ଶ୍ରୀକାନ୍ତ ହେବେ ପିସିସି ସଭାପତି
Srikanta Jena

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ହୋଇପାରନ୍ତି ପିସିସି ସଭାପତି । କଂଗ୍ରେସ ଅଳିନ୍ଦରେ ଏବେ ଏଭଳି ଚର୍ଚ୍ଚା ଜୋରଧରିଛି । ଶ୍ରୀକାନ୍ତଙ୍କୁ ଦିଲ୍ଲୀରୁ ଡକରା ଆସିଥିବାବେଳେ ସେ ଅନେକ କେନ୍ଦ୍ରୀୟ ନେତାଙ୍କୁ ଭେଟିଥିବା ଜାଣିବାକୁ ମିଳିଛି । ରାଜନୀତିକ ଗୋଟିଚାଳନାରେ ଶ୍ରୀକାନ୍ତ ବେଶ୍ ମାହିର । ତେଣୁ ତାଙ୍କୁ ଥରେ ପିସିସି ସଭାପତି କରି ପରୀକ୍ଷା ନୀରିକ୍ଷା କରିବାକୁ ରାହୁଲ ଗାନ୍ଧୀ ଯୋଜନା କରିଛନ୍ତି । ୱାୟନାଡ଼ରେ ଭୟଙ୍କର ଭୂସ୍ଖଳନ ହୋଇଥିବାରୁ ରାହୁଲ ସେଠାରେ ଅଛନ୍ତି । ପ୍ରିୟଙ୍କା ଗାନ୍ଧୀ ସେଠାରୁ ନିର୍ବାଚନ ଲଢ଼ିବାର ଥିବାରୁ ସେ ମଧ୍ୟ ୱାୟନାଡ଼ରେ ଅଛନ୍ତି । ସେଠାରେ ସ୍ଥିତି ସୁଧୁରିବା ପରେ ଓଡ଼ିଶାରେ କଂଗ୍ରେସର ପୁନର୍ଗଠନ ନେଇ ରାହୁଲ ରଣନୀତି କରିବେ । ୨୪ ବର୍ଷ ପରେ ବିଜେଡ଼ି ସରକାରକୁ ବିଜେପି କ୍ଷମତାଚ୍ୟୁତ କରିଛି । ଆଗାମୀ ଦିନରେ ବିଜେଡ଼ିରେ ବି ଭୟଙ୍କର ବିସ୍ଫୋରଣର ଆଶଙ୍କା ରହିଛି । ବିଜେଡ଼ିରେ ସବୁ କିଛି ଠିକ ନଥିବାରୁ ଏହି ମଉକାର ଫାଇଦା ନେବାକୁ କଂଗ୍ରେସ ଉଦ୍ୟମ କରିଛି । କଂଗ୍ରେସ ଯଦି ଏହାର ଶକ୍ତି ବୃଦ୍ଧି କରେ ତେବେ ୨୦୨୯ରେ ଦଳ ନିଶ୍ଚିତ ଫାଇଦା ପାଇପାରିବ । ପୂର୍ବରୁ ବିଜେଡ଼ି ସମଦୂରତ୍ୱ ରକ୍ଷା କରୁଥିଲା । ବିଜେପି କିମ୍ବା କଂଗ୍ରେସ କ୍ୟାମ୍ପରେ ରହୁନଥିଲା । ଏବେ ବିଜେପି ହିଁ ବିଜେଡ଼ିର ପରମ ଶତ୍ରୁ ପାଲଟି ଯାଇଛି । ତେଣୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଆଭିମୁଖ୍ୟ ବଦଳିଯାଇଛି । ସଂସଦରେ ଏବେ ବିଜେପି ବିରୋଧରେ ଗର୍ଜୁଛି ବିଜେଡ଼ି । ନିକଟରେ ବିଜେଡ଼ି ସାଂସଦଙ୍କୁ ବିଜେପି ନେଇଯିବା ପରେ ନବୀନ ଆହୁରି ଫିଡ଼ିକି ଯାଇଛନ୍ତି । ଏହାକୁ ମଧ୍ୟ କଂଗ୍ରେସ ଭଲ ଭାବେ ଅନୁଶୀଳନ କରିଛି । ଓଡ଼ିଶାରେ ଏବେ କଂଗ୍ରେସ ୱିନ ୱିନ ସ୍ଥିତିରେ ରହିଛି । ଅର୍ଥାତ୍ କଂଗ୍ରେସ ସହ ବିଜେଡ଼ି ହାତ ମିଳାଇବା ନିଶ୍ଚିତ । ବିଜେପିକୁ ରୋକିବା ପାଇଁ ବିରୋଧୀ ଏବେ ଏକାଠି ହେବା ଆରମ୍ଭ କରିଦେଇଛନ୍ତି । ଏଭଳି ସ୍ଥିତିରେ ଶ୍ରୀକାନ୍ତ ଜେନା ହିଁ ଭଲଭାବେ ଗୋଟି ଚଳାଇପାରିବେ ବୋଲି ଦିଲ୍ଲୀର କେତେକ କଂଗ୍ରେସ ନେତା ଅନୁଭବ କରୁଛନ୍ତି । ଅପରପକ୍ଷରେ ୨୦୨୯ରେ ନିର୍ବାଚନ ଥିବାରୁ ଏବେ କଂଗ୍ରେସର ଦାୟିତ୍ୱ ମୁଣ୍ଡାଇବାକୁ ଅନେକ ବରିଷ୍ଠ ନେତା ଅମଙ୍ଗ ହେଉଛନ୍ତି । ତେବେ ଖାଲି ଶ୍ରୀକାନ୍ତ ଜେନା ନୁହଁନ୍ତି ପିସିସି ସଭାପତି ଦୌଡ଼ରେ ଭକ୍ତ ଚରଣ ଦାସ, ମହମ୍ମଦ ମୋକିମ ଓ ପ୍ରସାଦ ହରିଚନ୍ଦନ ମଧ୍ୟ ରହିଛନ୍ତି । ତେବେ ରାହୁଲ କାହା ଉପରେ ଆସ୍ଥା ପ୍ରକଟ କରିବେ ତାହା ଦେଖିବାକୁ ବାକି ରହିଲା ।