ଜମି ଜାଲିଆତି ଘଟଣା:ଉପ-ନିବନ୍ଧକ ନିଲମ୍ବିତ

ଭୁବନେଶ୍ୱର : ସରକାରୀ ଜମି ଜାଲିଆତିରେ ମୃତ ବ୍ୟକ୍ତିଙ୍କୁ ଜୀବତ ଦର୍ଶାଇ ସମ୍ବଲପୁର ଜିଲ୍ଲା ଉପନିବନ୍ଧକ ସୂର୍ଯ୍ୟନାରାୟଣ ସାମଲ ଜାଳିଆତି କରିଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ସାମଲ ମୃତବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଜାଲିଆତି କରି ଜମି ବିକ୍ରି ପଞ୍ଜିକରଣ କରାଇଥିଲେ  । ଗତ ୨୮/୦୩/୨୦୨୫ ତାରିଖ ଦିନ ଏହି ଘଟଣାରେ ସାମଲ ଗିରଫ ହୋଇଥିଲେ  । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ଆଦେଶ ଅନୁଯାୟୀ ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ସାମଲ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ହେବେ  । ଏହା ସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇପାରିବେ ନାହିଁ  ।
ଏଠାରେ ସୂଚନାଯୋଗ୍ୟ ଯେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ସୁରେଶ ପୂଜାରୀ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ ରାଜସ୍ୱ ବିଭାଗ ପକ୍ଷରୁ ବିଗତ ଦିନରେ ଅଧିକାଂଶ ମାମଲା ଉପରେ ଦୃଷ୍ଟାନ୍ତ ମୂଳକ ଭାବରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  । ଆଗାମୀ ଦିନରେ ମଧ୍ୟ ଦୁର୍ନୀତି ଓ ଜାଲିଆତି କାର୍ଯ୍ୟକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ପୂଜାରୀ ପ୍ରକାଶ କରିଛନ୍ତି  ।