ଡେଲାଙ୍ଗରେ ବାର୍ଡ ଫ୍ଲୁ : ମରାଗଲା ୬,୭୫୬ କୁକୁଡ଼ା

 ଭୁବନେଶ୍ୱର/ଜଟଣୀ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ର ବଡ଼ ଆଙ୍କୁଲା ଗାଁରେ କୁକୁଡ଼ାଙ୍କୁ ବାର୍ଡଫ୍ଲୁ ଘଟଣାରେ  ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା ପ୍ରଶାସନ ସହଯୋଗରେ ଗତ ଦୁଇଦିନ ମଧ୍ୟରେ ୬,୭୫୬ ରୋଗାଗ୍ରସ୍ତ କୁକୁଡ଼ାଙ୍କୁ ମାରି ପୋତି ଦିଆଯାଇଛି । ଅଞ୍ଚଳରେ କୁକୁଡା ମରା, ବିଶୋଧନ, ପରିଷ୍କାର ପରିଚ୍ଛନ୍ନତା ଓ ରୋଗ ନିୟନ୍ତ୍ରଣ ପାଇଁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ  ବିଭାଗ ପକ୍ଷରୁ ଗଠିତ ୭ଟି ରାପିଡ ରେସପନ୍ସ ଟିମ୍ କୁକୁଡ଼ା ମରା ଅଭିଯାନ କରାଯାଇଛି । ଗତ ୧୧ ତାରିଖରେ ଭୋପାଳ ସ୍ଥିତ ଜାତୀୟ ଉଚ୍ଚ ସୁରକ୍ଷା ପ୍ରାଣୀରୋଗ ପ୍ରତିଷ୍ଠାନ ଏହା ବାର୍ଡଫ୍ଲୁ୍ୟ ବୋ ନିଶ୍ଚିତ କରିବା ପରେ ଏହିସବୁ ପଦକ୍ଷେପ ଗ୍ରହଣ କରାଯାଇଛି ।
ଆଜି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଶ୍ରୀ ମଲ୍ଲିକ ରୋଗ ନିୟନ୍ତ୍ରଣ ବିଷୟରେ ସମୀକ୍ଷା କରି କ୍ଷେତ୍ର ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ।  ଗତକାଲି ଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ରାପିଡ ରେସପନ୍ସ ଦଳ ଗୁଡିକୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ରୋଗ ଲାଗିଥିବା ସ୍ଥାନର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ୬,୭୫୬ କୁକୁଡାଙ୍କୁ ମାନବୀୟ ପଦ୍ଧତିରେ ମରାଯାଇଛି । ଭାରତ ସରକାରଙ୍କ ପକ୍ଷରୁ ଜାରି ନିୟମାବଳୀ ଅନୁଯାୟୀ କୁକୁଡାପାଳକଙ୍କ ଜୀବିକା ଓ ରୋଜଗାର ନିଶ୍ଚିତ କରିବାକୁ  ଦୁଇ ଦିନ ମଧ୍ୟରେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ମନ୍ତ୍ରୀଙ୍କ ଗସ୍ତ ସମୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିଦେ୍ର୍ଦଶକ ବିଜୟ ଅମୃତା କୁଲାଙ୍ଗେ ଏବଂ ରାଜ୍ୟ ଓ ଜିଲ୍ଲାସ୍ତରୀୟ ପ୍ରାଣିସମ୍ପଦ ଅଧିକାରୀ ଉପସ୍ଥିତ ଥିଲେ ।