ନାରୀ ଶକ୍ତିର ସମ୍ମାନ

ଶାସ୍ତ୍ରରେ ନାରୀମାନଙ୍କୁ ସପ୍ତ ସଦ୍ଗୁଣର ଅଧିକାରିଣୀ ବୋଲି କୁହାଯାଇଛି । ସତ୍ୟ, ପ୍ରେମ, ଧର୍ମ, ଶାନ୍ତି, ସହନ, ଆନନ୍ଦ ଓ ସ୍ୱାନୁଭୂତି । ସେ ଘରର ସ୍ତ୍ରୀ, ଯେ କି ଘରର ସୁନାମର ଆଧାର । ସେହିପରି ରାଜ୍ୟ ଦେଶ, ଏପରିକି ବିଶ୍ୱର ମର୍ଯ୍ୟାଦା ରକ୍ଷାରେ ନାରୀମାନଙ୍କର ମୁଖ୍ୟ ଭୂମିକା ରହିଛି । ଘର ଭିତରେ ନାରୀକୁ ଗୃହଲକ୍ଷ୍ମୀର ଉଚ୍ଚ ମର୍ଯ୍ୟାଦା ଦିଆଯାଇଛି । ପତି ଅସୁବିଧାର ସମ୍ମୁଖୀନ ହେବା ବେଳେ ପତ୍ନୀ ସଙ୍ଗେ ସଙ୍ଗେ ତାଙ୍କ ଦୁଃଖରେ ଭାଗୀ ହୁଏ ଏବଂ ପତି ତଥା ପରିବାରର କଲ୍ୟାଣ ପାଇଁ ଯେ କୌଣସି କାର୍ଯ୍ୟ କରିବାକୁ  ଯେ କୌଣସି ଦୁର୍ଦ୍ଦଶା ଭୋଗିବାକୁ ଏପରିକି ନିଜର ଜୀବନ ତ୍ୟାଗ କରିବାକୁ ପ୍ରସ୍ତୁତ ଥାଏ । ଘରଣୀ ହିଁ ଘରର ସୁନାମ ପଛରେ ଥାଏ । ନାରୀ ତ୍ୟାଗସ୍ୱରୂପିଣୀ ଅଟେ । ପୁରୁଷ ତ୍ୟାଗ କରୁଥିଲେ ବି ସେଥିରେ ସ୍ୱାର୍ଥଭାବନା ଥାଏ, କିନ୍ତୁ ନାରୀର ତ୍ୟାଗ ପୁରାପୁରି ନିଃସ୍ୱାର୍ଥପର । ସେଥିପାଇଁ ଆମେ ଆମର ନାରୀମାନଙ୍କ ପାଇଁ ଗର୍ବ କରିବା ଉଚିତ ।
ବ୍ରହ୍ମବୈବର୍ତ୍ତ ପୁରାଣରେ ବର୍ଣ୍ଣିତ ଅଛି- "ଜଗତ ମାତା ଚ ପ୍ରକୃତିଃ ପୁରୁଷଶ୍ଚ ଜଗତ ପିତା । ଗରିୟସୀ ଜଗତାଂ ମାତା, ମାତା ଶତଗୁଣଂ ପିତା । ।' ଅର୍ଥାତ୍ ଜଗତର ଜନ୍ମଦାତ୍ରୀ ହେଉଛନ୍ତି ମାତା । ଜଗତର ପାଳନ ବା ରକ୍ଷାକର୍ତ୍ତା ହେଉଛନ୍ତି ପୁରୁଷ । ସୁତରାଂ ଜନ୍ମଦାତ୍ରୀ ବା ଜଗତର ମାତା, ପିତାଙ୍କ ଠାରୁ ଶହେଗୁଣ ଅଧିକ ଶ୍ରେଷ୍ଠ । ନାରୀଙ୍କ ସ୍ଥାନ ସର୍ବଦା ଆଗରେ । ନାରୀକୁ ପ୍ରଥମ ସ୍ଥାନ ଦିଆଯାଇଛି ।  