‘ପାଥେର ପୁରୀ’ ହେବ ସଂଗ୍ରହାଳୟ

  •  ବାଲିଯାତ୍ରାରେ ହେବ ଓଡ଼ିଆ ଲେଖକଙ୍କ ଥିମ ପାଭିଲିୟନ୍‌
  • କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାକୁ ମିଳିବ ସହାୟତା
  • କାଳିଦାସ ମନ୍ଦିରର ହେବ ପୁନରୁଦ୍ଧାର

ଭୁବନେଶ୍ୱର : ରବୀନ୍ଦ୍ରନାଥ ଟାଗୋରଙ୍କ ବାସଗୃହ ‘ପାଥେର ପୁରୀ’କୁ ସଂଗ୍ରହାଳୟରେ ପରିଣତ କରାଯିବ । ବାଲିଯାତ୍ରାରେ ପ୍ରଥିତଯଶା ଓଡ଼ିଆ ଲେଖକଙ୍କ ଏକ ଥିମ ପାଭିଲିୟନ୍‌ ହେବ । ଇଣ୍ଡୋନେସିଆକୁ ସହଭାଗୀ ଦେଶ ଭାବେ ଆମନ୍ତ୍ରିତ କରାଯିବ  । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମ୍ମିଳନୀ କକ୍ଷରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହିଭଳି ଅନେକ ନିଷ୍ପତ୍ତି ନିଆଯାଇଛି ।

ପୁରୀସ୍ଥିତ ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ବାସଗୃହ ‘ପାଥେର ପୁରୀ’ର ପୁନରୁଦ୍ଧାର କରାଯାଇ ଏହାକୁ ଗୁରୁଦେବଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଂଗ୍ରହାଳୟରେ ପରିଣତ କରାଯିବ । ନଭେମ୍ବର ୫ ତାରିଖରୁ ଆରମ୍ଭ ହେଉଥିବା କଟକ ବାଲିଯାତ୍ରାରେ ଓଡିଆ ସାହିତ୍ୟର ଯୋଗଜନ୍ମା ଲେଖକ ଏବଂ ସେମାନଙ୍କ କୃତିକୁ ନେଇ ଏକ ବିଷୟବସ୍ତୁ ମଣ୍ଡପ ବା ଥିମ୍‌ ପାଭିଲିୟନ ନିର୍ମାଣ କରାଯିବ । ଇଣ୍ଡୋନେସିଆକୁ ଚଳିତ ବର୍ଷ ସହଭାଗୀ ଦେଶ ହିସାବରେ ଆମନ୍ତ୍ରିତ କରାଯିବ ଏବଂ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଧୀନରେ ଦେଶର ଏକ ପ୍ରମୁଖ ରାଜ୍ୟକୁ ମଧ୍ୟ ସହଭାଗୀ ରାଜ୍ୟ ହିସାବରେ ଆମନ୍ତ୍ରିତ କରାଯିବ । ଦକ୍ଷିଣ ଏସିଆର କେତକ ରାଷ୍ଟ୍ରଙ୍କୁ ସେମାନଙ୍କର ସାଂସ୍କୃତିକ ଦଳ ପ୍ରେରଣ ନିମନ୍ତେ ମଧ୍ୟ ଅନୁରୋଧ କରାଯିବ । ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜାକୁ ସହାୟତା ପ୍ରଦାନ ପରେ କେନ୍ଦ୍ରାପଡାର ମହାକାଳପଡାର ବିଧାୟକଙ୍କ ଅନୁରୋଧ କ୍ରମେ କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା ନିମନ୍ତେ ସଂସ୍କୃତି ବିଭାଗ ତରଫରୁ ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବ । ସଂସ୍କୃତି ବିଭାଗ ଅଧିନସ୍ଥ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ବିଭୁତି କାନୁନଗୋ ଓ ଖଲ୍ଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଖାଲିଥିବା ସମସ୍ତ ପଦବୀ ଅତିଶୀଘ୍ର ପୂରଣ କରାଯିବ । କେନ୍ଦ୍ରାପଡା ଜିଲ୍ଲାର କାଳିଦାସ ମନ୍ଦିରର ପୁନରୁଦ୍ଧାର ଦାୟିତ୍ୱ ରାଜ୍ୟ ପ୍ରତ୍ନତତ୍ତ୍ୱ ଗ୍ରହଣ କରିବ । ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ହେବାକୁ ଥିବା ଓଡିଆ ଅସ୍ମିତା ଭବନର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଡିଶା ସେତୁ ଓ ନିର୍ମାଣ ନିଗମକୁ ନିର୍ଦ୍ଦେଶ ଦିଆଯାଇଅଛି ।