ଧରାପଡ଼ିଲା ନାବାଳକ ଚୋର; ସୁନା ରଖି ବନ୍ଧାହେଲେ ୫
୨୫୦ ଗ୍ରାମ ସୁନା, ୧୭ ଗ୍ରାମ ହୀରା,୧୯୦ ଗ୍ରାମ ରୂପା, ୪ ଲାପଟପ୍ ଓ ୩ ମୋବାଇଲ ଜବତ
ଭୁବନେଶ୍ୱର, ୧୪ା୯ : ବୟସ ମାତ୍ର ୧୬ ବର୍ଷ । ସଉକ କିନ୍ତୁ ଚୋରି କରିବା । ଚୋରି କରିବା ପାଇଁ ନାବାଳକ ଜଣଙ୍କ ସ୍ଥାନ କାଳ ପାତ୍ର ଦେଖି ନଥାଏ । ରାସ୍ତାରେ ବୁଲି ବୁଲି ହେଉ କିମ୍ବା ବସରେ ଗୋଟାଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଆସିବା ବେଳେ । ଯେଉଁଠି ସୁଯୋଗ ମିଳି, ଆଉ ଘର ଖୋଲାଥିବା ଦେଖେ ତୁରନ୍ତ ଉକ୍ତ ଘରେ ପଶି କଳାକନା ବୁଲାଇ ଆସେ ନାବାଳକ ଚୋର ଜଣଙ୍କ । ଏଭଳି ଜଣେ ନାବାଳକ ଚୋରକୁ ଭରତପୁର ଥାନା ପୁଲିସ ଗିରଫ କରିଛି । ଗିରଫ ନାବାଳକର ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ବୋଲି ଜୋନ ଏସିପି ତାପସ ପ୍ରଧାନ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଏହି ମାମଲାରେ ନାବାଳକ ଠାରୁ ଚୋରି ସାମଗ୍ରୀ ରଖିବା ମହଙ୍ଗା ପଡ଼ିଛି ତାହାର ମା’ ଏବଂ ଦୁଇ ମାଉସୀଙ୍କ କ୍ଷେତ୍ରରେ । ଏହି ୩ ଜଣଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ । ଏଥିସହ ନାବାଳକ ଜଣଙ୍କୁ ମଧ୍ୟ ଆଇନ ଅନୁଯାୟୀ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୧୭ ଗ୍ରାମର ହୀରା, ୨୫୦ ଗ୍ରାମର ସୁନା ଅଳଙ୍କାର, ୧୯୦ ଗ୍ରାମର ରୂପା, ଗୋଟାଏ ଟିଭି,୪ଟି ଲାପଟପ ଓ ୩ଟି ମୋବାଇଲ ଫୋନ ଭଳି ଲକ୍ଷାଧିକ ମୂଲ୍ୟର ସାମଗ୍ରୀକୁ ଜବତ କରିଛି ପୁଲିସ । ଏହି ମାମଲାରେ ପୁଲିସ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ମଞ୍ଜୁ ଡାକୁଆ (୪୦), ଆଶା ଡାକୁଆ (୩୨),ମିଟିକା ଡାକୁଆ (୩୬), ଗଜପତି ଜିଲ୍ଲା ଉଦୟଗିରିର ଲିକୁ ଶବର (୨୮) ଓ ପୁରୀ ଜିଲ୍ଲା କୋଣାର୍କ ଥାନା ଅଞ୍ଚଳର ଲକ୍ଷ୍ମଣ କୁମାର ପରିଡ଼ା (୩୨)କୁ ପୁଲିସ ଗିରଫ କରିଛି । ଗିରଫ ନାବାଳକ ଜଣଙ୍କ ଏସମସ୍ତ ଜିନିଷ ଚୋରି କରିଥିବା ଜୋନ ଏସିପି ତାପସ କହିଛନ୍ତି । ଏସିପିଙ୍କ କହିବାନୁଯାୟୀ, ତାପସ ଦିନ ସମୟରେ ଭରତପୁର ଥାନା ସମେତ ରାଜଧାନୀ ଏପରିକି ରାଜ୍ୟର ଅନ୍ୟ କୌଣସି ବି ଜିଲ୍ଲାକୁ ଗଲେ ଚାଲିଚାଲି ବୁଲାବୁଲି କରିଥାଏ । ଯେଉଁ ଘରର ମୁଖ୍ୟ ଦ୍ୱାରା ଖୋଲାଥିବା ସେ ଦେଖିବାକୁ ପାଇଥାଏ ଉକ୍ତ ଘରେ ନାବାଳକ ଜଣଙ୍କ ପ୍ରବେଶ କରି ଘରେ ଥିବା ଲୋକଙ୍କୁ ବାହାର ପଟୁ କବାଟ ଦେଇ ଅନ୍ୟ ରୁମରେ ଥିବା ସମସ୍ତ ଜିନିଷ ଚୋରି କରି ଫେରାର ହୋଇଯାଇଥାଏ । ଏକ ମାମଲାରେ ନାବାଳକ ଜଣଙ୍କ କଲିକତାରୁ ଭୁବନେଶ୍ୱର ଆସୁଥିବା ବେଳେ ଭଦ୍ରକ ବସଷ୍ଟାଣ୍ଡରେ ବସରୁ ଓହ୍ଲାଇ ଜୈନିକ ବ୍ୟକ୍ତିଙ୍କ ଘର ଖୋଲାଥିବା ଦେଖି ତାଙ୍କ ଘରେ ପଶି କଳାକନା ବୁଲାଇ ଆସିଥିଲା । ଏହି ମାମଲାରେ ମଧ୍ୟ ନାବାଳକ ଠାରୁ ଉକ୍ତ ଘରୁ ଚୋରି ହୋଇଥିବା ଜିନିଷ ଜବତ କରାଯାଇଛି । ଗତ ୧୧ ତାରିଖରେ ସ୍ଥାନୀୟ ଥାନା ଅନ୍ତର୍ଗତ କୋଳଥିଆ ସତ୍ୟସାଇ ଏନକ୍ଲେଭର ପ୍ଲଟ ନଂ ୬/୯୦୮ରେ ରହୁଥିବା ଚିନ୍ମୟ କୁମାର ଦଳେଇଙ୍କ ଘରେ ଦିନ ସମୟରେ ପଶି ନାବାଳକ ଜଣଙ୍କ କଳାକନା ବୁଲାଇଥିଲା । ଏନେଇ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଆଧାରରେ ଅଭିଯୁକ୍ତକୁ ଗିରଫ କରିଛି ।