ନକଲି ୱେବ୍ସାଇଟ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : କ୍ରାଇମ୍ ବ୍ରାଞ୍ଚ, ଓଡିଶାର ସୋସିଆଲ ମିଡିଆ ଟିମ୍ ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଦ୍ୟାବଧି କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ ୨୩ଟି ନକଲି ହୋଟେଲ ୱେବସାଇଟ୍ ଚିହ୍ନଟ କରିବା ସହ ସେଗୁଡ଼ିକୁ ବ୍ଲକ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ସେଥିମଧ୍ୟରୁ ୧୫ଟି ୱେବସାଇଟ୍କୁ ପୂର୍ବରୁ ବ୍ଲକ କରାଯାଇଥିବା ବେଳେ ଅନ୍ୟ ୱେବସାଇଟ୍ ଗୁଡିକୁ ବନ୍ଦ କରାଯିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମହାପ୍ରଭୁଙ୍କ ପୁରୀ ରଥଯାତ୍ରା ସମୟରେ ସାଇବର ଅପରାଧୀମାନେ ବିଭିନ୍ନ ହୋଟେଲଗୁଡ଼ିକର ନକଲି ୱେବସାଇଟ୍ ପ୍ରସ୍ତୁତ କରୁଛନ୍ତି । ସାଧାରଣ ଲୋକଙ୍କୁ ଅନଲାଇନ୍ ବୁକିଂ ଉପରେ ଆକର୍ଷଣୀୟ ରିହାତି ପ୍ରଦାନ କରିବା ନାଁରେ ଠକୁଛନ୍ତି । ଫଳରେ ଅସୁବିଧା ସମୟରେ ଏବଂ କମ ଟଙ୍କାରେ ହୋଟେଲ ଖୋଜୁଥିବା ପର୍ଯ୍ୟଟକମାନେ ଏହି ନକଲି ସାଇଟ୍ଗୁଡ଼ିକର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଅତୀତରେ ଘଟିଥିବା ଘଟଣା ଯୋଗୁଁ ଚଳିତ ବର୍ଷ ଓଡ଼ିଶାରେ କ୍ରାଇମବ୍ରାଞ୍ଚର ସୋସିଆଲ ମିଡିଆ ଟିମ୍ ସତର୍କ ରହିଛି । ଏହି ବର୍ଷ, ଟିମ୍ ୨୨ ଜୁନ୍ ୨୦୨୫ ରୁ ଆଜି ପର୍ଯ୍ୟନ୍ତ ନକଲି ହୋଟେଲ ସାଇଟ୍ ଖୋଜିବା, ସେଗୁଡ଼ିକୁ ରିପୋର୍ଟ କରିବା ଏବଂ ଯଥାଶୀଘ୍ର ସତର୍କତା ପଠାଇବା ପାଇଁ ଦିନରାତି କାମ କରୁଛି । ଚଳିତବର୍ଷ ସୁନାବେଶ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ।