ଜମି କିଣାବିକାରେ ବ୍ୟାପକ ହେରଫେର, ତଦନ୍ତ ଦାବି
ବେତନଟୀ: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ତହସିଲ ଓ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରାଯାଇ ବ୍ୟାପକ ହେରଫେର ଓ ଜାଲିଆତି ହେଉଥିବା ଅଭିଯୋଗ ହେଉଛି । ବର୍ଷ ବର୍ଷ ଧରି ଏପରି ଚାଲିଥିବା ଯୋଗୁଁ ସରକାରଙ୍କ ବ୍ୟାପକ ରାଜସ୍ୱ ହାନୀ ଘଟିବା ସହିତ ସାଧାରଣ ନିରୀହ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରି ନ୍ୟାୟ ପାଇ ନ ପାରି ପୁଲିସ ଓ ବିଚାର ବିଭାଗୀୟ ଅଦାଲତରେ ଅଭିଯୋଗ କରିବାକୁ ବାଧ୍ୟ ହେଉଛନ୍ତି ।
ପ୍ରକାଶ ଯେ. ଗତ ୨୦୨୨ ମସିହାରେ ଏହି ତହସିଲ ଅଧିନସ୍ଥ ଆମ୍ବଗଡ଼ିଆ ମୌଜାର ଜମି ମାଲିକଙ୍କ ଆଗୋଚରରେ ଅନ୍ୟ ଜଣେ ଲୋକକୁ ଜମି ମାଲିକ ଦର୍ଶାଇ ଜମି ବିକ୍ରି ଦଲିଲ ସଂପାଦନ କରିବା ଭଳି ଘଟଣା ମୁ୍ୟଟେସନ କରାଯିବା ସମୟରେ ଧରା ପଡିବା ଘଟଣା ହଇଚଇ ସୃଷ୍ଟି କରିଥିବା ବେଳେ ଏହି ଜାଲିଆତି ଘଟଣାକୁ ଚପାଇ ଦିଆଯାଇଛି । ଏବେ ପୁଣି ଗତ ତା-୩/୮/୨୪ରିଖରେ ଦଲିଲ ନଂ ୧୧୨୮୨୪୦୦୯୦୨ରେ ଚାରିଜଣ ଅଂଶୀଦାର ଥିବା ପିତା ଲାଲ ମୋହନ ମହାନ୍ତ, ମୌଜା ସିନ୍ଦୁରଗୌରା, ଥାନା ବାରିପଦା ସଦର ଜିଲ୍ଲା ମୟୂରଭଞ୍ଜଙ୍କର ନାମରେ ଥିବା ଆଉ ଏକ ଜମି ବିକ୍ରୟ କରାଯାଇଥିବା ଏବଂ ଦଲିଲରେ ଅଂଶୀଦାର ଭାବେ ଦୁର୍ଗା ମହାନ୍ତ ପିତା ଲାଲମୋହନ ମହାନ୍ତ ସ୍ୱାକ୍ଷର କରିଥିବା ଉଲ୍ଲେଖ ଥିବା ବେଳ ଦୁର୍ଗା ମହାନ୍ତଙ୍କର ୧୯୮୫ ମସିହାରୁ ମୃତୁ୍ୟ ଘଟିଥିବା ଅନ୍ୟ ଜଣେ ପଙ୍କଜ କୁମାର ବିଶ୍ୱାଳ ପିତା ଶିବ ଶଙ୍କର ବିଶ୍ୱାଳ ବ୍ରହ୍ମପୁରା ଦୁର୍ଗା ମହାନ୍ତ ମୃତ ଏବଂ ତାଙ୍କ ନାମ ଜାଲିଆତି ଏହି ଦଲିଲରେ କରାଯାଇଥିବା ଅଭିଯୋଗ କରିଥିଲେ । ସେ ଅଭିଯୋଗ କରିବା ପରେ ବେତନଟୀ ସବ୍ରେଜିଷ୍ଟ୍ରାର ତଥା ଅତିରିକ୍ତ ତହସିଲଦାରଙ୍କ ପକ୍ଷରୁ ବାରିପଦା ସଦର ଥାନା ଆଇଆଇସିଙ୍କୁ ଦୁର୍ଗା ମହାନ୍ତ ପିତା ଲାଲମୋହନ ମହାନ୍ତ ମୃତୁ୍ୟ ସଂପର୍କରେ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିଲା । ବାରିପଦା ସଦର ଥାନା ଆଇଆଇସି ଏହି ଘଟଣା ସତ୍ୟ ଏବଂ ଦୁର୍ଗା ମହାନ୍ତର ଗତ ୪୦ବର୍ଷ ତଳୁ ମୃତୁ୍ୟ ଘଟି ସାରିଥିବା ରିପୋର୍ଟ ତା-୧/୧୦/୨୪ରିଖରେ ଦେଇଥିଲେ । ଏହା ପରେ ବେତନଟୀ ସବ୍ରେଜିଷ୍ଟ୍ରାର ତଥା ଅତିରିକ୍ତ ତହସିଲଦାର ସ୍ଥାନୀୟ ବେତନଟୀ ଥାନାରେ ଏକ ଏତଲା ଦେଇ ମୃତ ଦୁର୍ଗା ମହାନ୍ତ ନାମରେ ଦଲିଲରେ ସ୍ୱାକ୍ଷର କରିଥିବା ଜାଲ୍ ବ୍ୟକ୍ତିଙ୍କୁ ଖୋଜି ବାହାର କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଏହାସହିତ ଅନ୍ୟ ଦସ୍ତଖତକାରୀ ଓ ସାକ୍ଷୀମାନଙ୍କ ବୟାନ ତଦନ୍ତ ପରିସରଭୁକ୍ତ କରିବାକୁ ମଧ୍ୟ ଉଲ୍ଲେଖ କରାଯାଇଥିଲା । ଏହି ଚିଠି ଜିଲ୍ଲା ସବ୍ରେଜିଷ୍ଟ୍ରାର ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ପକ୍ଷରୁ ଚିଠି ନଂ ୨୮୪୧ ତା ୨୩/୧୦/୨୪ରେ କରାଯିବା ସହିତ ବେତନଟୀ ସବ ରେଜିଷ୍ଟ୍ରାରଙ୍କୁ ଚିଠି ନଂ ୨୮୪୨ ତା ୨୨/୧୦/୨୪ ମଧ୍ୟ ଚିଠ କରାଯାଇଥିବା ଜଣାଯାଇଛି । ଉଲ୍ଲେଖ ଯେ, ବାରିପଦା ସଦର ଥାନା ପକ୍ଷରୁ ସ୍ୱତନ୍ତ୍ର ଏଫ୍ଆଇଆର କରାଯାଇ ନ ଥିବା ଦର୍ଶାଇ କୌଣସି ତଦନ୍ତ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଯୋଗୁଁ ଏହି ଜାଲିଆତିରେ ସଂପୃକ୍ତ ବ୍ୟକ୍ତି ଖୁଲମଖୁଲା ଆଇନକୁ ଚ୍ୟାଲେଞ୍ଜ କରି ବୁଲୁଥିଲେ । ହେଁ ପୁଲିସ ଏହି ଆଇନକୁ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତି ବିଶେଷ ତଥା ସାକ୍ଷ୍ୟ ପ୍ରଦାନକାରୀ ଦଲିଲ ସଂପାଦନ କରିଥିବା ବ୍ୟକ୍ତିମାନଙ୍କୁ ତଦନ୍ତ ପରିସରଭୁକ୍ତ କରି ନ ଥିବା ଅଭିଯୋଗ ହୋଇଛି । ଶେଷରେ ଅଭିଯୋଗକାରୀ ପଙ୍କଜ କୁମାର ବିଶ୍ୱାଳ ଲିଖିତ ଭାବେ ବେତନଟୀ ସବ୍ରେଜିଷ୍ଟ୍ରାରଙ୍କୁ ଜଣାଇ ଅଛି କି ଦୁର୍ଗା ମହାନ୍ତର ମୃତୁ୍ୟ ସଂପର୍କରେ ତାର କିଛି ଅଭିଯୋଗ ନାହିଁ ଏବଂ ପୂର୍ବରୁ କରିଥିବା ଅଭିଯୋଗ ସେ ପ୍ରତ୍ୟାହାର କରି ନେଉଛି । ଦୁର୍ଗା ମହାନ୍ତର ମୃତୁ୍ୟ ପ୍ରମାଣ ପତ୍ର ଯାହା ୭/୮/୨୦୨୪ରେ ସେ ଦାଖଲ କରିଥିଲା ତାହା ଜାଲ ଏବଂ ଜମି ବିକ୍ରେତା ମାନଙ୍କ ଠାରୁ ସେ ତାର ଯାହା ଟଙ୍କା ପାଇବାର ଥିଲା ପାଇ ସାରିଛି । ଏଠାରେ ଏଭଳି ଜମି କିଣା ବିକାର ଚାଲିଆସିଥିବା ଏକାଧିକ ର୍ୟାକେଟକୁ ପୁଲିସ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା କାରଣରୁ ବଢି ଚାଲିଥିବା ସତ୍ତ୍ୱେ ତହସିଲରେ ବହୁବିଧ ଜାଲିଆତି ହେରଫେର ନିୟମ ବର୍ହିଭୂତ କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲି ଆସିଥିବା ହେତୁ ସାଧାରଣ ଲୋକେ ନ୍ୟାୟ ନ ପାଇ ପାରି ନ୍ୟାୟ ପାଇଁ ଅଦାଲତର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେଉଛନ୍ତି । ଏହିପରି ଆଉ ଏକ ବଡ ଧରଣର ସ୍କାମ ଗତ ୨୦୨୩ ମସିହାରେ ସିଲିଂ ବର୍ହିଭୂତ ଜମି ଯାହା ଭୂମିହୀନ ଗରିବ ଆଦିବାସୀମାନଙ୍କୁ ବୈଶିଙ୍ଗା ଆରଆଇ ଅଧିନସ୍ଥ ଦୁର୍ଗାପୁର ମୌଜାରେ ବଣ୍ଟନ କରାଯାଇ ସାରିଥିବା ସତ୍ତ୍ୱେ ପୁଣି ଏହି ଜମିକୁ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଥାନା ଅଧିନସ୍ଥ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟରର ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଏକକାଳୀନ ବିକ୍ରୟ କରି ପଟ୍ଟା ପ୍ରଦାନ କରାଯିବା ସହିତ ଏହି ଚାଷ ଜମିକୁ ଘରବାଡି କିସମ ରୂପାନ୍ତରିତ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ଆର୍ଥôକ ଫାଇଦା ହାସଲ କରାଯାଇ ଥିବା ସତ୍ତ୍ୱେ ଆରଡିସିଙ୍କ ଠାରେ ଅଭିଯୋଗ ପରେ ଏହି ସ୍କାମ ଏବେ ଶୀତଳ ଭଣ୍ଡାରରେ ପଡିଥିବା କୁହାଯାଇଛି । ଏଣୁ ଭିଜିଲାନ୍ସ ବା କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇ ତୁରନ୍ତ କଠୋର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି କରାଯାଇଛି ।