ନିରାପଦ ନୁହେଁ ସବୁଜ ପନିପରିବା, ଫଳମୂଳ ଓ ଖାଦ୍ୟଶସ୍ୟ


ାା ଭଣ୍ଡାରିପୋଖରୀରୁ  ଅନୀଲ ଶତପଥି ।ା

ଚାଉଳ, ଗହମ, ଡ଼ାଲି ଭଳି ଖାଦ୍ୟଶସ୍ୟ, ସବୁଜ ପନିପରିବା, ଦୁଗ୍ଧ, ଫଳମୂଳ ବିନା ଜୀବନଧାରଣ ସମ୍ଭବପର ନୁହେଁ । ଶରୀର ତତ୍ତ୍ୱର ସମସ୍ତ ଉପାଦାନ ଏହିସବୁ ଖାଦ୍ୟରୁ ପ୍ରାୟ ଉପଲବ୍ଧ ହୋଇଥାଏ । ଏପରିକି ଶରୀର ନିମନ୍ତେ ଏହି ଖାଦ୍ୟ ଉପାଦାନ ଗୁଡ଼ିକର ବିକଳ୍ପ ମଧ୍ୟ ନାହିଁ । ଏକ ନୀରୋଗ ଶରୀର ନିମନ୍ତେ  ପ୍ରଦୂଷଣ ମୁକ୍ତ ଖାଦ୍ୟ ଉପାଦାନର ଆବଶ୍ୟକତା ଥିଲାବେଳେ ସମ୍ପ୍ରତି ବଜାରରେ ମିଳୁଥିବା ପ୍ରତ୍ୟେକ ଖାଦ୍ୟ ଉପାଦାନ ଅଳ୍ପେ ବହୁତ ପ୍ରଦୁଷିତ ହୋଇ ବିପଜ୍ଜନକ ସାବ୍ୟସ୍ତ ହୋଇଛି । ଜନସଂଖ୍ୟା ବୃଦ୍ଧି, ବ୍ୟବସାୟିକ ଓ ପେଷାଗତ ଚାଷ, ଆଧୁନିକ ଚାଷ ପ୍ରଣାଳୀ, ରାସାୟନିକ ସାର ଓ କୀଟନାଶକ ବିଷର ବ୍ୟାପକ ପ୍ରୟୋଗ, ଉତ୍ପାଦିତ ଶସ୍ୟର ଦୀର୍ଘ ସତେଜତା  ଓ ସଂରକ୍ଷଣ ପାଇଁ ରାସାୟନିକ ଦ୍ରବ୍ୟର ବ୍ୟବହାର ଦ୍ୱାରା ଖାଦ୍ୟ ଦ୍ରବ୍ୟଗୁଡ଼ିକର ଶରୀର ଉପଯୋଗୀତା ଦିନକୁ ଦିନ ହ୍ରାସ ପାଉଛି । ସବୁ ଚକ୍ଚକିଆ ପଦାର୍ଥ ସୁନା ନୁହେଁ ଭଳି ବଜାରରେ ମିଳୁଥିବା ସତେଜ ଖାଦ୍ୟଦ୍ରବ୍ୟ ଯେ ବିଷ ଜହରରେ ପରିପୂର୍ଣ୍ଣ ଏକଥା ସାଧାରଣ ମନୁଷ୍ୟ ପକ୍ଷେ ବୁଝିବା ସମ୍ଭବ ନୁହେଁ । ଫଳରେ ଦୈନନ୍ଦିନ ଖାଦ୍ୟରେ ମନୁଷ୍ୟ ଶରୀରକୁ ଲୁକ୍କାୟିତ ଭାବେ ପ୍ରବେଶ କରୁଛି ସାଇପରମେଥ୍ରୀନ, ହେପାକ୍ଲର, କୁ୍ୟଇନାଲଫୋସ, ଆଲଡ଼୍ରିନ, କ୍ଲୋରୋଡ଼େନ, ଡ଼ିକ୍ଲୋଭାସ ଭଳି ନିଷିଦ୍ଧ ବିଷର ମାତ୍ରା । ଏହି ସବୁ ବିଷାକ୍ତ ଖାଦ୍ୟ ପଦାର୍ଥ ମଧ୍ୟରେ ରହିଛି ଭେଣ୍ଡି, ବାଇଗଣ, ଫୁଲକୋବି, ବନ୍ଧାକୋବି, ପାଚିଲା କଦଳୀ, ଆପେଲ ଭଳି ଅନେକ । କେନ୍ଦ୍ର କୃଷି ମନ୍ତ୍ରଣାଳୟ ଅଧିନସ୍ଥ ଖାଦ୍ୟ ନିରାପତ୍ତା ଓ ମାନକ କତୃପକ୍ଷ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ ସାଧାରଣ ଭାବେ ବ୍ୟବହୃତ ଫଳ ଓ ସବୁଜ ପନିପରିବାରେ ଅନୁମୋଦିତ ପରିମାଣ ଠାରୁ ୧୦୦୦ଗୁଣ ଅଧିକ କୀଟନାଶକ ବିଷ ରହୁଛି । ଦେଶବ୍ୟପୀ ବିକ୍ଷିପ୍ତଭାବେ ସଂଗୃହୀତ ନମୁନାରୁ ଏହାର ପ୍ରତ୍ୟକ୍ଷ ପ୍ରମାଣ ମିଳିଛି । ବିଷାକ୍ତ ପନିପରିବା ମଧ୍ୟରେ ସର୍ବାଗ୍ରେ ରହିଛି ରୋଗୀର ପଥ୍ୟ କୁହାଯାଉଥିବା ବାଇଗଣ । ଏଥିରେ ଅନୁମୋଦିତ ପରିମାଣ ଠାରୁ ୮୬୦ ଶତାଂଶ ଅଧିକ ବିଷ ରହିଛି । ତାହା ଫଛକୁ ଅଛି ଫୁଲକୋବି ଓ ବନ୍ଧାକୋବି । ଏପରିକି ଶରୀରର ଜୀବନ ନାଟିକା ବୋଲି କୁହାଯାଇଥିବା ଗହମ ଓ ଚାଉଳରେ ମଧ୍ୟ ବିପଜ୍ଜନକ ଭାବେ ଏହି ରାସାୟନିକ କୀଟନାଶକର ଉପସ୍ଥିତିର ପ୍ରମାଣ ମିଳିଛି । ଗହମରେ କ୍ଷତିକାରକ ଆଲଡ଼୍ରିନର ମାତ୍ରା ଅନୁମୋଦିତ ପରିମାଣ ଠାରୁ ୨୧୮୯୦ ଗୁଣ, ଚାଉଳରେ ୧୩୨୪ ପ୍ରତିଶତ କ୍ଲୋରୋଫେଭିନଫସ ରହିଛି । ଆପେଲ ଓ କମଳା ଭଳି ଫଳରେ ୧୪୦ ପ୍ରତିଶତ ଅଧିକ ପରିମାଣରେ ନିଷିଦ୍ଧ କୀଟନାଶକ ଓ ରାସାୟନିକର ମାତ୍ରା ପର୍ଯ୍ୟାୟକ୍ରମେ ବୃଦ୍ଧି ପାଉଛି । ଚାଷରେ ପ୍ରୟୋଗ ସହ ଅମଳ ପରେ ସତେଜ ରଖିବା ପାଇଁ ରାସାୟନିକ ଦ୍ରବ୍ୟର ପ୍ରଲେପ  ମଧ୍ୟ କୀଟନାଶକ ଭଳି ଶରୀର ପାଇଁ ଅନୁରୁପ ଘାତକ ସାବ୍ୟସ୍ତ ହୋଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସତର୍କବାଣୀ ଅନୁଯାୟୀ ଏହାର ନିୟମୀତ ସେବନ ଶରୀର ପ୍ରତି ମାରାତ୍ମକ ନିଶ୍ଚୟ । କୀଟନାଶକ ଗୁଡ଼ିକ ଏକପ୍ରକାର ସ୍ନାୟବିକ ବିଷ ଯାହାକି କିଡ଼୍ନୀ, ଲିଭର ଭଳି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଓ ଅନ୍ତଃସ୍ରାବୀ ଗ୍ରନ୍ଥିକୁ ସିଧାସଳକ କ୍ଷତି ପହଞ୍ଚାଇଥାଏ । କେତେକ ସ୍ଥଳରେ ଏହା ଖାଦ୍ୟ ବିଷାକ୍ତ ହେବା, ଆର୍ଲଜିକ ଭଳି ରୋଗ ସୃଷ୍ଟିର କାରଣ ହୋଇଥାଏ । ବିଶେଷତଃ ଏହା ଗର୍ଭବତୀ ମହିଳା ଓ ଭ୍ରୁଣ ପାଇଁ ଘାତକ ହୋଇ ଜିନୀୟ ପରିବର୍ତ୍ତନ ଘଟାଇଥାଏ । ଏହି ସମସ୍ୟା ମଧ୍ୟ ଦୁଗ୍ଧ ଓ ମୃଦୁ ପାନୀୟକୁ ବ୍ୟାପିଛି । ୨୦୧୩ ଅକ୍ଟୋବର ୨୨ରେ ସୁପ୍ରିମକୋର୍ଟ ଏକ ରାୟରେ ପ୍ରକାଶ କରିଥିଲେ ଯେ ଦେଶର ‘ଖାଦ୍ୟ ସୁରକ୍ଷା ତଥା ମାନକ କର୍ତ୍ତୁପକ୍ଷ’ ପାନୀୟ ଗୁଡ଼ିକରେ ସ୍ୱାସ୍ଥ୍ୟ ବିପରିତ କାରକ ଗୁଡ଼ିକର ମାତ୍ରା ବୃଦ୍ଧି ପାଇଁ ଦାୟୀ ରହିବେ । ଯଦିଓ ସର୍ଭେରୁ ଏହାର ଭୟାବହତା ସ୍ପଷ୍ଟ ତଥାପି ଏହାର ପଞ୍ଝାରୁ ମୁକୁଳିବା ସହଜ ନୁହେଁ । ଏହାର ସରଳ ସମାଧାନ ପନ୍ଥା ଭାବେ ପରିବା, ଫଳ ଓ ଶସ୍ୟକୁ ଖାଇବା ପୂର୍ବରୁ ଖୁବ୍ ଭଲଭାବେ ଧୋଇବା, ସୁପର ମାର୍କେଟ ବଦଳରେ କ୍ଷୁଦ୍ର ଚାଷୀଠାରୁ କ୍ରୟ କରିବା, ଆଧୁନିକ ପ୍ରଣାଳୀରେ କିଚେନ ଗାର୍ଡ଼େନ ପ୍ରସ୍ତୁତ କରି ଜୈବିକ ଖତ ବ୍ୟବହାର ଦ୍ୱାରା ଆବଶ୍ୟକତା ପୂରଣ କରିବା ଇତ୍ୟାଦି ଅନ୍ୟତମ ଅଟେ ।