ନବୀନ ଗଢ଼ିଲେ ‘ନୂଆପଡ଼ା’ ଟିମ୍

ନବୀନ ଗଢ଼ିଲେ ‘ନୂଆପଡ଼ା’ ଟିମ୍

ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନୂଆପଡ଼ା ଉପନିର୍ବାଚନ ପାଇଁ କମିଟି ଗଠନ କରିଛନ୍ତି । ଷ୍ଟିୟରିଂ କମିଟି, ଜୋନାଲ କମିଟି ଓ ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟି ଗଠନ କରିଛନ୍ତି  । ବିଶେଷକରି ପଶ୍ଚିମ ଓଡ଼ିଶାର ନେତାମାନଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ନବୀନ । ତେବେ ପୂର୍ବରୁ ଉପନିର୍ବାଚନ ପରିଚାଳନାରେ ଗୁରୁ ଦାୟିତ୍ୱ ନିର୍ବାହ କରୁଥିବା ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ସଂଜୟ ଦାସବର୍ମା, ପ୍ରତାପ ଜେନାଙ୍କ ଭଳି ଟାଣୁଆ ନେତାଙ୍କୁ କିନ୍ତୁ ଏହି କମିଟିରେ ନବୀନ ସାମିଲ୍‌ କରିନାହାନ୍ତି ।

୬ ଜଣିଆ ଷ୍ଟିୟରିଂ କମିଟିରେ ରହିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଗିନୀ ଛୁରୀଆ, ଟୁକୁନି ସାହୁ, ନିରଞ୍ଜନ ବିଶି ଓ ଆୟୁବ ଖାଁ । ସେହିପରି ୬ ଜିଲ୍ଲା ପରିଷଦ ଜୋନ ଓ ୪ ସହରାଞ୍ଚଳ ଜୋନ୍‌ ପାଇଁ ମଧ୍ୟ କମିଟି ଗଠନ କରାଯାଇଛି । କଳିକେଶ ନାରାୟଣ ସିଂହଦେଓ ଓ ଶାରଦା ନାୟକଙ୍କୁ ନୂଆପଡ଼ା ଏନଏସି ଜୋନାଲ କମିଟି ଦାୟିତ୍ୱ ଦିଆଯାଇଛି । ରୋହିତ ପୂଜାରୀ ଓ ବିକ୍ରମ ପଣ୍ଡାଙ୍କୁ ଖରିଆର ଏନଏସି ଦାୟିତ୍ୱ ପ୍ରଦାନ କରାଯାଇଛି । ଯେତେବେଳେକି  ସୁଦାମ ମାରାଣ୍ଡି, ଦେବେଶ ଆଚାର୍ଯ୍ୟ, ସରୋଜ ମେହେର, ମନୋହର ରାନ୍ଧାରୀ, ପ୍ରଦୀପ ମାଝୀ ଓ ଯୋଗେଶ ସିଂ ୬ ଜିଲ୍ଲା ପରିଷଦ ଜୋନ ଦାୟିତ୍ୱରେ ରହିବେ । ଏତଦବ୍ୟତୀତ ଅଧିରାଜ ପାଣିଗ୍ରାହୀ, ଅବନୀ ଯୋଶୀ ଓ ମନୋଜ ମିଶ୍ରଙ୍କୁ ନେଇ ସ୍ଥାନୀୟ କାର୍ଯ୍ୟାନୁଷ୍ଠାନ କମିଟି ଗଠନ କରାଯାଇଛି ।