‘ନନ୍ଦିଘୋଷ’ ଭାଙ୍ଗିଲେ : ମହାଲକ୍ଷ୍ମୀଙ୍କ ଅଭିମାନ
ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି ଅଭିମାନିନୀ ମହାଲକ୍ଷ୍ମୀ । ହେରାପଞ୍ଚମୀ ଅବସରରେ ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀ ଶରଧାବାଲିକୁ ଯାଇ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି । ରୁକ୍ମିଣୀ ବିବାହ ପରେ ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ସାଥିରେ ନନେଇ ଜ୍ୟେଷ୍ଠଭ୍ରାତା ବଳଭଦ୍ର ଓ ଭଗ୍ନୀ ସୁଭଦ୍ରାଙ୍କ ସହ ରଥାରୂଢ ହୋଇ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ନବଦିନ ଯାତ୍ରାରେ ଚାଲି ଆସିଥିବାରୁ ମା’ କ୍ଷୁବ୍ଧ ହୋଇପଡ଼ିଛନ୍ତି । ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ରହିଥିବା ରଥର କିଛି ଅଂଶ କ୍ରୋଧରେ ଭାଙ୍ଗିଥିଲେ । ଏହି ରଥଭଙ୍ଗା ନୀତି ଦେଖିବା ପାଇଁ ନନ୍ଦିଘୋଷ ରଥ ନିକଟରେ ଜମିଥିଲା ଭକ୍ତମାନଙ୍କର ଭିଡ଼ ।
ହେରାପଞ୍ଚମୀ ପୂର୍ବ ରାତିରେ ପହୁଡ଼ ହୋଇନଥିଲା । ମଙ୍ଗଳବାର ସକାଳ ୭ଟା ୪୦ମିନିଟ୍ରେ ସଂପନ୍ନ ହୋଇଥିଲା ମହାପ୍ରଭୁଙ୍କ ମଙ୍ଗଳଆଳତି, ୭ଟା ୪୫ମିନିଟ୍ରେ ଠାକୁରମାନେ ମଇଲମ ହୋଇଥିଲେ । ୮ଟା ୩୦ମିନିଟ୍ରେ ତଡ଼ପଲାଗି, ୯ଟାରେ ଅବକାଶ ପୂଜା ଶେଷ ହୋଇଥିଲା । ୯ଟା ୦୫ମିନିଟ୍ରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇ ୯ଟା ୪୦ମିନିଟ୍ରେ ଶେଷ ହୋଇଥିଲା । ୯ଟା ୫୦ମିନିଟ୍ରେ ରୋଷ ହୋମ, ୧୦ଟା ୩୦ମିନିଟ୍ରେ ବେଶ, ୧ଟା ୪୫ମିନିଟ୍ରେ ଦ୍ୱାରପାଳ ପୂଜା ଓ ୧୧ଟା ୫ ମିନିଟ୍ରେ ଗୋପାଳବଲ୍ଲଭ ବଢ଼ିଥିଲା । ୧୧ଟା ୪୫ମିନିଟ୍ରେ ସକାଳଧୂପ ଛେକ ଆସିଥିବା ବେଳେ ୧୨ଟା ୧୫ ମିନିଟ୍ରେ ସକାଳଧୂପ ଟେରା ପଡ଼ି ୧୨ଟା ୨୫ମିନିଟ୍ରେ ଭୋଗମଣ୍ଡପ ଉଠିଥିଲା । ୧୨ଟା ୩୦ମିନିଟ୍ରେ ସକାଳଧୂପର ପ୍ରସାଦ ବାହାରି ପାଣି ପଡ଼ିଥିଲା । ଅପରାହ୍ନ ୨ଟା ୨୫ମିନିଟ୍ରେ ଭୋଗମଣ୍ଡପ ପୂଜା ଆରମ୍ଭ ହୋଇ ୨ଟା ୩୫ମିନିଟ୍ରେ ଶେଷ ହୋଇଥିଲା । ୩ଟା ୧୦ମିନିଟ୍ରେ ମଇଲମ ଓ ୪ଟା ୦୫ମିନିଟ୍ରେ ଯାତ୍ରଙ୍ଗୀ ମହାସ୍ନାନ ନୀତି ସଂପନ୍ନ ହୋଇଥିଲା । ଏହାପରେ ୪ଟା ୪୦ ମିନିଟ୍ରେ ଘଣ୍ଟଛତା ସର୍ବାଙ୍ଗ ୫ଟା ୨୦ମିନିଟ୍ରେ ନୂଆଲୁଗା ଲାଗି ହୋଇ ମହାପ୍ରଭୁଙ୍କୁ ବେଶ କରାଯାଇଥିଲା । ସନ୍ଧ୍ୟା ୬ଟାରେ ମଧ୍ୟାହ୍ନ ଧୂପ ଡ଼ାକିଯାଇଥିଲା । ପୂଜା ବସିଥିଲା ୬ଟା ୧୫ମିନିଟ୍ରେ । ୬ଟା ୪୫ମିନିଟ୍ରେ ଟେରା ପଡ଼ି ୬ଟା ୫୫ମିନିଟ୍ରେ ମଧ୍ୟାହ୍ନ ଧୂପ ଶେଷ ହୋଇଥିଲା । ୬ଟା ୫୫ମିନିଟ୍ରେ ଦ୍ୱିତୀୟ ଭୋଗ ମଣ୍ଡପ ଉଠିଥିଲା । ରାତ୍ର ୮ଟା ୧୦ମିନିଟ୍ରେ ଭୋଗ ମଣ୍ଡପ ଶେଷ ହୋଇଥିଲା । ଶ୍ରୀମନ୍ଦିରର ଭଣ୍ଡାର ଘରେ ମହାଲକ୍ଷ୍ମୀଙ୍କୁ ମହାଜନ ସେବକମାନେ ମାଜଣା କରିଥିଲେ । ଚାଙ୍ଗଡ଼ା ମେକାପ ଦେଇଥିବା ପାଟଶାଢୀ ଓ ଭଣ୍ଡାର ଘରୁ ଅଣାଯାଇଥିବା ଅଳଙ୍କାର ଦେବୀଙ୍କୁ ଲାଗି କରାଯାଇଥିଲା । ଏହାପରେ ବିମାନବଡୁମାନେ ଘଣ୍ଟ, ଛତା, କାହାଳୀ ସହ ବିମାନକୁ ଗୁଣ୍ଡିଚା ଘର ଅଭିମୁଖେ ନେଇଥିଲେ । ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀଙ୍କ ବିମାନ ପହଞ୍ଚôବା ପରେ ପତି ମହାପାତ୍ର ପ୍ରସାଦ ଲାଗି, ଆଲଟ ଓ ଚାମର ସେବା କରିଥିଲେ । ଗୁଣ୍ଡିଚା ମନ୍ଦିର ଭିତରେ ଠାକୁରମାନଙ୍କର ସର୍ବାଙ୍ଗ ଓ ବେଶ ଶେଷ ହୋଇ ସନ୍ଧ୍ୟାଧୂପ ପୂଜା ବସିଥିବା ବେଳେ ମହାଲକ୍ଷ୍ମୀ ରଥତଳ ନୀତି ସାରି ଜୟବିଜୟ ଦ୍ୱାର ନିକଟରେ ପହଞ୍ଚôଥିଲେ । ପତିମହାପାତ୍ର ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ମହାଲକ୍ଷ୍ମୀଙ୍କୁ ପ୍ରଦାନ କରିବା ପରେ ପୂଜାପଣ୍ଡା ଧୂପ ଓ ଦୀପ ଦେଇ ପୂଜା କରିଥିଲେ । ଏହା ପରେ ଟେରା ପଡ଼ିଥିଲା । ମହାପ୍ରଭୁଙ୍କ ସାକ୍ଷାତ ନପାଇ ଅଭିମାନରେ ମହାଲକ୍ଷ୍ମୀ ଜଗମୋହନରୁ ନାକଚଣା ଦ୍ୱାର ଦେଇ ଶରଧାବାଲିକୁ ବିମାନରେ ଆସିଥିଲେ । ଭିତରଚ୍ଛ ମହାପାତ୍ର ମହାଲକ୍ଷ୍ମୀଙ୍କୁ ଦହିପଟି ମଣୋହି ଓ ବନ୍ଦାପନା କରିବା ପରେ ମହାଲକ୍ଷ୍ମୀଙ୍କ ବିମାନ ନନ୍ଦିଘୋଷ ରଥ ପାଖକୁ ଆସିଥିଲା । ଜଣେ ସେବାୟତ ରଥର ଖଣ୍ଡେ କାଠ ଭାଙ୍ଗିଥିଲେ । ରଥଭଙ୍ଗା ନୀତି ପରେ ମହାଲକ୍ଷ୍ମୀ ହେରାଗୋହିରୀ ସାହି ଦେଇ ବଡ଼ଦେଉଳକୁ ବାହୁଡ଼ା ବିଜେ କରିଥିଲେ । ମହାଲକ୍ଷ୍ମୀ ଫେରିଯିବା ପରେ ଗୁଣ୍ଡିଚା ମନ୍ଦିରରେ ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଓ ରାତ୍ର ପହୁଡ଼ ନୀତି ସଂପନ୍ନ ହୋଇଥିଲା । ହେରାପଞ୍ଚମୀ ଅବସରରେ ହଜାର ହଜାର ଭକ୍ତ ଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ଆଡ଼ପ ଅବଢା ସେବନ କରିଥିଲେ । ସକାଳୁ ରାତିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ନିକଟରେ ଭକ୍ତଙ୍କ ସମାଗମ ଲାଗି ରହିଥିଲା ।..