ଛିଣ୍ଡିଲା ବିହାର ଏନଡ଼ିଏ ଅଙ୍କ : ବିଜେପି ଓ ଜେଡ଼ିୟୁ ସମାନ ସମାନ
ବିହାରରେ ଏନଡ଼ିଏର ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି । ଫଳରେ ଏନେଇ ଗତ କିଛିଦିନ ଧରି ଚାଲିଥିବା ଚର୍ଚ୍ଚା ଆଲୋଚନାର ଅବସାନ ଘଟିଛି । ବିହାରର ୨୪୩ ଆସନ ମଧ୍ୟରୁ ଉଭୟ ବିଜେପି ଓ ଜେଡ଼ିୟୁ ୧୦୧ ଲେଖାଏଁ ଆସନରେ ଲଢେ଼ଇ କରିବେ। ଯେତେବେଳେକି ଅବଶିଷ୍ଟ ୪୧ ଆସନ ମଧ୍ୟରୁ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କ ଏଲଜେପି (ଆର)କୁ ୨୯, ଆରଏଲଏମକୁ ୬ ଓ ହାମକୁ ୬ ଆସନ ମିଳିଛି । ଏନେଇ ବିହାର ବିଜେପି ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ଚଳିତ ବିହାର ବିଧାନସଭା ନିର୍ବାଚନ ବେଶ ସରଗରମ ରହିବ । ଜାତୀୟ ରାଜନୀତିକୁ ପ୍ରଭାବିତ କରୁଥିବା ବିହାର ଉପରେ ଏବେ ସାରା ଦେଶର ରାଜନୀତିକ ସମୀକ୍ଷକଙ୍କ ନଜର ରହିଛି । ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡ଼ିଏ ନିର୍ବାଚନ ଲଢ଼ିବାକୁ ଯାଉଥିବାବେଳେ ମହାଗଠବନ୍ଧନର ନେତୃତ୍ୱ ସ୍ଥିର ହୋଇପାରିନାହିଁ । ତେବେ ସେ ଯାହାହେଉନା କାହିଁକି ଏନଡ଼ିଏ ଆଜି ଆସନ ବୁଝାମଣା ଚୂଡ଼ାନ୍ତ କରିଥିବାବେଳେ ଆସନ୍ତାକାଲି ମହାଗଠବନ୍ଧନର ଆସନ ବୁଝାମଣା ଚୂଡ଼ାନ୍ତ ହେବବୋଲି ସୂଚନା ମିଳିଛି । ଆସନ୍ତା ନଭେମ୍ବର ୬ ଓ ନଭେମ୍ବର ୧୧ରେ ନିର୍ବାଚନ ହେବାକୁ ଯାଉଥିବାବେଳେ ସବୁ ରାଜନୀତିକ ଦଳର ତୁଙ୍ଗ ନେତାମାନେ ବିହାର ମୁହାଁ ହୋଇସାରିଲେଣି । ଗତ ଲୋକସଭା ନିର୍ବାଚନରେ ଏନଡ଼ିଏ ୪୦ ଲୋକସଭା ଆସନରୁ ୩୦ରେ ଜିତିଥିଲା । ଜେଡ଼ିୟୁ ଓ ବିଜେପି ୧୨ ଲେଖାଏଁ ଆସନରେ ଜିତିଥିବାବେଳେ ଏଲଜେପି ୫ ଓ ହାମ ଗୋଟିଏ ଆସନରେ ଜିଣିଥିଲା ।
ଅପରପକ୍ଷରେ ସ୍ୱାଧୀନ ଭାବେ ପପୁ ଯାଦବ ଜିତିଥିବାବେଳେ ଆରଜେଡ଼ି ଖାତାକୁ ୪, କଂଗ୍ରେସକୁ ୩ ଓ ସିପିଆଇଏମଲକୁ ୨ ଆସନ ମିଳିଛି । ସେହିପରି ଗତ ବିଧାନସଭା ନିର୍ବାଚନରେ ଏନଡ଼ିଏକୁ ୧୨୫ ଓ ମହାଗଠବନ୍ଧନକୁ ୧୧୦ ଆସନ ମିଳିଥିଲା । ଯେତେବେଳେକି ଅନ୍ୟ ଦଳ ଖାତାକୁ ୮ ଆସନ ଯାଇଥିଲା । ୨୦୧୫ରେ ନୀତିଶଙ୍କ ନେତୃତ୍ୱରେ ମହାଗଠବନ୍ଧନ ଓ ୨୦୨୦ରେ ନୀତିଶଙ୍କ ନେତୃତ୍ୱରେ ଏନଡ଼ିଏ ବାଜିମାତ୍ କରିଥିଲା । ଏବେ ଉଭୟ ଏନଡ଼ିଏ ଓ ମହାଗଠବନ୍ଧନ ମଧ୍ୟରେ କଡ଼ା ଲଢେ଼ଇ ହେବାର ଥିବାବେଳେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି କାହା ଭୋଟ୍ କାଟିବ ତାହା ଉପରେ ନଜର ରହିଛି ।