ଲୁହାପଥର ଚାଲାଣ ବେଳେ ଟ୍ରେଲର ଓ ଡ୍ରାଇଭର ଅଟକ

 କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳ ତଥା ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ସ୍ଥିତ ଶିବ ମନ୍ଦିର ସମ୍ମୁଖରେ ଗଚ୍ଛିତ ଗୁଣ୍ଡ ଲୁହାପଥରରୁ ଚୋରା ଚାଲାଣ କରୁଥିବା ଏକ ଟ୍ରେଲର ନଂ ୟୁପି-୮୨ଏଟି-୪୮୬୦ ଜବତ କରିବା ସହିତ ଡ୍ରାଇଭରକୁ ପୁଲିସ ଗିରଫ କରିଥିବା ଖବର ହସ୍ତଗତ ହୋଇଛି । ମିଳିଥିବା ବିଳମ୍ବିତ ରାତିରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ, ଉକ୍ତ ଲୁହାପଥର ଡିପୋରୁ ଚୋରମାନେ ଗାଡ଼ି ଲଗାଇ ଚୋରା ଚାଲାଣ ନିମନ୍ତେ ବୋଝେଇ କରୁଥିଲେ । ବୋଝେଇ ପରେ ସେଠାରୁ ଚାଲି ଯିବାକୁ ଚେଷ୍ଟା କରିବା ବେଳେ ପୁଲିସ ଅତର୍କିତ ଚଢ଼ାଉ କରିଥିଲା । ଫଳରେ ଖଣିଜ ଚୋର ମାନେ ଅନ୍ଧାରରେ ଫେରାର ହୋଇ ଯାଇଥିବା ବେଳେ ପୁଲିସ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ପୁଲିସ ସୂଚନା ଦେଇଛି  । ଏ ନେଇ ସ୍ଥାନୀୟ କିଛି ଲୋକ ଜାଣିବା ପରେ ଟ୍ରେଲର ଓ ଡ୍ରାଇଭରକୁ ଧରି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରେଲର ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ପୁଲିସ ସୂଚନା ଦେଇଛି । ଉକ୍ତ ଟ୍ରେଲରରେ ପ୍ରାୟ ୩୫ ମେଟ୍ରିକ୍ ଟନ୍ ଲୁହାପଥର ବୋଝେଇ ହୋଇଥିବା ସୂଚନା ରହିଥିବା ବେଳେ, ଏହାର ଆନୁମାନିକ ମୂଲ୍ୟ  ୨ ଲକ୍ଷରୁ ଊର୍ଦ୍ଧ୍ୱ  ହେବ ବୋଲି ଜଣାପଡିଛି  । ସୂଚନା ଯୋଗ୍ୟ କି,ନୟାଗଡ଼ ରେଳ ସାଇଡ଼ିଂ ନିକଟସ୍ତ ବିଭିନ୍ନ ବ୍ୟକ୍ତିଗତ ପ୍ଲଟରେ ପୂର୍ବରୁ ଲୁହାପଥର ପରିବହନ ହୋଇ ଗଚ୍ଛିତ ରହିଥିଲା  । ଏହାର ଦାବିଦାର କେହି ନ ଥିବାରୁ ଖଣି ବିଭାଗ ଏହାକୁ ଜବତ କରିଥିଲା  । ଏହାର ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ତଥା ରକ୍ଷଣା ବେକ୍ଷଣ ଅଭାବରୁ ତାହା ପରିତ୍ୟକ୍ତ ହୋଇ ପଡ଼ିରହିଛି  । ଫଳରେ ଏହା ଉପରେ  ଖଣିଜ ଚୋରଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି  । ଏହିପରି ବିଭିନ୍ନ ପ୍ଲଟରେ ଗଚ୍ଛିତ ଥିବା ଖଣିଜକୁ ଚୋର ମାନେ ମେସିନ ଓ ଟ୍ରକ୍ ଲଗାଇ ବୋହି ନେଉଛନ୍ତି ।