‘ଟାଇମ୍ସ ବିଜନେସ୍‌ ଆୱାର୍ଡ-ଓଡ଼ିଶା' କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

‘ଟାଇମ୍ସ ବିଜନେସ୍‌ ଆୱାର୍ଡ-ଓଡ଼ିଶା' କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

ଯୁବଶକ୍ତି ହେଉଛି ଆମର ବଡ଼ ପୁଞ୍ଜି : ଧର୍ମେନ୍ଦ୍ର 

ଭୁବନେଶ୍ୱର : ଓଡ଼ିଶାର ଅପାର ସମ୍ଭାବନା ଯଥା ପ୍ରାକୃତିକ ସମ୍ପଦ, ପ୍ରତିଭାବାନ ଯୁବଶକ୍ତି, ସୁଦୀର୍ଘ ବେଳାଭୂମିର ବନ୍ଦର ଏବଂ ନୂତନ ଯୁଗର ବୈଷୟିକ ଜ୍ଞାନକୌଶଳକୁ ପାଥେୟ କରି ଏକ ସମୃଦ୍ଧ ଅର୍ଥନୈତିକ ଅଧ୍ୟାୟ ସୃଷ୍ଟି କରିବା ଆଜି ସମୟର ଆହ୍ୱାନ । ଓଡ଼ିଶାକୁ କେବଳ କଞ୍ଚାମାଲ ଯୋଗାଣକାରୀ ରାଜ୍ୟ ଭାବେ ନୁହେଁ, ବରଂ ଏକ "ଜ୍ଞାନ-ଆଧାରିତ ଅର୍ଥନୀତି' ଓ "ମ୍ୟାନୁଫ୍ୟାକ୍‌ଚରିଂ ହବ୍‌' ଭାବେ ଗଢ଼ି ତୋଳିବା ପାଇଁ ଆଗେଇ ଆସିବାକୁ ଉଦ୍ୟୋଗୀ ସମାଜକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ଠାରେ ଆଜି ଆୟୋଜିତ ‘ଟାଇମ୍ସ ବିଜନେସ୍‌ ଆୱାର୍ଡ-ଓଡ଼ିଶା' କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟର ଅପାର ସମ୍ଭାବନାର ସଠିକ୍‌ ଉପଯୋଗ ହିଁ ଓଡ଼ିଶାକୁ ଆଗାମୀ ଦିନରେ ଏକ ସମୃଦ୍ଧଶାଳୀ ଅର୍ଥନୈତିକ ଶକ୍ତି ଭାବେ ଉଭା କରିବ । ବିଜ୍ଞାନ ଓ ବୈଷୟିକ କୌଶଳର ପ୍ରୟୋଗ ମାଧ୍ୟମରେ ସ୍ଥାନୀୟ ସମ୍ବଳକୁ ରୋଜଗାରକ୍ଷମ କରିବା ଏବଂ ବିଶ୍ୱସ୍ତରୀୟ ବଜାର ସହ ଯୋଡ଼ିବା ଆଜିର ସମୟର ସବୁଠାରୁ ବଡ଼ ଆବଶ୍ୟକତା । 

 ନୂତନ ଯୁଗର ଅର୍ଥନୀତିରେ ଓଡ଼ିଶାର ଅପାର ସମ୍ଭାବନା ରହିଥିବା ଦର୍ଶାଇ ସେ କହିଛନ୍ତି ଯେ, ରାଜ୍ୟ ଏବେ କେବଳ ଲୁହାପଥରରୁ ଷ୍ଟିଲ୍‌ ତିଆରି କରିବାରେ ସୀମିତ ନରହି ‘ସ୍ପେଶାଲିଟି ଷ୍ଟିଲ୍‌' ଓ ଉଚ୍ଚମାନର ମ୍ୟାନୁଫ୍ୟାକ୍‌ଚରିଂ ଦିଗରେ ଆଗେଇବା ଆବଶ୍ୟକ । ବିଶେଷ କରି କ୍ରିଟିକାଲ ମିନେରାଲ୍ସ, ସେମିକଣ୍ଡକ୍ଟର, ଶକ୍ତି, ଏଗ୍ରିଟେକ୍‌, ଏଡୁଟେକ୍‌, ପ୍ରତିରକ୍ଷା ବୈଷୟିକ ଜ୍ଞାନକୌଶଳ ଏବଂ ଫିନଟେକ୍‌ କ୍ଷେତ୍ରରେ ଓଡ଼ିଶା ନୂଆ ଇତିହାସ ରଚିବାକୁ ଯାଉଛି । ରାଜ୍ୟର ବନ୍ଦର, ପ୍ରାକୃତିକ ସମ୍ପଦ ଏବଂ ବୈଷୟିକ ଜ୍ଞାନକୌଶଳର ସଠିକ୍‌ ସମନ୍ୱୟ ରକ୍ଷା କରି ଓଡ଼ିଶାକୁ ଏକ ‘ଜ୍ଞାନ ଆଧାରିତ ଅର୍ଥନୀତି' ଏବଂ ବିଶ୍ୱସ୍ତରୀୟ 'ମ୍ୟାନୁଫ୍ୟାକ୍‌ଚରିଂ ହବ୍‌' ଭାବେ ଗଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି । ଓଡ଼ିଶା କେବଳ କଞ୍ଚାମାଲ ଯୋଗାଣକାରୀ ନହୋଇ ମୂଲ୍ୟଯୁକ୍ତ ଉତ୍ପାଦନ ଓ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଉଚିତ୍‌ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଆମର ଯୁବଶକ୍ତି ହେଉଛି ଆମର ବଡ଼ ପୁଞ୍ଜି । ସେମାନଙ୍କ ପାଖରେ ନୂତନ ଚିନ୍ତାଧାରା, ଶକ୍ତି ଏବଂ ଆଗ୍ରହ ରହିଛି । ସେମାନଙ୍କୁ ନୂତନ ଯୁଗର ଦକ୍ଷତା ସହ ଗଢ଼ି ତୋଳିଲେ, ଆମେ ୨୦୩୬ ସୁଦ୍ଧା "ବିକଶିତ ଓଡ଼ିଶା’ ର ସ୍ୱପ୍ନ ସାକାର କରିପାରିବା । ସମସ୍ତ ଉଦ୍‌ୟୋଗୀମାନଙ୍କୁ ଆଗାମୀ ୧୦ ବର୍ଷର ଲକ୍ଷ୍ୟକୁ ଆଖି ଆଗରେ ରଖି କେବଳ ବ୍ୟବସାୟ ନୁହେଁ, ବରଂ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ପ୍ରଧାନ ଆନୁରୋଧ କରିଛନ୍ତି । ଦେଶର ଅର୍ଥନୀତି ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଶ୍ୱର ଭୂ-ରାଜନୈତିକ ଅସ୍ଥିରତା ସତ୍ତ୍‌ୱେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ସମୃଦ୍ଧ ହେଉଛି । ବିଶ୍ୱର ଭୂ-ରାଜନୈତିକ ଅସ୍ଥିରତା ସତ୍ତ୍‌ୱେ ଆଜି ଭାରତର ଅର୍ଥନୀତି ସମୃଦ୍ଧ ହେଉଛି । ‘ଟାଇମ୍ସ ବିଜନେସ୍‌ ଆୱାର୍ଡ-ଓଡ଼ିଶା' କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଉଦ୍ୟୋଗୀଙ୍କୁ ସମ୍ମାନିତ କରିଛନ୍ତି ।