ଆଦି ମହୀୟସୀ ମହିଳାମାନେ ନିଜ ନିଜ କ୍ଷେତ୍ରରେ ସେମାନଙ୍କର କାର୍ଯ୍ୟଦକ୍ଷତା ଓ ଅଦମ୍ୟ ଶକ୍ତିର ପରାକାଷ୍ଠା ପ୍ରତିପାଦନ କରି କାଳଜୟୀ ହୋଇପାରିଛନ୍ତି । ନାରୀ ପୁରୁଷଙ୍କଠାରୁ କୌଣସି ଗୁଣରେ କମ ନୁହଁନ୍ତି । ନାରୀ ବିନା ଏ ସୃଷ୍ଟି ସମ୍ଭବ ନୁହେଁ । ନାରୀ ବିନା ସଂସାର କଳ୍ପନା ବୃଥା । ନାରୀ ବିନା ପୁରୁଷ ସମ୍ପୂର୍ଣ୍ଣ ହୋଇପାରେନା । ନର, ନାରୀ ଏକ ରଥର ଦୁଇ ଚକ । ଏକ ଶରୀରର ଦୁଇପାଦ । ଏକ ମୁଖର ଦୁଇ ନେତ୍ର । ଜଣକ ବିନା ଅନ୍ୟଟି ଅସମ୍ପୂର୍ଣ୍ଣ । ତେଣୁ ନାରୀକୁ ପୁରୁଷର ଅର୍ଦ୍ଧାଙ୍ଗିନୀ କୁହାଯାଏ । ଭାରତୀୟ ସଂସ୍କୃତି ଓ ଧର୍ମରେ ନାରୀକୁ ଆବହମନ କାଳରୁ ପୁରୁଷର ଏକ ଓ ଅବିଚ୍ଛିନ୍ନ ଅଙ୍ଗରୂପେ ସ୍ୱୀକାର କରାଯାଇଛି । ପତ୍ନୀ ବିନା ପତିର କୌଣସି ଧର୍ମକାର୍ଯ୍ୟ, ଯଜ୍ଞାଦି କର୍ମ ସଫଳ ହୁଏନା । ତେଣୁ ତୈ୍ରତ୍ତରୀୟ ପୁରାଣରେ ବର୍ଣ୍ଣିତ ଅଛି - "ଅଯଜେ୍ଞା ବା ଏଷ ପୋ ପତ୍ନୀକଃ । । ଅର୍ଥାତ୍ ଯିଏ ଅପତ୍ନୀକ, ତାର ଯଜ୍ଞପୂର୍ଣ୍ଣ ହୁଏନା । ପତ୍ନୀ ବିନା ଯଜ୍ଞ ଅସମ୍ଭବ ବା ଅପୂର୍ଣ୍ଣ ରହେ । ନାରୀ ସର୍ବଦା କଲ୍ୟାଣକାରୀ । ସେ ପୂଜ୍ୟା । ଗୃହର ଦୀପ୍ତି । ନାରୀ ଧର୍ମକାର୍ଯ୍ୟର ସହାୟିକା ଅଟନ୍ତି । କୁହାଯାଏ - ଦାରାଧୀନ ସ୍ତଥା ସ୍ୱର୍ଗଃ... ଅର୍ଥାତ୍ ସ୍ୱର୍ଗ ସ୍ତ୍ରୀର ଅଧୀନ ଅଟେ । ମନୁ ସଂହିତାରେ ବର୍ଣ୍ଣିତ ଅଛି - "ଯତ୍ର ନାର୍ଯ୍ୟବସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ, ଯଦ୍ରୈତାସ୍ତୁ ନ ପୂଜ୍ୟନ୍ତେ ସର୍ବାସ୍ତତ୍ରା ଫଳାଃ କ୍ରିୟାଃ । ।' ଯେଉଁ ଗୃହରେ ନାରୀକୁ ସମ୍ମାନ ଦିଆଯାଏ, ସେଠାରେ ଦେବ ବାସ କରନ୍ତି । ଯେଉଁଠାରେ ତା'ର ତିରସ୍କାର ହୁଏ, ସେଠାରେ ସମସ୍ତ କାର୍ଯ୍ୟ ନିଷ୍ଫଳ ହୁଏ । ନାରୀମାନଙ୍କୁ ଅଷ୍ଟୈଶ୍ୱର୍ଯ୍ୟ ସ୍ୱରୂପିଣୀ ବୋଲି କୁହାଯାଇଛି । ସେଥିପାଇଁ ଆମ ସଂସ୍କୃତିରେ ପିତା, ଗୁରୁ ଓ ଭଗବାନଙ୍କ ଅପେକ୍ଷା ମାତାଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଯାଉଛି । ଯଥାର୍ଥରେ କୁହାଯାଇଛି "ଯତ୍ର ନାର୍ଯ୍ୟାସ୍ତୁ ପୂଜ୍ୟନ୍ତେ ତତ୍ର ରମନ୍ତେ ସର୍ବ ଦେବତା' । ତେଣୁ ଉପନିଷଦରେ ବର୍ଣ୍ଣନା ଅଛି - ନାରୀମାନେ ଲକ୍ଷ୍ମୀ ସ୍ୱରୂପିଣୀ ହୋଇଥିବା ଯୋଗୁଁ ସେମାନଙ୍କୁ ସମ୍ମାନିତା କରାଯିବା ବେଳେ ହିଁ ପୃଥିବୀ ସମୃଦ୍ଧିଲାଭ କରିପାରିବ । ତୁମେ ଏହା ନିଜେ ଦେଖିପାରିବ ଯେଉଁଠାରେ ସଚ୍ଚରିତ୍ରା ନାରୀମାନେ ଥାଆନ୍ତି ସେଠାରେ ତୁମେ ସମସ୍ତ ସମୃଦ୍ଧି ପାଇପାରିବ । ତୁମେ ସମସ୍ତେ ଜାଣିଛ ଯେ ବିଶ୍ୱଯୁଦ୍ଧ ସମୟରେ ଅନେକ ଦେଶ କ୍ଷତିଗ୍ରସ୍ତ ହେଲେ । ଭାରତ ଯଦି ଅକ୍ଷୁଣ୍ଣ ରହିପାରିଲା, ତାହାର କାରଣ ହେଉଛି କେବଳ ସଚ୍ଚରିତ୍ରା ନାରୀମାନଙ୍କ ଉପସ୍ଥିତି । ଭାରତ ନିଜର ମହାନତା ଓ ଗାରିମା ପାଇଁ ନାରୀମାନଙ୍କ ନିକଟରେ ସମ୍ପୂର୍ଣ୍ଣ ଋଣୀ । ତେଣୁ ନାରୀ ମାନଙ୍କୁ ସମ୍ମାନ କର ଏବଂ ସେମାନଙ୍କୁ ସୁଖୀ କର । ଭାରତର ମହାନ ସଂସ୍କୃତିର ସୁରକ୍ଷା କ୍ଷେତ୍ରରେ ନାରୀ ମାନଙ୍କର ଦାନ ଅତୁଳନୀୟ । ବୈଦିକ ଯୁଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ନାରୀମାନେ ହିଁ ଭାରତୀୟ ସଂସ୍କୃତିର ସଂରକ୍ଷକ ଓ କର୍ଣ୍ଣଧାର ହୋଇ ଆସିଛନ୍ତି । ଆମ ଜନ୍ମଭୂମି ଭାରତରେ ଅମୃତୋପମ ଭାବ ହେଉଛି ନିଜର ମାତାଙ୍କ ପ୍ରତି ପ୍ରେମ । ଉତ୍ତମ ଚରିତ୍ର ହିଁ ପ୍ରକୃତ ସୌନ୍ଦର୍ଯ୍ୟ, ନୈତିକତା ନାରୀର ପ୍ରାଣବାୟୁ, ଲଜ୍ଜ୍ୟା ତା'ର ଜୀବନୀ ଶକ୍ତି ଓ କଠୋର ସତ୍ୟାନୁସରଣ ହିଁ ତା'ର ପ୍ରତିଦିନର କର୍ତ୍ତବ୍ୟ । 
ଶ୍ୟାମ ସୁନ୍ଦର ସାମଲ,ମୋ: ୯୭୭୮୬୩୫୯୨୬