ଜଳବନ୍ଦୀ ସ୍ଥାନରେ ଡଙ୍ଗା ପଡ଼ିବ କି ? ସିଏମସିକୁ ଏମିତି ପ୍ରଶ୍ନ କଲେ ହାଇକୋର୍ଟ

Highcourt

ଜଳବନ୍ଦୀ ସ୍ଥାନରେ ଡଙ୍ଗା ପଡ଼ିବ କି ? ସିଏମସିକୁ ଏମିତି ପ୍ରଶ୍ନ କଲେ ହାଇକୋର୍ଟ

ରାସ୍ତା ଉପରେ ତୋରଣ ମନା
ବର୍ଷା ଜଳ ନିଷ୍କାସିତ ନହେଲେ ଡଙ୍ଗା ପଡ଼ିବ କି ?

କଟକ, ୨୬/୯: କଟକ ସହର ସମସ୍ୟାକୁ ନେଇ ସିଏମସି ଉପରେ ଖୁବ ବର୍ଷିଛନ୍ତି ହାଇକୋର୍ଟ  । ଆଗକୁ ଦଶହରା ଆସୁଥିବାରୁ ରାସ୍ତା ଅବରୋଧ ନ କରିବା ଲାଗି ହାଇକୋର୍ଟ ତାଗିଦ୍‌ କରିଛନ୍ତି  । ଦୁର୍ଗାପୂଜାରେ ରାସ୍ତା ଉପରେ ତୋରଣ ନିର୍ମାଣକୁ ମଧ୍ୟ କୋର୍ଟ ବାରଣ କରିଛନ୍ତି  । ସେହିପରି ଶବ୍ଦ ପ୍ରଦୂଷଣ ରୋକିବା ଲାଗି ଡିଜେ ନ ବଜାଇବାକୁ ହାଇକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ଲାଗି ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି  । ଏଥିସହ ସହରର ରାସ୍ତାଘାଟ ଅବ୍ୟବସ୍ଥାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି  । ଆସନ୍ତା ୫ ସୁଦ୍ଧା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାସ୍ତାଘାଟଗୁଡ଼ିକ ବ୍ୟବହାର ଯୋଗ୍ୟ ହୋଇପାରିବ ବୋଲି ରାଜ୍ୟ ପୂର୍ତ୍ତ ସଚିବ ଭିଡ଼ିଓ କନଫରେନ୍ସି ଜରିଆରେ ହାଜର ହୋଇ ହାଇକୋର୍ଟକୁ ଜଣାଇଛନ୍ତି  ।

ସେହିପରି ଏସସିବି ମେଡ଼ିକାଲରେ ଲାଗି ରହିଥିବା ନାନବିଧ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ହାଇକୋର୍ଟକୁ ପ୍ରତିଶ୍ରୁତି ଦେଇଛନ୍ତି  । କମଳାକାନ୍ତ ବିଦ୍ୟାପୀଠ ନିକଟରୁ ଯଦି ବର୍ଷାଜଳ ନିଷ୍କାସିତ ନହୋଇପାରୁଛି, ସେଠାରେ କ’ଣ ଡଙ୍ଗା ପଡ଼ିବ ବୋଲି ସିଏମସି କମିଶନରଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛନ୍ତି  । ବିପର୍ଯ୍ୟସ୍ତ ରାସ୍ତାଘାଟ ତ୍ୱରିତ ବେଗରେ ମରାମତି କରାଇବା, ଜଳବନ୍ଦୀ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ତୁରନ୍ତ ପଦକ୍ଷେପ ନେବା, ମଶା ନିୟନ୍ତ୍ରଣ ଲାଗି ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି  । ଆସନ୍ତା ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି  । ଏହା ଭିତରେ ସମସ୍ତ ନିର୍ଦ୍ଦେଶର ସଠିକ ଅନୁପାଳନ ପାଇଁ ହାଇକୋର୍ଟ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି  । 

ଏହି ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ସିଏମସି କମିଶନର, ସ୍ୱାସ୍ଥ୍ୟ ଅଧିକାରୀ, ସିଟି ଇଂଜିନିୟର, ଏସସିବି ଅଧିକାରୀ ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥିତ ଥିଲେ  । ଅପରପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ, ନଗର ଉନ୍ନୟନ ବିଭାଗ ସଚିବ ଓ କଟକ ଜିଲ୍ଲାପାଳ ଭିଡ଼ିଓ କନଫରେନ୍ସି ଜରିଆରେ ହାଜର ହୋଇଥିଲେ  ।