ଜାତୀୟ କ୍ରୀଡା ଦିବସ ପାଳିତ

 ପାରାଦୀପ : ଆଜି ହେଉଛି ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ । ତାଙ୍କର ଜନ୍ମଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ । ଏହିକ୍ରମରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ପୂର୍ବାହ୍ନରେ  ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋପବନ୍ଧୁ କ୍ରୀଡା ସଂସଦ (ଜିକେଏସ) ର କାର୍ଯ୍ୟକାରୀ ସଭାପତି ଡା. ଦୁର୍ଗା ପ୍ରସାଦ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି  ଅର୍ପଣ କରି ଜାତୀୟ କ୍ରୀଡା ଦିବସ  ପାଳନର ଆଭିମୁଖ୍ୟ ଓ ମେଜର ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବନ୍ଦର କ୍ରୀଡା ଉପଦେଷ୍ଟା ରବି ଦାସ, ବନ୍ଦର ହକି ଦଳର ଅଧିନାୟକ ବିଜୟ ଦାସ, ଜିକେଏସ ସମ୍ପାଦକ ଧୂନଚନ୍ଦ୍ର ତରାଇ ପ୍ରମୁଖ ଉପସ୍ଥିତ ରହି ମହାନ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜୀବନୀ ଓ ହକି ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । 
ପିପିଲି: ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ପିପିଲି ନୋଡାଲ ହାଇସ୍କୁଲ ଖେଳପଡିଆରୁ ଏକ ବିଶାଳ କ୍ରୀଡା ଶୋଭାଯାତ୍ରା ବାହାରି ପିପିଲି ବଜାର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାକୁ ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ପିପିଲି ଏସ୍ଡିପିଓ ଦେବାଶିଷ ମିଶ୍ର ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜବାହର ବିଦ୍ୟାପୀଠ ଠାରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ ଶ୍ରୀ ମହାନ୍ତି, ପିପିଲି ବିଇଓ ପୀତବାସ ସେଠୀ, ଆନ୍ତର୍ଜାତିକ କ୍ରୀଡାବିତ୍ ସୁସ୍ମିତା ଟିଗ୍ଗୋ, ସବିତା ଟପ୍ପୋ, ପିପିଲି ସାଂସ୍କୃତିକ ପରିଷଦର ସାଧାରଣ ସଂପାଦକ ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ର, ଉପସଭାପତି ଦୀନବନ୍ଧୁ ବେହୁରା, ଶିକ୍ଷାବିତ୍ ହେମନ୍ତ କୁମାର ପ୍ରଧାନ, କ୍ରୀଡାବିତ୍ ପ୍ରଶାନ୍ତ କୁମାର ଜେନା ପ୍ରମୁଖ ଯୋଗଦେଇ ଧ୍ୟାନଚାନ୍ଦଙ୍କ ସଂପର୍କରେ ଆଲୋକପାତ କରିବା ସହ ଜାତୀୟ କ୍ରୀଡା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ପ୍ରକାଶ କରି ଥିଲେ । ଏହା ପରେ ଗୋବିନ୍ଦପୁର ଠାରେ ଥିବା ଆଦର୍ଶ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ କ୍ରୀଡାର ବିକାଶରେ ଆମର ଲକ୍ଷ   ଉପରେ  ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍, ଇଣ୍ଡୋର୍ ଷ୍ଟାଡିୟମ୍, ପାରାଦୀପ ଓ ଜଗତସିଂହପୁର, ଖେଲୋ ଇଣ୍ଡିଆ ସେଣ୍ଟର୍ ଠାରେ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ନିଜନିଜ ପରିବାର ବର୍ଗ ଓ ବନ୍ଧୁ ପରିଜନଙ୍କୁ ଖେଳ ଓ ଫିଟନେସ କାର୍ଯ୍ୟକଳାପରେ ଉସôାହିତ କରିବା ପାଇଁ ଶପଥ ପାଠ କରିଥିଲେ । ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ମୁଖ୍ୟ ଅତିଥି ଭାବେ ସାଂସଦ ବିଭୁ ପ୍ରସାଦ ତରାଇ ଯୋଗ ଦେଇ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଉପସ୍ଥିତ ସମସ୍ତ ଙ୍କୁ ଫିଟ୍ ଇଣ୍ଡିଆ ଶପଥ ପାଠ କରାଇଥିଲେ । ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ପୌର ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ, ଆଥଲେଟିକ ଆସୋସିଏସନ୍ସ ସମ୍ପାଦକ, ଦୋଳଗୋବିନ୍ଦ ଦାଶ, ଉପ ସଭାପତି ସାଧୁଚରଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ୱ ବୀଜୟିନୀ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଏହି ଜାତୀୟ କ୍ରୀଡା ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ ।