ମାଡ ମାରି ୧୧ ହଜାର ଲୁଟ୍ ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୫ା୯ : ଏକୁଟିଆ ଘରକୁ ଫେରୁଥିବା ସମୟରେ ଅଭିଯୋଗକାରୀକୁ ଅଟୋ ଭିତରକୁ ଟାଣି ନେଇ ବହେ ଛେଚି ଲୁଟିନେଲେ ୧୧ ହଜାର ଟଙ୍କା । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତାଠାରୁ ୪ ହଜାର ଟଙ୍କା ଓ ଏକ ଅଟୋ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଭରତପୁର ତାରିଣୀ ବସ୍ତିର ଚନ୍ଦନ ନାୟକ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ଗତ ୧ ତାରିଖ ରାତି ୧୦ଟାରେ ଅଭିଯୋଗକାରୀ ପ୍ରଶାନ୍ତ ନାୟକ ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ଚନ୍ଦନ ନାୟକ ଓ ଅନ୍ୟଜଣେ ସହଯୋଗୀ ଦୁସା ସହ ମିଶି, ଅଭିଯୋଗକାରୀଙ୍କୁ କଳିଙ୍ଗ ଷ୍ଟୁଡ଼ିଓ ଛକ ନିକଟରେ ଅଟକାଇ ବଳପୂର୍ବକ ଭାବେ ତାଙ୍କୁ ଅଟୋ ଭିତରକୁ ଟାଣି ନେଇ ମାଡମାରି ତାଙ୍କ ଠାରୁ ୧୧ ହଜାର ୫୦୦ ଟଙ୍କା, ଆଧାର କାର୍ଡ ଏବଂ ଏକ ମୋବାଇଲ ଫୋନ୍ ଛଡ଼ାଇ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗକାରୀ ଭରତପୁର ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିବା ସହ ତାଠାରୁ ୪ ହଜାର ଟଙ୍କା, ଏକ ଅଟୋ ଓ ମୋବାଇଲ ଫୋନ୍ ଜବତ କରାଯାଇଛି ।