ନବୀନଙ୍କ ବିକାଶର ରାସ୍ତା ଥିଲା ଏମିତି... ଏବେବି ସଡ଼କ ଦେଖିଲାନି ୮୩ ଶହ ଗାଁ
ପାପଡାହାଣ୍ଡି/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଗ୍ରାମ୍ୟ ଉନ୍ନୟନ ରାସ୍ତା, ପୂର୍ତ୍ତ ରାସ୍ତା, ରାଜ୍ୟ ରାଜପଥ, ଜାତୀୟ ରାଜପଥ, ପଞ୍ଚାୟତିରାଜ ଯୋଜନାରେ ରାସ୍ତା, ବ୍ଳକ ଯୋଜନାରେ ରାସ୍ତା, ଜିଲ୍ଲା ପରିଷଦ ଯୋଜନାରେ ରାସ୍ତା, ବିଧାୟକ ଓ ସାଂସଦ ପାଣ୍ଠିରେ ରାସ୍ତା, ସିସି ରୋଡ଼, ଅର୍ଥ କମିଶନଙ୍କ ଟଙ୍କାରେ ରାସ୍ତା... ଏମିତି ଗଣିଲେ ଆଙ୍ଗୁଠି ସରିଯିବ ପଛେ, ଯୋଜନା କିନ୍ତୁ ସରିବ ନାହିଁ । କହିବାର ଅର୍ଥ ହେଉଛି ରାସ୍ତା ପାଇଁ ଅନେକ ଯୋଜନାର ରାସ୍ତା ଖୋଲାମେଲା ହୋଇରହିଛି । ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ରାସ୍ତାରେ ଉଡୁଛି । ଆମ ଅମଳରେ ରାସ୍ତା ଚକାଚକ ବୋଲି ନବୀନ ବାବୁ ବି ବାହାସ୍ଫୋଟ ମାରୁଥିଲେ । ହେଲେ ନବୀନଙ୍କ ବିକାଶର ରାସ୍ତାର ବିକଳ ଚିତ୍ର ଏବେ ଦେଖିବାକୁ ମିଳୁଛି । ସେପଟେ ମୋହନ ସରକାରଙ୍କ ବର୍ଷେ ପୂର୍ତ୍ତି ହୋଇଛି । ଏବେ ଗାଁ ଗାଁରେ ରାସ୍ତା ପାଇଁ ମୋହନ ସରକାର ଯୋଜନା ତ କରିଛନ୍ତି ସତ, ହେଲେ କେବେ ରାଜ୍ୟର ସବୁ ଗାଁକୁ ରାସ୍ତା ଯିବ ତାହାକୁ ନେଇ ସନେ୍ଦହ ରହିବା ସ୍ୱାଭାବିକ ।
ପଞ୍ଚାୟତିରାଜ ବିଭାଗର ତଥ୍ୟ କହୁଛି, ରାଜ୍ୟର ୮୩ ଶହ ଗାଁକୁ ଏବେବି ସବୁଦିନିଆ ରାସ୍ତାଟେ ନାହିଁ । ରାଜ୍ୟର ୫୯୯୭୧ ଗାଁ ମଧ୍ୟରୁ ୫୧୬୭୧ ଗାଁକୁ ହିଁ ରାସ୍ତା ସଂଯୋଗ କରାଯାଇଛି । ଅପହଁଚ ଆଦିବାସୀ ଇଲାକା ହେଉ ଅବା ଉପକୂଳର ଆତ୍ମଘୋଷିତ ବିକଶିତ ଅଞ୍ଚଳ ହେଉ, ସବୁଠି ଏବେ ରାସ୍ତା ସମସ୍ୟା । ଅବଶ୍ୟ ଏଥିପାଇଁ ଯୋଜନାର ଗାଇଡ଼ଲାଇନକୁ ଦାୟୀ କରାଯାଇପାରିବ । ସରକାରଙ୍କ ଗାଇଡ଼ଲାଇନରେ ବାବୁମାନେ ଏମିତି କିଛି କେଁ ରଖିଛନ୍ତି, ଯେଉଁଥିପାଇଁ ଜନପ୍ରତିନିଧିମାନେ ଚାହିଁଲେ ବି ଗାଁକୁ ରାସ୍ତା ଲମ୍ବି ପାରୁନାହିଁ । କେଉଁଠି ଜନସଂଖ୍ୟାର ସମସ୍ୟା ତ ଆଉ କେଉଁଠି ରାଜସ୍ୱ ଗ୍ରାମର ମାନ୍ୟତା ମିଳିନଥିବାରୁ ରାସ୍ତା ଯାଇପାରୁନାହିଁ । ଯାହାର ଦୁର୍ଦ୍ଦଶା ଲୋକମାନେ ହିଁ ଭୋଗୁଛନ୍ତି । ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଁଚି ପାରୁନାହିଁ । କେଉଁଠି ଚେୟାରରେ ରୋଗୀ ଯାଉଛନ୍ତି ତ ଆଉ କେଉଁଠି ଖଟିଆରେ । ରାଜ୍ୟର ବିଭିନ୍ନ ଅଞ୍ଚଳର ଏମିତି ଦୃଶ୍ୟ ଆମ ବିକାଶକୁ ଖତେଇ ହେଉଛି କହିଲେ ଭୁଲ୍ ହେବନାହିଁ । ଏଇ ନିକଟରେ ପାପଡ଼ାହାଣ୍ଡିର କଥାଟି ଦେଖିଲେ ନିଶ୍ଚିତ ଭାବେ ସମସ୍ତଙ୍କୁ କଷ୍ଟ ହେବ । ଘଟଣାଟି ଏମିତି, ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର ଜବାଗୁଡା ଗାଁର ହର ସିଂ ଜାନିଙ୍କ ସ୍ତ୍ରୀ ଲଳିତା ଜାନି ଦୀର୍ଘ ୫ଦିନ ହେଲା ଅସୁସ୍ଥ ଥିଲେ । ଗତ ରବିବାର ରାତି ୧୧ଟା ବେଳେ ହଠାତ ଗୁରୁତର ହୋଇପଡିଲେ ଆମ୍ବୁଲାନ୍ସକୁ ଡକାଗଲା । କିନ୍ତୁ ଆମ୍ବୁଲାନ୍ସ ଗାଁକୁ ଆସିନପାରିବାରୁ ଖଟିଆରେ ବୋହି ଦେଢ଼ କିଲୋମିଟର ରାସ୍ତା ଯିବାକୁ ପଡ଼ିଲା । ଗ୍ରାମବାସୀ ହାତରେ ଟର୍ଚ୍ଚ, ମୋବାଇଲ ଲାଇଟ ଲଗାଇ ଖଟିଆରେ ଭାର କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଲେ । ହେଲେ ସୋମବାର ରାତି ୧୨ଟା ବେଳେ ତାଙ୍କର ମୃତୁ୍ୟ ହୋଇଗଲା । ସମାନ ଅବସ୍ଥାର ପୁନରାବୃତ୍ତି ହେଲା । ଆମ୍ବୁଲାନ୍ସ ଭଳି ମହାପ୍ରୟାଣ ଗାଡ଼ି ବି ପହଁଚି ପାରିଲାନି । ଫଳରେ ଖଟିଆରେ ଶବ ରଖି ପୁଣି ଦେଢ଼ କିଲୋମିଟର ରାସ୍ତା ନେବାକୁ ପଡ଼ିଥିଲା । ଏହି ଘଟଣାକୁ ସରକାର ଓ ପ୍ରଶାସନ ‘ଆଇ ଓପନର’ ଭାବେ ଗ୍ରହଣ କରି ପଦକ୍ଷେପ ନେଲେ ସାରା ଓଡ଼ିଶାରେ ଏମିତି ସମସ୍ୟା ଆଉ ଦେଖିବାକୁ ମିଳନ୍ତା ନାହିଁ ।