ଧର୍ଯ୍ୟର ସହ ସବୁ ପରିସ୍ଥିତିକୁ ସାମ୍ନା କରି ଶିଖ
ଖୋର୍ଦ୍ଧା : ସମୟ ଥିଲା ବିଡ଼ିଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପର୍ବର,ଏଥିପାଇଁ ବ୍ଲକ ସମ୍ମିଳନୀ କକ୍ଷ ପ୍ରସ୍ତୁତ ହୋଇଥିଲା । ଜଣକ ପରେ ଜଣେ କର୍ମଚାରୀରେ ପୁରି ଉଠିଥିଲା ସଭଗୃହ । କିନ୍ତୁ ସମସ୍ତେ ଥିଲେ ବ୍ୟତିବ୍ୟସ୍ତ, ଉଦାସ ଓ ଗୁମସୁମ । କାରଣ ନିଜ ପ୍ରିୟର ବିଡ଼ିଓଙ୍କୁ ସେମାନେ ବିଦାୟ ଦେଉଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଥିଲା ବେଗୁନିଆ ବ୍ଲକ ସମ୍ମିଳନୀ କକ୍ଷରେ । ଦୀର୍ଘ ତିନିବର୍ଷରୁ ଉର୍ଦ୍ଧ ସମୟ ଧରି ବେଗୁନିଆରେ ବିଡ଼ିଓ ଭାବେ କାର୍ଯ୍ୟରତ ଥିବା ଲକ୍ଷ୍ମୀଧର ସାହୁଙ୍କୁ ବ୍ଲକର ସମସ୍ତ କର୍ମଚାରୀ ଭାବ ବିହ୍ୱଳ ହୋଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଉଥିଲେ । ଆୟୋଜିତ ବିଦାୟ କାଳୀନ ସମ୍ବର୍ଦ୍ଧନା ଉସôବରେ ପଞ୍ଚାୟତ ସମିତି ଅଧକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ପୌରାହିତ୍ୟ କରିଥିଲେ । କାର୍ଯ୍ୟକ୍ରମରେ ଅତିଥିଭାବେ ଉପାଧକ୍ଷା ସାବିତ୍ରୀ ମହାପାତ୍ର,ତହସିଲଦାର ତାପସ କୁମାର ବିଶି, ଅନୁ ନିବନ୍ଧକ ଅମିତ କୁମାର ସେଠୀ, ଗୋଷ୍ଠି ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଦେବାଶିଷ ଆଚାର୍ଯ୍ୟ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ବିନୋଦିନୀ ପଣ୍ଡା, ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ପ୍ରଦୋଷ ମହାରଣା ପ୍ରମୁଖ ଉପସ୍ଥିତ ରହି କିଭଳି ସବୁ ପରିସ୍ଥିତିକୁ ଧର୍ଯ୍ୟର ସହ ମୁକାବିଲା କରି ବିଡ଼ିଓ ସଫଳ ହୋଇଛନ୍ତି ସେ ସମ୍ପର୍କରେ ବାର୍ତା ରଖିଥିଲେ । ଏଥିସହ ବିଡ଼ିଓଙ୍କ ଅବସର ଜୀବନ ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରାଯାଇଥିଲା ।ଶେଷରେ ବିଡ଼ିଓ ନିଜ ଅଭିଭାଷଣରେ କର୍ମଚାରୀମାନଙ୍କ ଉଦେଶ୍ୟରେ ଧର୍ଯ୍ୟର ସହ ସବୁ ପରିସ୍ଥିତିକୁ ସାମ୍ନା କଲେ ସଫଳତା ପାଇପାରିବ ବୋଲି ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଡ଼ିଓଙ୍କୁ ମାନପତ୍ର, ଉପଢୌକନ ଦିଆଯାଇ ପଞ୍ଚାୟତ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିତ୍ତୀୟ ଅଧିକାରୀ ସୂର୍ଯ୍ୟନାରାୟଣ ଗୌଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ସୁସ୍ମିତା ମିଶ୍ର ଧନ୍ୟବାଦ ଦେଇଥିଲା ।