ଝୁଲଣ ଯାତ୍ରା ଉଦ୍ୟାପିତ
ପୁରୀ : ଶ୍ରାବଣ ଶୁକ୍ଳ ଦଶମୀରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଝୁଲଣ ଯାତ୍ରା ରବିବାର ଦିନ ଶେଷ ହୋଇଛି । ଏହି ଯାତ୍ରା ଅବସରରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ହଜାର ହଜାର ଭକ୍ତ ଶ୍ରୀମନ୍ଦିରର ଝୁଲଣ ମଣ୍ଡପରେ ନିର୍ମିତ୍ତ ଚିତ୍ତାକର୍ଷକ କାରୁକାର୍ଯ୍ୟପୂର୍ଣ୍ଣ ଝୁଲଣ କୁଞ୍ଜରେ ଠାକୁର ଠାକୁରାଣୀଙ୍କୁ ଦର୍ଶନ କରିବା ସହ ସୁଦୃଶ୍ୟ ଝୁଲଣ କୁଞ୍ଜର ଶୋଭା ଉପଭୋଗ କରିଥିଲେ । ଶ୍ରୀମନ୍ଦିର ସହ ବିଭିନ୍ନ ମଠମାନଙ୍କରେ ପ୍ରତିବର୍ଷ ଭଳି ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଜରି ଜମ୍ବୂରାରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ଝୁଲଣ କୁଞ୍ଜରେ ଝୁଲି ଝୁଲି ମଠର ଠାକୁରମାନେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଝୁଲଣ ମଣ୍ଡପକୁ ସୁନ୍ଦର ଭାବେ ଚିତ୍ରିତ କରାଯିବା ସହ ଝୁଲଣ କୁଞ୍ଜକୁ ରଂଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା । ବିଭିନ୍ନ ମଠରେ ଦର୍ଶନାର୍ଥୀଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର ଆୟୋଜନ କରାଯାଇଥିଲା ।