ବ୍ଲକ ପରିସରରୁ ଗଛ କଟା
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଫାଟକ ସଂଲଗ୍ନ ପାଚେରୀ ଘେରା ମଧ୍ୟରେ ଥିବା ପୁରାତନ ରାଧାଚୁଡା ଗଛକୁ କାଟିଦିଆଯାଇଛି । ଫାଟକ ଗଛ ଛାଇରେ ରହୁଥିବାରୁ ବ୍ଲକକୁ ଆସୁଥିବା ବ୍ୟକ୍ତିମାନେ ଏହି ଚଉତରା ଉପରେ ବସି କାର୍ଯ୍ୟ ପାଇଁ ଅପେକ୍ଷା କରୁଥିଲେ । ହେଲେ ବ୍ଲକ କର୍ତ୍ତୃପକ୍ଷଙ୍କ ଦେହ ସହିଲାନି । ରବିବାର ଛୁଟି ଦିନ ସୁଯୋଗରେ ଗଛକୁ କାଟି ପକାଇଲେ । ସୋମବାର ବ୍ଲକ ଫାଟକ ଖୋଲିବା ପରେ ଲୋକେ ଏହା ଦେଖି ତାଜୁବ । ବିଡିଓ ଦେବଦତ୍ତ ଦାସ ଏଥିନେଇ କୌଣସି ପଦକ୍ଷେପ ନେଇନାହାନ୍ତି । ଏହି ଘଟଣାରେ ସେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ବୋଲି ଆଲୋଚନା ହେଉଛି । ଏହି ଘଟଣାରେ ବିଡିଓଙ୍କୁ ଦାୟୀ କରିଛନ୍ତି ଖୋଦ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ । ଗଛକଟା ଯିବା ସମ୍ପୂର୍ଣ୍ଣର୍ ଅନୁଚିତ । ଏ ସମ୍ପର୍କରେ ତାଙ୍କସହ ଆଦୌ ପରାମର୍ଶ କରାଯାଇ ନାହିଁ । ଗତ କିଛି ମାସ ଧରି ବିଡିଓ ବ୍ଳକ ସମ୍ବନ୍ଧିତ କୌଣସି କଥାରେ ଅଧ୍ୟକ୍ଷାଙ୍କ ସହ ଯୋଗଯୋଗ କରୁନଥିବାରୁ ଅପରାହ୍ନରେ ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ଯୋଗଯୋଗ କରିଥିଲେ । ଏହା ଜୀବନ୍ତ ଗଛ ନୁହେଁ ବୋଲି ସହକାରୀ ଯନ୍ତ୍ରୀ ସଫେଇ ଦେଇଥିଲେ ବୋଲି ସେ ପ୍ରକାଶ କରିଥିଲେ । ଏହି ଘଟଣା ସମ୍ପର୍କରେ ବିଧାୟକ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଅଧ୍ୟକ୍ଷା ଶ୍ରୀମତୀ ସେଠୀ ସୂଚନା ଦେଇଛନ୍ତି ।