ଟ୍ରାଫିକ ଭିଡ଼ରେ ଫସିଲା ଆମ୍ବୁଲାନ୍ସ, : ବାଟରେ ରୋଗୀଙ୍କ ମୃତ୍ୟୁ

ପାରାଦୀପ : ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜାର ଦୈନିକ ହଜାର ହଜାର ଜନସମାଗମ ହେଉଥିବା ବେଳେ ଦୋଛକି ଠାରୁ ବଡପଡ଼ିଆ ଛକ ପର୍ଯ୍ୟନ୍ତ ଅସମ୍ଭବ ଭିଡ ଲାଗି ରହିଛି । ଉକ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଲାଗି ରହୁଛି । ଫଳରେ ଛୋଟ ବଡ ଦୁର୍ଘଟଣା ଘଟୁଥିବା ନେଇ ଅଭିଯୋଗ ହେଉଛି । ଉକ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଲାଗି ରହିବା ନେଇ ରବିବାର ସନ୍ଧ୍ୟାରେ ଦୁର୍ଘଟଣାରେ ଗୁରୁତର ଆହତ ଜୈନକ ଯୁବକ ଆମ୍ବୁଲାନ୍ସ ଯୋଗେ କଟକ ଅଭିମୁଖେ ଯାଉଥିବା ବେଳେ ଉକ୍ତ ରାସ୍ତାରେ ଅଢେ଼ଇ ଘଣ୍ଟା ଧରି ଆମ୍ବୁଲାନ୍ସଟି ଫସି ରହିଥିଲା । ଫଳରେ ହସପିଟାଲରେ ପହଞ୍ଚିବା ପୂର୍ବରୁ ବାଟରେ ଉକ୍ତ ଯୁବକଙ୍କ ଜୀବନ ଚାଲିଗଲା । ମୃତ ଯୁବକ ଜଣକ ନେହେରୁବଙ୍ଗଲାରେ ରହି ଆସୁଥିବା ମହେଶ୍ୱର ଦାସଙ୍କ ପୁଅ ରାକେଶ ଦାସ (୨୧ବର୍ଷ) ବୋଲି ଜଣାପଡ଼ିଛି । ରାକେଶ ଦାସ ରଙ୍ଗିଆଗଡ ରେଳ ଷ୍ଟେସନ ଅଭିମୁଖେ ବାଇକ୍ ଯୋଗେ ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ଅବସ୍ଥାରେ ଅଠରବାଙ୍କି ହସପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେ ସମୟରେ ଅଠରବାଙ୍କୀ ଛକ ଠାରୁ ଦୋଛାକି ପର୍ଯ୍ୟନ୍ତ ଜାତୀୟ ରାଜପଥ ସମ୍ପୂର୍ଣ ଜାମ୍? ରହିଥିଲା,ଯାହା ଫଳରେ ଉକ୍ତ ଜାମ ଭିତରୁ ବାହାରିବା ପାଇଁ ଆମ୍ବୁଲାନ୍ସଟି ଅଢେଇ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅଟକି ରହିବାକୁ ବାଧ୍ୟ ହୋଇଥିଲା । ତେବେ ଟ୍ରାଫିକ ସମସ୍ୟାରୁ ମୁକୁଳି କଟକ ଯିବା ବାଟରେ କନ୍ଦରପୁର ନିକଟରେ ଗୁରୁତର ଆହତ ଯୁବକଙ୍କର ମୃତ୍ୟୁ ହୋଇଥିଲା ।