ମୋଦିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା


  • ଭୁବନେଶ୍ୱର, ୧୬ା୯ : ଭୁବନେଶ୍ୱର ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ଟ୍ରାଫିକ କଟକଣା ଜାରି କରିଛି  । ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ଟ୍ରାଫିକ କଟକଣା ବି ଲାଗୁ କରାଯାଇଛି ।
     ସୂଚନା ଯୋଗ୍ୟଯେ, ଆସନ୍ତା କାଲି ଅବା ମଙ୍ଗଳବାର ପୂର୍ବାହ୍ନ ୧୧ଟା ୩୫ମିନିଟରେ ପ୍ରଧାମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବାକୁ ଥିବା ବେଳେ ପ୍ରାୟ ସାଢ଼େ ୩ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି  । ଏଥି ନିମନ୍ତେ କାଲି ସକାଳ ୭ଟା ୩୦ ମିନିଟରୁ ଅପରାହ୍ନ ୩ଟା ମଧ୍ୟରେ ଟ୍ରାଫିକ କଟକଣା ଲାଗୁ ହେବ  । କମିଶନରେଟ୍ ପୁଲିସ ପକ୍ଷରୁ ଜାରି ଟ୍ରାଫିକ ନିଦେ୍ର୍ଦଶନାମା ଅନୁଯାୟୀ, ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ ବଳବତ୍ତର ରହିବ କଟକଣା  । ଜୟଦେବ ବିହାର ଛକଠାରୁ ନାଲକୋ ଛକ ଓ ନାଲକୋ ଛକରୁ ଜୟଦେବ ବିହାର ମଧ୍ୟରେ ଓ ଏହାକୁ ଯୋଗାଯୋଗ କରୁଥିବା ଗଳି ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ  । ନନ୍ଦନକାନନ ପଟୁ ଜୟଦେବ ବିହାର ଆଡକୁ ଯିବାକୁ ଚାହୁଁଥିବା ଯାନବାହନଗୁଡିକ ଡମଣା ଛକରୁ ବାମ ମୋଡ ନେଇ ଗୁରୁ କେଳୁଚରଣ ପାର୍କ- ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାର ଯାଇପାରିବେ  । ନଚେତ ଶିଖରଚଣ୍ଡୀ - ପଥରଗାଡିଆ - ଡିଏନ ସ୍କୁଲ- କଳିଙ୍ଗ ଷ୍ଟୁଡିଓ ଛକ- ଫାୟାର ଷ୍ଟେସନ ଛକ ଦେଇ ଯାଇପାରିବେ । ଜରୁରୀକାଳୀନ ସେବା ଦମକଳ, ଆମ୍ବୁଲାନ୍ସ ପାଇଁ ଏହି କଟକଣା ଲାଗୁ ହେବନାହିଁ  । ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଆସିବାକୁ ଯାଉଥିବା ଲୋକେ ରିଜର୍ଭ ଗ୍ରାଉଣ୍ଡ, ସପ୍ତମ ବାଟାଲିୟନ, କଳିଙ୍ଗ ଷ୍ଟାଡିୟମ ପାଖରେ ଥିବା ନୟାପଲ୍ଲୀ ସ୍କୁଲରେ ଗାଡି ପାର୍କିଂ କରି ଚାଲିଚାଲି ଜନତା ମଇଦାନକୁ ଆସିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୋମବାର ଦିନ ଫୁଲ କାରକେଡ ରିହର୍ସଲ କରାଯାଇଥିଲା  । ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ଓହ୍ଲାଇ ଜନତା ମଇଦାନରେ ପହଞ୍ଚିବାକୁ ଥିବା ରାସ୍ତାରେ ବାରିକେଡ କରାଯାଇଛି  । ଏଥିସହ ଉକ୍ତ ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି । ସୁଭଦ୍ରା ଯୋଜନାର ଶୁଭାରମ୍ଭ ନିମନ୍ତେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସିବାର କାର୍ଯ୍ୟକ୍ରମ ଥିବାରୁ ଏଥି ନିମନ୍ତେ ଜନତା ମଇଦାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶାଳ ମହିଳା ସମାବେଶର ଆୟୋଜନ କରାଯାଇଛି  ।
    ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଆସିଲା ବିସ୍ତୃତ ବିବରଣୀ  । ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ମୋଦି । ସେଠାରୁ ସେ ସିଧା ଗାଡକଣ ବସ୍ତି ଯିବେ  । ୧୧ଟା ୧୦ରେ ଗାଡକଣ ବସ୍ତିରେ ପହଞ୍ଚି ୧୧ଟା ୧୫ରୁ ୧୧ଟା ୪୫ ଯାଏ ଆବାସ ହିତାଧିକାରୀଙ୍କ ସହ କଥା ହେବେ  । ପୂର୍ବାହ୍ନ ୧୧ଟା ୪୫ରେ ଗାଡକଣ ଛାଡି ୧୧ଟା ୫୫ରେ ଜନତା ମଇଦାନ ପହଞ୍ଚିବେ  । ଜନତା ମଇଦାନରେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରହି ବିଭିନ୍ନ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ, ଲୋକାର୍ପଣ କରିବେ  । ଜନତା ମଇଦାନ କାର୍ଯ୍ୟକ୍ରମ ସାରି ୧ଟା ୨୦ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ ।