ବିଜେପି ପରେ ବିଜେଡ଼ିର ନିବେଦନ : ‘ଦରମା ବୃଦ୍ଧିର ପୁନର୍ବିଚାର ହେଉ’

ବିଜେପି ପରେ ବିଜେଡ଼ିର ନିବେଦନ : ‘ଦରମା ବୃଦ୍ଧିର ପୁନର୍ବିଚାର ହେଉ’

ବର୍ଦ୍ଧିତ ଦରମା ନେବେନି ବୋଲି ନବୀନ ପୂର୍ବରୁ ଜଣାଇଥିଲେ
 

ଭୁବନେଶ୍ୱର : ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ପୂର୍ବରୁ ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ଓ ଏହାକୁ ଗରିବ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ଆଜି ଏହାର ପୁନର୍ବିଚାର ପାଇଁ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି । ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବିଧାୟିକା ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଧାୟକ ତଥା ବିରୋଧୀ ଦଳର ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ଏହି ସୂଚନା ଦେଇଥିଲେ । ଶ୍ରୀମତୀ ମଲ୍ଲିକ କହିଥିଲେ, ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇ ଏହା ଡିସେମ୍ୱର ୯ ତାରିଖରେ ସର୍ବସମ୍ମତି କ୍ରମେ ପାସ ହୋଇଥିଲା । ଏହି ବର୍ଦ୍ଧିତ ଦରମା ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ଓ ଏହାକୁ ଗରିବ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଜଣାଇଥିଲେ । 


   ଏହି ବର୍ଦ୍ଧିତ ଦରମାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟାକୁ ସମ୍ମାନ ଜଣାଇ, ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ତରଫରୁ ଏହାକୁ ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛୁ । ପ୍ରତାପ ଦେବ କହିଥିଲେ, ଜନସାଧାରଣଙ୍କ ମଧ୍ୟରେ ଦେଖା ଯାଇଥିବା ପ୍ରତିକ୍ରିୟାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏହାର ପୁନର୍ବିଚାର କରିବେ ଓ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ଆମେ ଆଶା କରୁଛୁ ।