ତହସିଲ କାର୍ଯ୍ୟାଳୟରେ ମିଳୁନି ପାଣି : ଅଲୋଡା ହୋଇପଡିଛି ଆକ୍ୱାଗାର୍ଡ ଓ ସୁରେଇ
ରାଜନଗର : ରାଜନଗର ବ୍ଲକ ସଦର ମହକୁମାରେ ଥିବା ତହସିଲ କାର୍ଯ୍ୟାଳୟରେ ପାଣି ମୁନେ୍ଦ ପିଇବାକୁ ମିଳୁନଥିବା ଅଭିଯୋଗ ହୋଇଛି । ଏହି ତହସିଲ କାର୍ଯ୍ୟାଳୟକୁ ପ୍ରତ୍ୟେହ ଶହଶହ ସଂଖ୍ୟାରେ ଲୋକ ଆସିଥାନ୍ତି । ବ୍ଲକର ଉପାନ୍ତ ୪୦/୫୦ କି.ମି ଦୂର ତାଳଚୁଆ ଓ ରଙ୍ଗଣୀ ପଂଚାୟତର ଲୋକମାନେ ତହସିଲ କାର୍ଯ୍ୟାଳୟରେ ପହଂଚିବା ପରେ ଶୁଦ୍ଧ ପାଣି ପିଇବାକୁ ପାଇ ନ ଥାନ୍ତି । ତହସିଲ କାର୍ଯ୍ୟାଳୟର ପ୍ରବେଶପଥ ପରିସରରେ ଆକ୍ୱାଗାର୍ଡ ଲାଗିଥିଲେ ମଧ୍ୟ ତାହା ଅବ୍ୟବହୃତ ଅବସ୍ଥାରେ ପଡିରହିଛି । ପାଣି ସୁରେଇ ଗୋଟିଏ ନୁହେଁ, ଦୁଇଟି ରହିଛି । ମାତ୍ର ଗୋଟିଏରେ ପାଣି ନଥିବା ବେଳେ ଅନ୍ୟଟିର ଅବସ୍ଥା ଦେଖିଲେ କେହି ପାଣି ପିଇବାକୁ ଇଛା ପ୍ରକାଶ କରିବେ ନାହିଁ । ସୁରେଇର ଉପର ଭାଗରେ ପଡିଥିବା ଧୂଳିମଳି ତହସିଲର ଗାରିମା ବୃଦ୍ଧି କରୁଛି ବୋଲି ଚର୍ଚ୍ଚା ହେଉଥିବା ପରିଲକ୍ଷିତ ହେଉଥିଲା । ଖାଲି ଏତିକି ନୁହେଁ, ଏହି କାର୍ଯ୍ୟାଳୟ ପରିସରରେ ଥିବା ପାଇଖାନାର କରୁଣଚିତ୍ର ନଦେଖିଲେ ବିଶ୍ୱାସ କରିହେବ ନାହିଁ । ମହ ମହ ଦୁର୍ଗନ୍ଧରେ ପରିସର ଫାଟି ପଡୁଛି । ତଥାପି କାହାରି ନିଘାନଥିବା ଅଭିଯୋଗ ହେଉଛି । ଏନେଇ ତହସିଲଦାର ଅମୀୟରଞ୍ଜନ ସ୍ୱାଇଁଙ୍କୁ ଯୋଗାଯୋଗ କରାଯିବାରୁ ଖୁବଶିଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି । ଏସମ୍ପର୍କରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।