ପୌର କର୍ତ୍ତୃପକ୍ଷଙ୍କ ଅଜବ ନୀତି : ମାନସିକ ଦୁଶ୍ଚିନ୍ତାରେ ବୃଦ୍ଧ କର୍ମଚାରୀ

 ଜଟଣୀ : ନିଜ ଦୋଷ ବେଳହୁଁ ନ ସୁଧାରି ନେଡିଗୁଡ କହୁଣୀକୁ ବୋହିବା ପରେ ବିଭାଗୀୟ ଦୋଷ ଖସାଇବା ପାଇଁ ଜଣେ ନିରୀହ ସୁଇପର କର୍ମଚାରୀଙ୍କୁ ପରିଣତ ବୟସରେ ପୌର କର୍ତ୍ତୃପକ୍ଷ ନୋଟିସ ଜାରି କରି ପରୋକ୍ଷରେ ନିଜ ବାହାଦୁରି ପଣିଆ ସାବ୍ୟସ୍ତ କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ମୁ୍ୟନିସିପାଲିଟିରେ ସ୍ଥାୟୀ ସୁଇପର ଭାବେ କାର୍ଯ୍ୟକରୁଥିବା କେଦାର ନାଏକ ବିଗତ ୭/୭/୨୪ ତାରିଖରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ୭/୭/୨୫ ରିଖ ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଛନ୍ତି । ହଠାତ ୮/୦୭/୨୫ ତାରିଖ ଦିନ ପୌରପରିଷଦ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ସଫେଇ କର୍ମଚାରୀ କେଦାର ନାଏକଙ୍କ ହସ୍ତଗତ ହୋଇଥିଲା । ସେହି ଚିଠିରେ ଉଲ୍ଲେଖ ଅଛି ଯେ, ତୁମେ ୭/୭/୧୯୬୪ ମସିହାରୁ କାର୍ଯ୍ୟ କରି ୩୧/୦୭/୨୦୨୪ ମସିହାରୁ ଅବସର ଗ୍ରହଣ କରିସାରିଛନ୍ତି । କିନ୍ତୁ ଅବସର ଗ୍ରହଣ ପରଠାରୁ ଆଜିପର୍ଯ୍ୟନ୍ତ ୧୧ ମାସ କାର୍ଯ୍ୟ କରି ପାଇଥିବା ଦରମାର ଅର୍ଥକୁ ତୁମ ଗ୍ରାଚୁ୍ୟଇଟିରୁ ଟଙ୍କା କାଟିଦିଆଯିବ ।
ଏହା ଜାଣି ହତବାକ ହୋଇଛନ୍ତି ନିରୀହ ଦିବ୍ୟାଙ୍ଗ ଅସହାୟ କେଦାର । ଏଠି ପ୍ରଶ୍ନ ଉଠେ ଜଣେ ସ୍ଥାୟୀ କର୍ମଚାରୀଙ୍କ ଅବସରକାଳୀନ ସମୟ କେବେ ତାହା କାର୍ଯ୍ୟାଳୟର ସ୍ଥାୟୀ ନିଯୁକ୍ତି ବିଭାଗ ଜାଣିପାରିଲା ନାହିଁ କିପରି । ଅବସର ଗ୍ରହଣର ୧୧ ମାସ ପରେ କିପରି ନୋଟିସ ଜାରି କରୁଛି ପୌରପ୍ରଶାସନ । ଏଠି ଭୁଲ୍ କାହାର ପୌରପ୍ରଶାସନର ନା କର୍ମଚାରୀଙ୍କର । ଯଦି ସେ ଅବସର ଗ୍ରହଣ କରିଛନ୍ତି ତାହା ହେଲେ ସେ କିପରି ଉପସ୍ଥାନ ଖାତାରେ ଦସ୍ତଖତ କରି ୧୧ ମାସ ଚାକିରି କରିଛନ୍ତି ଏବଂ ଟଙ୍କା ଦରମା ନିଜର ବ୍ୟାଙ୍କ ଖାତାକୁ ଆସୁଥିଲା କିପରି, ଏହା ଆଶ୍ଚର୍ଯ୍ୟ ବିଷୟ । ପୌରପରିଷଦର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୨୪/୦୩/୨୫ ରିଖରେ ଭିଜିଲାନ୍ସ ଜାଲରେ ପଡି ଜେଲ୍ ଯିବାପରେ ସେହି ସ୍ଥାନରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରିଣୀ ରୂପେ ଜଟଣୀ ବ୍ଲକ ବିଡିଓ ରଶ୍ମିତା ନାଥ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଜଣେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରିଣୀ କିଭଳି ଅଜବ ନିୟମ ଆଧାରରେ ନୋଟିସ ଦସ୍ତଖତ କରିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତ୍ତମାନର ଏହି କାର୍ଯ୍ୟ ପାଇଁ ଦାୟି କିଏ? ପ୍ରଶାସନ ନା ନିରୀହ କର୍ମଚାରୀ । ଜଣେ ଅସାଧ୍ୟ ରୋଗରେ ପଡି ପରିଣତି ବୟସରେ ଜଣେ ଦିବ୍ୟାଙ୍ଗ ନିରୀହ ସଫେଇ କର୍ମଚାରୀ କେଦାର ନାୟକ କିପରି ତାର ପରିବାର ପ୍ରତିପୋଷଣ କରିବ । ପୌରପରିଷଦର ଉଚ୍ଚ ପଦସ୍ଥ ଅଧିକାରୀ ଯଦି ଏହାର କୌଣସି ନିରପକ୍ଷ ତଦନ୍ତ ନ କରି  ନିରୀହ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ ନ କରନ୍ତି ତେବେ ସେ ଆଇନର ଆଶ୍ରୟ ନେବା ସହ ଆନେ୍ଦାଳନକୁ ଓହ୍ଲାଇବେ ବୋଲି କହିଛନ୍ତି ।