ଦୋଷୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ : ରାଜ୍ୟପାଳ
ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଏହାକୁ ନେଇ ସାରା ରାଜ୍ୟ ଶୋକ ପ୍ରକାଶ କରୁଥିବା ବେଳେ ଘଟଣାକୁ ନେଇ ଆକ୍ସନ ମୋଡରେ ରାଜ୍ୟପାଳ । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବରକୁ ନେଇ ଗଭୀର ମର୍ମାହତ ରାଜ୍ୟପାଳ କହିଛନ୍ତି । ରାଜ୍ୟପାଳ କହିଛନ୍ତି, ଛାତ୍ରୀଙ୍କ ଅକାଳ ବିୟୋଗ ଶୁଣି ମୁଁ ଗଭୀର ମର୍ମାହତ। ଏହା କେବଳ ଏକ ଦୁଃଖଦ ଘଟଣା ନୁହେଁ, ଆମ କ୍ୟାମ୍ପସକୁ ସୁରକ୍ଷିତ ରଖିବାକୁ ଜରୁରୀ ଆବଶ୍ୟକତା ବୋଲି ମନେ ପକାଉଛି । ଆଇନ କଡ଼ା ପଦକ୍ଷେପ ନେବ, ସଂପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ । ଏଥିସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ସରକାରଙ୍କ ସମସ୍ତ ଦାୟିତ୍ୱ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ପୀଡ଼ିତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିବା ନିମନ୍ତେ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ମୁଁ ଦିବଂଗତ ଛାତ୍ରୀଙ୍କ ପରିବାରକୁ ଆଶ୍ୱାସନା ଦେଉଛି ଯେ ସମ୍ପୃକ୍ତ ମାମଲାରେ ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରାଯିବ ।ଏଥିପାଇଁ ବ୍ୟକ୍ତିଗତ ଭାବେ ମୁଁ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛି। ପରିବାର ସହିତ ସରକାର ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି । ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି । ସମ୍ପୃକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ଦିବଂଗତ ଛାତ୍ରୀଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ।
ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ସେ କହିଛନ୍ତି ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଏଫଏମ କଲେଜ ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ଓ ମର୍ମାହତ। ଏପରି ସମୟକୁ ସାମ୍ନା କରିବା ପାଇଁ ମହାପ୍ରଭୁ ପରିବାର ଲୋକଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ । ମନକୁ ଏହା ଅଧିକ ବିଚଳିତ କରୁଛି ଯେ, କିପରି ଗୋଟେ ବିଫଳ ବ୍ୟବସ୍ଥା ଜଣଙ୍କ ଜୀବନ ନେଇଯାଇପାରେ। ସବୁଠୁ କଷ୍ଟଦାୟକ ହେଉଛି, ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏପରି ଏକ ବ୍ୟବସ୍ଥାର ଫଳ; ଯାହା ସାହାଯ୍ୟ କରିବା ବଦଳରେ ଚୁପ୍ ରହିଲା। ନ୍ୟାୟ ପାଇବାକୁ ସଂଗ୍ରାମ କରି କରି ଶେଷରେ ଝିଅଟି ଆଖି ବୁଜିଦେଲା।
ସେ ଅତି ସାହସିକତାର ସହ ତା' ସହିତ ଘଟିଥିବା ଯୌନ ନିର୍ଯାତନା ବିଷୟରେ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଥିଲା। କଲେଜ ପଦାଧିକାରୀଙ୍କ ଦ୍ଵାରା ଅଣଦେଖା ହେବା ପରେ ସେ ଅଟକି ଯାଇ ନଥିଲା। ନ୍ୟାୟ ପାଇବାକୁ ସେ ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଥିଲା। ଏପରି କି ବାଲେଶ୍ୱର ସାଂସଦଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଭେଟି ନିଜ ଦୁଃଖ ବିଷୟରେ କହିଥିଲା । ଜଣେ କେହି ବି ଯଦି ଉତ୍ତରଦାୟିତ୍ୱ ନେଇ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରିଥାନ୍ତେ, ତେବେ ହୁଏତ ଝିଅଟିର ଜୀବନ ବଞ୍ଚିଯାଇଥାନ୍ତା। ସେ କେବଳ ଶାରୀରିକ ଆଘାତ ପାଇ ପ୍ରାଣ ହରାଇ ନାହିଁ, ବରଂ ରାଜ୍ୟ ସରକାରଙ୍କ ଅଣଦେଖା ପାଇଁ; ଯାହା ତାଙ୍କୁ ନିଜ ସଂଗ୍ରାମରେ ଏକାକୀ ଛାଡ଼ି ଦେଇଥିଲା। ପୁରା ଘଟଣାକ୍ରମରୁ ଜଣାପଡ଼ୁଛି, ଏହା ଆନୁଷ୍ଠାନିକ ବିଶ୍ୱାସଘାତକତାରୁ କିଛି କମ୍ ନୁହେଁ; ଯାହା ଏକ ଯୋଜନାବଦ୍ଧ ଅନ୍ୟାୟ। ଏଥିସହ ଏହି ଘଟଣାରେ , ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ଓଡ଼ିଶାରେ ନ୍ୟାୟ ପାଇଁ ଲଢ଼ୁଥିବା ଝିଅର ମୃତ୍ୟୁ ହୋଇଛି। ଏହା ବିଜେପି ବ୍ୟବସ୍ଥା ଦ୍ୱାରା କରାଯାଇଥିବା ସିଧାସଳଖ ହତ୍ୟା ବୋଲି କୁହାଯାଇପାରିବ। ସେହି ସାହସୀ ଛାତ୍ରୀ ଯୌନ ଶୋଷଣ ବିରୋଧରେ ସ୍ୱର ଉଠାଇଥିଲେ। କିନ୍ତୁ ନ୍ୟାୟ ବଦଳରେ ତାଙ୍କୁ ବାରମ୍ବାର ଧମକ, ହଇରାଣ, ଅପମାନିତ କରାଯାଇଥିଲା।ଯେଉଁମାନେ ତାଙ୍କୁ ସୁରକ୍ଷା ଦେବା କଥା, ସେମାନେ ତାଙ୍କୁ ଭାଙ୍ଗିଦେଲେ। ପ୍ରତ୍ୟେକ ଥର ପରି, ବିଜେପି ବ୍ୟବସ୍ଥା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇ ଏକ ନିର୍ଦ୍ଦୋଷ ଝିଅକୁ ନିଜକୁ ଜାଳି ଦେବା ପାଇଁ ବାଧ୍ୟ କରିଦେଲା । ଏହା ଆତ୍ମହତ୍ୟା ନୁହେଁ, ଏହା ବ୍ୟବସ୍ଥା ଦ୍ୱାରା ସଂଗଠିତ ହତ୍ୟା। ମୋଦି ଜୀ, ଓଡ଼ିଶା ହେଉ କି ମଣିପୁର, ଦେଶର ଝିଅମାନେ ଜଳୁଛନ୍ତି, ଭାଙ୍ଗି ପଡୁଛନ୍ତି, ମରୁଛନ୍ତି । ଆଉ ଆପଣ? ଆପଣ ଚୁପ୍ ବସିଛନ୍ତି । ଦେଶ ଆପଣଙ୍କ ନୀରବତା ଚାହେଁ ନାହିଁ, ଉତ୍ତର ଚାହେଁ । ଭାରତର ଝିଅମାନେ ସୁରକ୍ଷା ଏବଂ ନ୍ୟାୟ ଚାହାଁନ୍ତି ।"