ଜିଲ୍ଲା ରାଜସ୍ୱ ଅଧିକାରୀ ବୈଠକ 

 ନୂଆପଡା : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ୱ ଅଧିକାରୀଙ୍କ ତଥା ରାଜସ୍ୱ ସଂଗ୍ରହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବନଖଣ୍ଡ ଅଧିକାରୀ ଖରୀଆର ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଡେପୁଟୀ କଲେକ୍ଟର ଶେଖ୍ ନସିମ, ହେମନ୍ତ ପୁଟା, ସମସ୍ତ ବିଡିଓ ଓ ତହସିଲଦାର, ଅତିରିକ୍ତ ତହସିଲଦାର, ବିଭିନ୍ନ ବିଭାଗର ଯନ୍ତ୍ରୀ, ଖଣି ଅଧିକାରୀ, ଅବକାରୀ ଅଧିକ୍ଷକ, ପରିବହନ ଅଧିକାରୀ, ସମସ୍ତ ଏନ୍ ଏ ସି କାର୍ଯ୍ୟନିର୍ବାହି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଡିଇଜିଏମ ପ୍ରମୁଖ ଯୋଗ ଦେଇଥିଲେ । ବୈଠକକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ସମସ୍ତ ତହସିଲଦାର, ଆଡିସିଓନାଲ ତହସିଲଦାର ରାଜସ୍ୱ ନିରୀକ୍ଷକ ଅତି ଶୀଘ୍ର ନିଜ ନିଜ ତହସିଲର ଫେରନ୍ତା ପ୍ରବାସୀଙ୍କୁ ଚିହ୍ନଟ କରି ଘରଡିହ ନ ଥିଲେ ଯୋଗାଇ ଦେବେ । ଚାଷ ଜମି ମୋଟେ ନ ଥିଲେ ସରକାରୀ ନିୟମ ମୁତାବକ ଜମି ଲିଜ୍ ଦେବେ ।  ଦ୍ୱିତୀୟ ଖାନା ସଂଶୋଧନ କରିବେ ଯାହାଦ୍ୱାରା ସେମାନେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ପାଇ ପାରିବେ । ଚଳିତ ଆର୍ଥିକ ବର୍ଷ ୨୦୨୫  ଅଗଷ୍ଟ ପର୍ଯ୍ୟନ୍ତ ଆଂଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ୫ କୋଟି ୬୪ଲକ୍ଷ ଟଙ୍କା ସଂଗ୍ରହ ହୋଇଛି । ଅବକାରୀ ବିଭାଗ ଦ୍ୱାରା ଅଗଷ୍ଟ ସୁଦ୍ଧା ୮ କୋଟି ୫୬ ଲକ୍ଷ ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି । ସମସ୍ତ ରାଜସ୍ୱ ଅଧିକାରୀ ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ କରିବା, ସ୍ୱଚ୍ଛ ରଖିବା, ପ୍ଲାଷ୍ଟିକ ମୁକ୍ତ କରିବା, ବ୍ୟାପକ ବୃକ୍ଷ ରୋପଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ । ପାର୍ଚ୍ଚା ଦ୍ୱିତୀୟ ଖାନା ଶତ ପ୍ରତିଶତ ସଂଶୋଧନ କରିଥିବାରୁ ସଭାରେ ରାଜସ୍ୱ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ସୁନାନୀ, ଦେବରାଜ ତ୍ରିପାଠୀ, ଗଙ୍ଗାଧର ଜଗତ, ଲାଇବାନ ପୁଝାରୀ ଓ ଶେଫାଳୀ ତାଣ୍ଡିଙ୍କୁ ଉତ୍ତରୀୟ ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା ।