ଟ୍ରାକ୍ଟରରେ ଗଞ୍ଜେଇ ଚାଲାଣ, ୨ ଗିରଫ

ଜୟପୁର : ଜୟପୁର ସଦରଥାନା ପୁଲିସ ଟ୍ରାକ୍ଟର ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ଅଟକାଇ ଲକ୍ଷାଧିକରୁ ଉର୍ଦ୍ଧ୍ୱ ଟଙ୍କା ବେଆଇନ ୧ କୁଇଣ୍ଟାଲ ୯୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଛନ୍ତି । ଏହାକୁ ଚାଲାଣ କରୁଥିବା ଅଭିଯୋଗରେ ମାଛକୁଣ୍ଡ ଥାନା ବିଜାଗୁଡା ଗ୍ରାମର ଗୋପୀ ବଡନାୟକ ଏବଂ ବୈପାରୀଗୁଡା ଥାନା ବୋମେଲ ଗ୍ରାମର କୃଷ୍ଣ ଗାଦବାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି  ।

    ପୁଲିସ ସୂଚନା ଅନୁଯାୟୀ ଗତ ବିଳମ୍ବିତର ରାତ୍ରିରେ ସଦରଥାନା ପୁଲିସ ଏଏସଆଇ ଅମିୟ ରଞ୍ଜନ ଶଗରିଆ ଏବଂ ବିଦ୍ୟାଧର ମାଝିଙ୍କ ନେତୃତ୍ୱରେ ପୁଲିସ ପାଟ୍ରୋଲିଙ୍ଗ ଦଳ ଜୟପୁର ମାଲକାନଗିରି ରାସ୍ତା ୩୨୬ ନମ୍ବର ଜାତୀୟରାଜପଥରେ ପାଟ୍ରୋଲିଂ କରୁଥିବା ବେଳେ ସ୍ଥାନୀୟ ଜବାକନାଡି ଗ୍ରାମ ନିକଟରେ ଏକ ନମ୍ବର ବିହୀନ ଟ୍ରାକ୍ଟର ଓ ଟ୍ରଲି ସହିତ ଆସୁଥିବା ବେଳେ ପୁଲିସ ଗାଡିକ ଦେଖି ରାସ୍ତା ପାର୍ଶ୍ୱରେ ଅଟକି ଯାଇଥିଲା । ପୁଲିସକୁ ସନ୍ଦେହ ହେବାରୁ ଉକ୍ତ ଟ୍ରାକ୍ଟରକୁ ଯାଞ୍ଚ କରିଥିଲେ । କୌଣସି ସାମଗ୍ରୀ ବୋଝେଇ ହୋଇ ନଥିଲା କିନ୍ତୁ ଟ୍ରଲିରେ ଏକ ଗୁପ୍ତ ଚାମ୍ବର ନିର୍ମାଣ ହୋଇଥିବା ପୁଲିସ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲା । ଶେଷରେ ପୁଲିସ ଉକ୍ତ ଚାମ୍ବର ଭିତରୁ ଗଞ୍ଜେଇ ଗନ୍ଧ ଆସୁଥିବା ଜାଣିବା ପରେ ଏହାକୁ ଖୋଲି ଭିତରେ ଥିବା ବିଭିନ୍ନ ପୋଲିଥିନ ଜରିବସ୍ତାରେ ଉପରୋକ୍ତ ପରିମାଣର ଗଞ୍ଜେଇ ଜବତ କରିଥିଲେ । ଏହାକୁ ନେଇ ଗିରଫ ଦୁଇଜଣ ବ୍ୟକ୍ତି ମଧ୍ୟରୁ ଜଣେ ଚାଲାଣା କରୁଥିବା ବେଳେ ଅନ୍ୟଜଣେ ଡ୍ରାଇଭରଙ୍କ ପାର୍ଶ୍ୱରେ ବସିଥିଲେ । ଏହାକୁ ମାଛକୁଣ୍ଡ ଥାନା ଅଞ୍ଚଳରୁ ଅଣାଯାଇ ଜୟପୁର ସହର କିମ୍ବା ଆଖାପାଖ ଗ୍ରାମାଞ୍ଚଳରେ କୌଣସି ଗଞ୍ଜେଇ ମାଫିଆଙ୍କୁ ପ୍ରଦାନ କରିବାକୁ ଯାଉଥିବା ନେଇ ସନ୍ଦେହ କରାଯାଉଛି । ଏହାର ତଦନ୍ତ ଦାୟୀତ୍ୱ ଏସ.ଆଇ ଶିରିଶ ମହାପାତ୍ର କରୁଥିବା ନେଇ ଥାନା ଅଧିକାରୀ ସଚ୍ଚିନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି ।