ବେଆଇନ ବାଲି ଚାଲାଣ, ବିପୁଳ ରାଜସ୍ୱହାନି

 ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ  ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ନଦୀର ଘୋଡାହଡ  ପ୍ରବାହିତ  ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବଢିଚାଲଛି । ଏହାକୁ ପ୍ରଶାସନ ରୋକି ପାରୁ ନ ଥିବାରୁ ସରକାର ବହୁ ରାଜସ୍ୱ ହରାଉଛନ୍ତି । ବେଆଇନ ବାଲି ଚାଲାଣ ଯୋଗୁଁ ନଦୀପଠା କ୍ଷୟ ହୋଇ ତଟବର୍ତ୍ତୀ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରୁଛି । କେତେକ ସ୍ଥାନରେ ବାଲିଖାଦାନ ପାଇଁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟସ୍ଥାନରେ ବେଆଇନ ଭାବେ ବାଲି ଉଠାଯାଉଛି । ତହସିଲ କାର୍ଯ୍ୟାଳୟ ଓ ମାଇନ୍ସ ବିଭାଗ ପକ୍ଷରୁ ଦିଆଯାଉଥିବା ଟ୍ରାନଜିଟ ପାସ୍ର ଦୁରୂପଯୋଗ କରି ବିଭିନ୍ନ ସ୍ଥାନକୁ ମଧ୍ୟ ବାଲି ଚାଲାଣ କରାଯାଉଥିବା ଅଞ୍ଚଳବାସୀଙ୍କ ସହ କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢୀ ଅଭିଯୋଗ କରିଛନ୍ତି । ହିଞ୍ଜିଳି ଓ ଶେରଗଡ ତହସିଲ ଅଞ୍ଚଳର ଗୁଡିସର, ବ୍ରାହ୍ମଣଛାଇ, କରିବା, ଶିକିରି, ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଭଗବତୀ ପୀଠ ନିକଟ ଘୋଡାହାଡ ନଦୀ ପଠାରୁ ବାଲି ଉତ୍ତୋଳନ କରିବା ଗୋଟିଏ ସକାଶେ ରାଜସ୍ୱ ଜମା ଦିଆଯାଇ ଲିଜ ନିଆଯାଇଛି ଓ ଅନ୍ୟ ଅଞ୍ଚଳ ଗୁଡିକରେ ବେଆଇନ ଭାବେ ବାଲି ଉତ୍ତୋଳନ ରାତାରାତି କରାଯାଉଛି । ଲିଜ ଖାଦାନ ଓ ଚୋରା ବାଲି ଚଢା ଦରରେ ବିକ୍ରି ହେଉଥିବାରୁ ଆବାସ ଗୃହ ଯୋଜନାରେ ହିତାଧିକାରୀମାନଙ୍କ ସହ ସାଧାରଣ ଲୋକମାନେ ଆର୍ଥିକ ସମସ୍ୟାରେ ପଡୁଛନ୍ତି । ଅନ୍ୟପକ୍ଷେ ଲିଜ ଖାଦାନରୁ ବେଆଇନ ଭାବେ ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଇ ଡମ୍ଫରରେ ଚୋରା ଚାଲାଣ ହେଉଥିଲେ ମଧ୍ୟ ଏହାକୁ ରୋକିବାରେ ରାଜସ୍ୱ ବିଭାଗ ଫେଲ୍ ମାରିଛି । ଏହାର ସୁଯୋଗ ନେଇ କେତେକ ଅସାଧୁ ବେପାରୀ ବେଆଇନ ଭାବେ ଚୋରାରେ ବାଲି ଉତ୍ତୋଳନ କରି କମ୍ ଦାମରେ ବିକ୍ରି କରୁଛନ୍ତି । ଖରିଡା, ଶିକିରି, ନନ୍ଦିନୀ ଓ ଦିଗାପଡାଶାସନ, ଫୁଟିଆପଦର  ଋଷିକୂଲ୍ୟା  ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିବାରୁ ନଦୀକୂଳ କ୍ଷୟ ଘଟି  ଗ୍ରାମ ପ୍ରତି ବିପଦ ସୃଷ୍ଟି କରିଛି । ରାତି ଅଧରେ ମେଶିିନ ସାହାଯ୍ୟରେ ବାଲି ଉତ୍ତୋଳନ କରାଯିବାରୁ ସେହି ସ୍ଥାନରେ ନଦୀଶଯ୍ୟା ଗଭୀର ହୋଇଛି । ତଳମୁଣ୍ଡରେ ଥିବା ନଦୀ ବାଙ୍କରେ ବର୍ତ୍ତମାନ ବାଲି ଜମା ହୋଇ ରହିଥିବାରୁ ବନ୍ୟା ଆସିଲେ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା କରାଯାଉଛି । ଋଷିକୂଲ୍ୟା ଘାଟରୁ ବାଲି ଉତ୍ତୋଳନ ହେଉଥିବାରୁ ଘାଟ ନିକଟସ୍ଥ ଗ୍ରାମ ଗୁଡିକ ନଦୀ ଗର୍ଭରେ ଲୀନ ହେବାକୁ ବସିଥିବା ସ୍ଥାନୀୟ ଲୋକଙ୍କ ସହ କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢି ଅଭିଯୋଗ କରିଛନ୍ତି । ବେଆଇନ ବାଲି ଚାଲାଣ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଜୀବନ ହାନି ହେଉଛି । ତେଣୁ ପୁଲିସ ଓ ମାଇନ୍ସ ବିଭାଗ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଚୋରା ବାଲି ବେପାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ପାଢି  ଦାବି କରିଛନ୍ତି ।