ଜମି ଓ ଫ୍ଲାଟ୍ ଦେବା ନାଁରେ ଦେଢ଼ କୋଟି ଠକେଇ; ଠକ ଗିରଫ

ଜମି ଓ ଫ୍ଲାଟ୍ ଦେବା ନାଁରେ ଦେଢ଼ କୋଟି ଠକେଇ; ଠକ ଗିରଫ

ଭୁବନେଶ୍ୱର, ୨୬ା୧୧ : ରାଜଧାନୀର ବିଭିନ୍ନ ଅଞ୍ଚଳରେ କମ ମୂଲ୍ୟରେ ଫ୍ଲାଟ୍, ଡୁପ୍ଲେକ୍ସ, ଜମି ଯୋଗାଇ ଦେବାକୁ କହି ଲୋକଙ୍କଠାରୁ ଦେଢ଼ କୋଟି ଟଙ୍କା ଠକେଇ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଠକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଠକ ଜଣଙ୍କ ନିଜକୁ ଜଣେ ବିଲ୍ଡର ସଂସ୍ଥାର ମାଲିକ ଦର୍ଶାଇ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିଲା । ଅଭିଯୁକ୍ତ ଜଣକ ହେଲା, ଯାଜପୁର ଜିଲ୍ଲା ଯାଜପୁର ରୋଡର ଆଶିଷ କୁମାର ଜେନା । ଏଠାରେ ସେ ଜାଗମରା ମଝିସାହିରେ ଘରଭଡ଼ା ନେଇ ରହିବା ସହ ଲୋକଙ୍କୁ ଚୁନ ଲଗାଉଥିଲା ।
 ସୂଚନା ଯୋଗ୍ୟଯେ, ଅଭିଯୁକ୍ତ ଆଶିଷ ନିଜକୁ ଜଣେ ବିଲଡ଼ର ଭାବରେ ପରିଚିତ କରିଥିଲା ଏବଂ ଅଭିଯୋଗକାରୀଙ୍କୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅତି କମ ମୂଲ୍ୟରେ ଜମି, ଫ୍ଲାଟ୍, ଡୁପ୍ଲେକ୍ସ ଯୋଗାଇ ଦେବାକୁ କହିଥିଲା । ପରେ ଅଭିଯୁକ୍ତ ଜଣକ ଜାଗମରା ଅଞ୍ଚଳରେ ୩୮ ଲକ୍ଷ ଟଙ୍କା ମୂଲ୍ୟର ଏକ ଜମି ସହିତ ଘର ଦେବା ପାଇଁ ମିଥ୍ୟା ପ୍ରତିଶୃତି ଦେଇଥିଲା ଓ ଅଭିଯୋଗକାରୀଙ୍କୁ ପ୍ରବର୍ତ୍ତାଇବାରେ ସଫଳ ହୋଇଥିଲା । ଏହାପରେ ଅଭିଯୁକ୍ତ ଜମି ବିକ୍ରି ପାଇଁ ଏକ ନକଲି ଚୁକ୍ତି, ଟଙ୍କା ରସିଦ ଏବଂ ଗୋଟିଏ ଆରଓଆର କପି ଦେବା ସହ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଅଭିଯୋଗକାରୀଙ୍କ ଠାରୁ ଦେଢ଼ କୋଟି ଟଙ୍କା ନେଇଥିଲା । ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ଅଭିଯୁକ୍ତ ଆଶିଷକୁ ଜମି ପଞ୍ଜୀକରଣ ପାଇଁ ପଚାରିବାରୁ ଅଭିଯୁକ୍ତ ଜଣକ ବିଭିନ୍ନ ବାହାନା କରି ତାଙ୍କୁ ଏଡାଇଥିଲା । ଏନେଇ ଅଭିଯୋଗକାରୀ ଜମି ବିକ୍ରୟ ଚୁକ୍ତିର ପ୍ରକୃତତା ଯାଞ୍ଚ କରି ଡକୁ୍ୟମେଣ୍ଟ ଟି ନକଲି ଜାଣିବାକୁ ପାଇଥିଲେ । ତେଣୁ ସେ ଅଭିଯୁକ୍ତଙ୍କୁ ଯୋଗାଯୋଗ କରିଥିଲେ ଓ ପରେ ବିଫଳ ହୋଇଥିଲେ । ଫଳରେ ସେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।