାର ପୁଷ୍ଟିକର ଖାଦ୍ୟ ସହିତ ଛତୁଆ ଯୋଗାଇ ଦେଉଛନ୍ତି । ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଛତୁଆ ଦିଆଯାଉଛି । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହାର ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଛି । କିନ୍ତୁ ଏହି ଛତୁଆର ମାନକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି । କିଛି ମାସ ତଳେ ଜିଲ୍ଲାର ୬ଟି ଛତୁଆ ପ୍ରସ୍ତୁତି କେନ୍ଦ୍ରର ଛତୁଆ ଭୁବନେଶ୍ୱର ଠାରେ ପରୀକ୍ଷଣ ବେଳେ ଏହା ନିକୃଷ୍ଟ ମାନର ବୋଲି ରିପୋର୍ଟ ଆସିଥିଲା । ଫଳରେ ବିଭାଗ ଆଜି ପର୍ଯ୍ୟନ୍ତ ଏମାନଙ୍କ ବିଲ ଅଟକାଇ ରଖିଛି । ତେବେ ଏବେ ପୁଣି ଆଉ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଖଜୁରୀପଡ଼ା ବ୍ଲକର ଚକାପଥର ଠାରେ ଥିବା ଅଙ୍ଗନବାଡ଼ି ୩(ଖ)ରେ ପୋକ ଲାଗିଥିବା ଛତୁଆ ବଣ୍ଟନ କରାଯାଇଛି । ଏହି ପୋକ ଲାଗିଥିବା ଛତୁଆ ନେଇ ସସ୍ମିତା କହଁର, ସୁଷମା ଭୋଇ, ସ୍ନେହଲତା କହଁର ପ୍ରମୁଖ ଜିଲ୍ଲାପାଳଙ୍କୁ ଦେଖାଇଛନ୍ତି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏହି ଛତୁଆ ଦେଖି ସିଡିପିଓ କ୍ରୀଷ୍ଣା କୁମାରୀ ବେହେରାଙ୍କୁ ଏହା କେମିତି ବଣ୍ଟନ କରାଗଲା ବୋଲି ପ୍ରଶ୍ନ କରିଛନ୍ତି । କେଉଁ କେଉଁ କେନ୍ଦ୍ରରେ ଏଭଳି ଛତୁଆ ବଣ୍ଟନ ହୋଇଛି ତଦନ୍ତ କରି ରିପୋର୍ଟ ତଲବ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଯଦି ଖରାପ ଛତୁଆ ଦିଆ ଯାଇଥିବା ଜଣାପଡେ, ତେବେ ସେମାନଙ୍କ ପେମେଣ୍ଟ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ଜିଲ୍ଲାପାଳ । ଅପରପକ୍ଷେ ଛତୁଆ ପ୍ରସ୍ତୁତ ସ୍ଥାନକୁ ବିଡ଼ିଓ ଏବଂ ତହସିଲଦାର ଅଚାନକ ଚଢ଼ାଉ କରି ଖାଦ୍ୟର ମାନ ଯାଞ୍ଚ କରିବାକୁ ସିଡିଓ ଶମ୍ଭୁନାଥ ନନ୍ଦୀ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି । ପୁଷ୍ଟିକର ଖାଦ୍ୟ ଗୁଡିକର ତଦାରଖ ନ ହେବା ଯୋଗୁଁ ନିମ୍ନମାନର ଛତୁଆ ବଣ୍ଟନ ହେଉଥିବା ଏବଂ ଏହି ଖାଦ୍ୟ ଖାଇ ଶିଶୁ ଓ ଗର୍ଭବତୀ ମହିଳା ରୋଗଗ୍ରସ୍ତ ହେବାର ଆଶଙ୍କା ରହୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ଉପରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ମତ ପ୍ରକାଶ ପାଇଛି ।