‘ଥର୍’ ଧକ୍କାରେ ମା’ ଝିଅଙ୍କ ମୃତୁ୍ୟ: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଥର୍ ଗାଡ଼ି ଧକ୍କାରେ ମା’ ଝିଅଙ୍କ ମୃତୁ୍ୟ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ଉତ୍ତ୍ୟକ୍ତ ଲୋକମାନେ ପାତ୍ରପଡ଼ାରେ ରାସ୍ତାରୋକ ବି କରିଥିଲେ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ୍ସ ଯୋଗେ ଜଣାଇଛନ୍ତିଯେ, ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଞ୍ଚଳର ଜାଗୃତି ରାଉଳ (ପିତା-ମାନସ କୁମାର ରାଉଳ) ଏବଂ ରେବତୀ ରାଉଳ (ସ୍ୱାମୀ - ମାନସ କୁମାର ରାଉଳ)ଙ୍କ ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନି ବିଷୟରେ ଜାଣି ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।