ଦୁର୍ଘଟଣାରେ ମୃତ ପ୍ରହଲ୍ଲାଦଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ସହାୟତା
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲ ଅନ୍ତର୍ଗତ ଚମାଖଣ୍ଡି ଅଞ୍ଚଳର ପ୍ରହଲ୍ଲାଦ ନାୟକ(୬୦) (ପିତା - ରତନ ନାୟକ) ଙ୍କ ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (ସିଏମଆରଏଫ) ରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ ନିଜ ସ୍ତ୍ରୀଙ୍କ ସହିତ ଶୁକ୍ରବାର କାଳିଆବାଲିରୁ ନିଜ ଘରକୁ ଚାଲି ଚାଲି ଯାଉଥିବା ବେଳେ ଏକ ଅଜଣା ଗାଡି ପଛରୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ପ୍ରହଲ୍ଲାଦ ଗୁରୁତର ଆହତ ହୋଇଥିଲେ । ଚମାଖଣ୍ଡି ପୁଲିସ ତାଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ବଡମେଡ଼ିକେଲକୁ ସ୍ଥାନାନ୍ତର କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଚମାଖଣ୍ଡି ଥାନାରେ ୫୫୮/୨୫ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଛି । ଏହି ଘଟଣାରେ ରେଡକ୍ରସ ପକ୍ଷରୁ ୩୦ ହଜାର ଟଙ୍କା ଓ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ତାଙ୍କ ହାତ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ।