ଆକ୍ସନ ମୋଡରେ ପୁଲିସ କମିଶନର; ୪୮ ଘଣ୍ଟାରେ ବିଭିନ୍ନ ମାମଲାର ୧୫ ଅଭିଯୁକ୍ତ ଗିରଫ
୨୦ ମୋବାଇଲ, ୨୨ କେଜି ଗଞ୍ଜେଇ, ୧୦୦ ଗ୍ରାମ ସୁନା, ଏକ କାର, ୨ ବାଇକ, ୨୨ ହଜାର ଟଙ୍କା ଜବତ
ରାତି ଅଧିଆ ଖଟି ଉପରେ ରହିବ ଡ଼ିସିପିଙ୍କ କଡ଼ା ନଜର
ଭୁବନେଶ୍ୱର, ୧୬ା୧୧ : ଆଗାମୀ ଦିନରେ ରାଜଧାନୀ ଭୁବନେଶ୍ୱରରେ ସର୍ବ ଭାରତୀୟ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ୬ ଶହରୁ ଊଦ୍ଧ୍ୱର୍ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଏହି ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ ଅମିତ ଶାହା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଭଳି ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଅର୍ବାନ ପୁଲିସ ପକ୍ଷରୁ ସହରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ଏଥିପାଇଁ ଭୁବନେଶ୍ୱର ଅର୍ବାନ ପୁଲିସ ଆକ୍ସନ ମୋଡ଼ରେ । ସେଫସିଟି ଡ୍ରାଇଭ ଅଧିନରେ ପୁଲିସ ଗତ ୪୮ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ମୋଟ ୧୫ ଜଣ ଅପରାଧୀଙ୍କୁ ଗିରଫ କରିବା ସହ ୧୨ଜଣଙ୍କ ୱାରେଣ୍ଟିଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ଗଞ୍ଜେଇ, ସୁନା ଅଳଙ୍କାର, ନଗଦ ଟଙ୍କା ଓ ଚୋରି ହୋଇଥିବା ଗାଡ଼ିକୁ ପୁଲିସ ଜବତ କରିଥିବା ନେଇ ଡିସିପି ପିନାକ ମିଶ୍ର ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ସହରର ବିଭିନ୍ନ ଥାନାରେ କରିଥିବା ଭିନ୍ନଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ଘରେ ପଶି ଚୋରି କରିବା ଏବଂ ନିଶା ସାମଗ୍ରୀ ବିକ୍ରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ଥିବା ଜଣାପଡ଼ିଛି ।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବଡ଼ଗଡ଼ ଥାନା କୋରଡ଼କଣ୍ଟାର ମନୋରଞ୍ଜନ ଜେନା ଓରଫ ମାନସ (୨୪),କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀର ସାଗର ନାୟକ, ମଞ୍ଚେଶ୍ୱର କେନାଲ ବନ୍ଧର ରଞ୍ଜନ କୁମାର ସାହୁ, ପାଟଦେଇ ବସ୍ତିର ପ୍ରଭାତ କୁମାର ଜେନା,ବାଲିଅନ୍ତା ଗଡ଼ଶ୍ରୀରାମପୁରର ରଞ୍ଜନ କୁମାର ଗୁରୁ,ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡାର ବଳିଆ ଗୌଡ଼,ଖଣ୍ଡଗିରି ତାରିଣୀ ବସ୍ତିର ପ୍ରଫୁଲ୍ଲ ନାୟକ, ବଡ଼ଗଡ଼ ଥାନା କୋରଡ଼କଣ୍ଟାର ସନ୍ତୋଷ ଜେନା, କେଶୁରା ବ୍ୟାଙ୍କ କଲୋନୀର ପ୍ରଶାନ୍ତ କୁମାର ଦାଶ, ତମାଣ୍ଡୋ ଥାନା ଅଞ୍ଚଳର ମିର ଆସିକ । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୨୨ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ, ଏହି ମାମଲାରେ ଭରତପୁର ଥାନା ପୁଲିସ ୩ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି । ଏହାବାଦ ଅଭିଯୁକ୍ତମାନଙ୍କ ଠାରୁ ୩ ଟି ଚେନ, ଚୁଡ଼ି, ୨ଟି ସାଇକେଲ, ୨୨ଟି ମୋବାଇଲ ଫୋନ ଏବଂ ୨୨ ହଜାର ଟଙ୍କା ଜବତ କରାଯାଇଛି । ଏହାବାଦ ସହରାଞ୍ଚଳ ପୁଲିସ ପକ୍ଷରୁ ରାତ୍ରୀକାଳୀନ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଅଭ୍ୟାସଗତ ଅପରାଧୀମାନେ ଥାନାରେ ନିୟମିତ ଭାବେ ହାଜିରା ଦେଉଛନ୍ତି କି ନାହିଁ ସେ ଦିଗରେ ପୁଲିସ ଗୁରୁତ୍ୱ ଦେବା ଆରମ୍ଭ କରିଛି । ଏହାବାଦ ଯେଉଁ ଅଭିଯୁକ୍ତମାନେ ଜେଲରୁ ବାହାରୁଛନ୍ତି ସେମାନଙ୍କ ଗତିବିଧି ଉପରେ ପୁଲିସ ତୀକ୍ଷ ନଜର ରଖିଥିବା ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସମୟରେ ପୁଲିସ ରାତ୍ରୀକାଳୀନ ଫୁଟ ପାଟ୍ରୋଲିଂକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଖଟି ଯେପରି ବନ୍ଦ ହେବ ସେ ନେଇ ପୁଲିସ ସୁଚିନ୍ତିତ ଯୋଜନା କରୁଥିବା ଏବଂ ଖଟି ଉପରେ ଅଧିକରୁ ଅଧିକ ଚଢ଼ଉ ନେଇ ପୁଲିସ ପ୍ରସ୍ତୁତ ହେଉଥିବା ଡିସିପି କହିଛନ୍ତି ।